ଭୁବନେଶ୍ୱର : ୨୦୧୭ ସୁଦ୍ଧା ଚିଲିକା ହ୍ରଦରେ ୧୮ ହଜାର ହେକ୍ଟରରୁ ଅଧିକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ିଘେରି ହୋଇଥିଲା। ଫଳରେ ଚିଲିକା ଉପରେ ନିର୍ଭରଶୀଳ ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକା ବିପନ୍ନ ହୋଇପଡ଼ିବା ସାଙ୍ଗକୁ ହ୍ରଦର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବିଗିଡ଼ି ଯାଇଥିଲା। ଏହା ପଛରେ ଥିଲା ମାଫିଆରାଜ୍। ଏହି ପୃଷ୍ଠଭୂମିକୁ ବିଚାରକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତିି। ମତ୍ସ୍ୟଜୀବୀମାନଙ୍କୁ ମାଛ ଚାଷ ଅଧିକାର ପ୍ରଦାନ କରିବା ପାଇଁ ଚିଲିକା ଉପକୂଳ ସଇରାତ୍ ଲିଜ୍ ପ୍ରଦାନ କରାଯିବ। ଏଥର ଫିସ୍ଫେଡ୍ ପରିବର୍ତେ ଜିଲ୍ଲା ପ୍ରଶାସନକୁ ମିଳିବ ଲିଜ୍ ପ୍ରଦାନ କ୍ଷମତା। ତେବେ ଏଭଳି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମିଳିବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗରେ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଚିଲିକା ଉପକୂଳର ସ୍ଥାନୀୟ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିମାନଙ୍କୁ ଲିଜ୍ ପ୍ରଦାନ କରାଯିବ। ସୂଚନାନୁସାରେ ଚିଲିକା ଉପକୂଳର ପୁରୀ ଜିଲ୍ଲାରେ ସର୍ବାଧିକ ୧୮୪ଟି ସମିତି ଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୧ଟି ଓ ଗଞ୍ଜାମ ଜିଲ୍ଲାରେ ୧୭ଟି ସମିତି ରହିଛି। ଏହିରୂପେ ମୋଟ ପ୍ରାୟ ୨୨୨ଟି ସମବାୟ ସମିତି ଅଧୀନରେ ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ପ୍ରାଥମିକ ସଭ୍ୟ ରହିଛନ୍ତି। ପୂର୍ବରୁ ଫିସ୍ଫେଡ୍ ହାତରେ ଲିଜ୍ ପ୍ରଦାନ କ୍ଷମତା ଥିଲା। ଏଣିକି ଜିଲ୍ଲା ପ୍ରଶାସନମାନଙ୍କୁ ଲିଜ୍ ପ୍ରଦାନ କ୍ଷମତା ହସ୍ତାନ୍ତର କରାଯିବ।
ଏଣିକି ବର୍ଷିକିଆ ଲିଜ୍ ପରିବର୍ତେ ଦୀର୍ଘସୂତ୍ରୀ ଭାବେ ୫ ବର୍ଷିଆ ଲିଜ୍ ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ସେହି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିମାନଙ୍କୁ ଏକର ପିଛା ମାତ୍ର ୪୦ ଟଙ୍କା ହାରରେ ଲିଜ୍ ପ୍ରଦାନ କରିବାକୁ ଆପାତତଃ ସ୍ଥିର ହୋଇଛି। ରାଜସ୍ୱ ବିଭାଗ ଲାଭାର୍ଜନ ନୁହେଁ, ବରଂ ମତ୍ସ୍ୟଜୀବୀମାନଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏଭଳି ପ୍ରସ୍ତାବ ଦେଇଛି। ଏ ନେଇ ଖୁବଶୀଘ୍ର ଏକ ନୀତି ପ୍ରଣୟନ କରାଯିବ। ତେବେ ଲିଜ୍ ପ୍ରଦାନକୁ ଶୃଙ୍ଖଳିତ କରିବା ପାଇଁ ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡିଏ), ମତ୍ସ୍ୟ ବିଭାଗ ଓ ରାଜସ୍ୱ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ଏହି କମିଟି କେଉଁ ସମିତିମାନଙ୍କୁ ଲିଜ୍ ପ୍ରଦାନ କରାଯିବ ସେ ନେଇ ସୁପାରିସ କରିବ। ଚିଲିକାରେ ମାଛ ମାରୁଥିବା ଡଙ୍ଗାଠାରୁ ଲାଇସେନ୍ସ ବାବଦରେ ଅର୍ଥ ଆଦାୟ କରାଯାଉଛି। କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ସେହି ମତ୍ସ୍ୟଜୀବୀମାନଙ୍କୁ ଲିଜ୍ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ମିଳିବାର ସମ୍ଭାବନା ଅଧିକ।
ଚିଲିକାରେ ବେଆଇନ ଘେରି କାରବାରରୁ ମାଫିଆମାନଙ୍କୁ ଦୂରେଇ ରଖିବାକୁ ରାଜ୍ୟ ସରକାର ଏଭଳି ନୀତି ଅବଲମ୍ବନ କରିବାକୁ ଯାଉଛନ୍ତିି। ଇତି ମଧ୍ୟରେ ସିଡିଏ ପକ୍ଷରୁ ବ୍ୟାପକ ଅଭିଯାନ ଜରିଆରେ ୧୫୧୪୭ ହେକ୍ଟର ୧୫୧.୪୭ ବର୍ଗ କି.ମି. ଅଞ୍ଚଳ ଘେରିମୁକ୍ତ କରାଯାଇଛି। ତେବେ ଚିଲିକା କୂଳ ନିକଟରେ ମାଟିବନ୍ଧ କରି ଆହୁରି ୩୦.୭୫ ବର୍ଗ କି.ମି. ଜମି ଘେରି ରହିଛି। ଏହାକୁ ଘେରିମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।