ବାଲୁଗାଁ: ଗତକାଲି ସନ୍ଧ୍ୟାରେ ମା’ କାଳିଜାଈ ପୀଠରୁ ଫେରୁଥିବା ବେଳେ ହଠାତ ପବନ ହେବାରୁ ଚିଲିକା ହ୍ରଦରେ ଏକ ଦେଶୀ ଡଙ୍ଗା ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାଣି ଭିତକୁ ଖସିପଡ଼ିଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ଛୋଟ ପିଲା ଭୟଭୀତ ନ ହୋଇ କିପରି ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲା ତାହା ସେ ବଖାଣିଛି।
ଅବିନାଶ ଭୁଜବଳ ନାମକ ଏହି ୧୨ବର୍ଷର ବାଳକ ଗତକାଲିର ଲୋମଟାଙ୍କୁରା ଡ଼ଙ୍ଗାବୁଡ଼ି ଘଟଣାକୁ ମନେ ପକାଇ କହିଛି, ‘ହଠାତ ପବନ ହେବାରୁ ଡଙ୍ଗା ଭିତରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ପାଣି ଭିତରକୁ ଦବି ଯାଇଥିଲା। ଡଙ୍ଗା ଭିତରେ ବସିଥିବା ୧୮ଜଣ ଯାତ୍ରୀ ପାଣି ଭିତରକୁ ଖସି ପଡ଼ିଥିଲେ। ମୁଁ ମୋର ମା’ ଓ ଭାଇ ସହିତ ଅନ୍ୟମାନଙ୍କୁ ବି ପାଣିରେ ବୁଡ଼ି ଯାଉଥିବା ଦେଖି ଭୟଭୀତ ହୋଇଯାଇଥିଲି। ହେଲେ ବି ମନରେ ସାହାସ ବାନ୍ଧି ପାଣିରେ ଭାସୁଥିବା ତିନିଟି ବାଉଁଶ ମଧ୍ୟରୁ ଗୋଟିଏକୁ ସାହାରା କରି ମା’, ଭାଇ ଓ ଅନ୍ୟ ୩/୪ଜଣଙ୍କ ଜୀବନ ବଞ୍ଚାଇ ଥିଲି। ଏଥିସହିତ ଅନ୍ୟ ଦୁଇଟି ବାଉଁଶକୁ ପହଁରା ଶିଖି ନଥିବା ଅନ୍ୟମାନଙ୍କ ପାଖକୁ ବଢ଼ାଇ ଦେଇଥିଲି।’
/sambad/media/post_attachments/wp-content/uploads/2020/02/boat-1-750x430-1.jpg)
ଏତଦବ୍ୟତୀତ ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଧରି ଘଟଣାସ୍ଥଳରେ ପହଞ୍ଚିବା ସହିତ ୭ ଜଣ ମହିଳା ଓ ୨ଜଣ ପୁରୁଷଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। ପରେ ଦମକଳବାହିନୀ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲେ। ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Chilika-03_Thumb.jpg)