ଚିଲିକାରେ ହେଲିକପ୍ଟର ଉଡାଣ ଘଟଣାର ତଦନ୍ତ କରିବ ଡିଜିସିଏ, ଚିଲିକା ପରିବେଶ  ପର୍ଯ୍ୟଟନ ମହାସଂଘ ପକ୍ଷରୁ ଏତଲା

ଭୁବନେଶ୍ୱର: ଚିଲିକାରେ ହେଲିକପ୍ଟର ଉଡାଇବା ଘଟଣା ଏବେ ନୂଆ ମୋଡ ନେଇଛି। ଗୋଟିଏ ପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ନୋ ଫ୍ଲାଇଂଜୋନ୍‌ ଓ ଚିଲିକା ଭଳି ଜୈବବିବିଧତା ଥିବା ହ୍ରଦ ଅଞ୍ଚଳରେ ହେଲିକପ୍ଟର ଉଡାଇବା ଘଟଣାର ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)।

ମଙ୍ଗଳବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ହେଲିକପ୍ଟର ଉଡାଣରେ ଆଇନ ଉଲଂଘନ ହୋଇଛି କି ନାହିଁ ତାହାର ତଦନ୍ତ ଡିଜିସିଏ କରିବ। ସେ କହିଥିଲେ କି ବୈଜୟନ୍ତଙ୍କ ହେଲିକପ୍ଟର ଅନୁମତି ନେଇ ସକାଳ ୮ଟା ୪୬ରେ ଉଡାଣ କରିଥିଲା । ହେଲିପକ୍ଟର ନୋ ଫ୍ଲାଇଂ ଜୋନ୍‌ରେ ଉଡାଣ କରିଛି କି ନାହିଁ ଏବଂ ଏହା ଚିଲିକାରେ ଲ୍ୟାଣ୍ଡ କରିଛି କି ନାହିଁ ସେ ନେଇ ସୂଚନା ଆମ ପାଖରେ ନାହିଁ।

ଅନ୍ୟପକ୍ଷରେ ସାତପଡାର ଚିଲିକା ପରିବେଶ  ପର୍ଯ୍ୟଟନ ମହାସଂଘ ପକ୍ଷରୁ ମଙ୍ଗଳବାର ପୁରୀ ମେରାଇନ୍‌ ଥାନାରେ ଏକ ଏତଲା ଦାୟର କରାଯାଇଛି। ଏତଲାରେ ଦର୍ଶାଯାଇଛି କି ଏକ ଧଳା ହେଲିକପ୍ଟର ୧୫ ତାରିଖ ସକାଳ ୯ଟା ୧୩ ମିନିଟରେ ରାଜହଂସ ନିକଟ ଭିତର ଚିଲିକାରେ ଖୁବ୍‌ ତଳକୁ ଆସି ଉଡାଣ କରିଥିଲା। ଏହାର ପାଖରେ ଉପସ୍ଥିତ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଏହା ଚିଲିକାର ପକ୍ଷୀ ଓ ପ୍ରାଣୀଙ୍କ ଉପରେ କୁପ୍ରଭାବ ପକାଇଛି। ଏଣୁ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯାଉ।

ସମ୍ବନ୍ଧିତ ଖବର