ଚିଲିକା ବିଧାୟକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଥାନାରେ ଅଟକ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଶ୍ରୀ ସେଠୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାକୁ କେନ୍ଦ୍ରକରି ବିଜେଡି ଓ ବିଜେପି କର୍ମୀ ମୁହଁାମୁହିଁ ହୋଇଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିହେବାରୁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି।
ବାଲୁଗାଁ ଏନ୍‌ଏସି ବିଜେଡି ଉପସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମିଡିୟମ୍‌ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଖବର ପାଇ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଓ ତାଙ୍କର ସମର୍ଥକମାନେ ବିଦ୍ୟାଳୟରେ ପହଞ୍ଚି ବିଧାୟକଙ୍କୁ ବିରୋଧ କରିଥିଲେ। ଫଳରେ ଦୁଇ ସମର୍ଥକ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ପାଖରେ ରଖିଥିବା ବନ୍ଧୁକ ଦେଖାଇ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମାରିଦେବା ଲାଗି ଧମକ ଦେଇଥିବା ବିଜେଡି ଉପସଭାପତି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ବାଲୁଗାଁ ଥାନା ଘେରାଉ କରିବା ସହିତ ବିଜେପି ମଣ୍ଡଳ ସଭାପତିଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ କରିଥିଲେ। ବାଲୁଗାଁ ଏନ୍‌ଏସିର ୩/୪ ଜଣ ବିଧାୟକଙ୍କ କର୍ମୀ ରାସ୍ତାରୋକ ଆରମ୍ଭ କରିଥିବା ବେଳେ ପରେପରେ ବାଣପୁରରୁ ଅନ୍ୟ କର୍ମୀମାନେ ଆସି ଆନ୍ଦୋଳନରେ ଯୋଗ ଦେଇଥିଲେ।

ବିଜେଡି-ବିଜେପି ମୁହାଁମୁହିଁ:ପୁଲିସର ମୃଦୁ ଲାଠି ଚାଳନା

ଅନ୍ୟପକ୍ଷରେ, ଘଟଣା ପ୍ରଚାରିତ ହେବାପରେ ବିଜେପି କର୍ମୀମାନେ ମଧ୍ୟ ବାଲୁଗଁା ଥାନା ସମ୍ମୁଖରେ ପହଞ୍ଚିଥିଲେ। ଉଭୟ ଦଳର କର୍ମୀ ନିଜନିଜ ଦଳୀୟ ପତାକା ଧରି ପରସ୍ପରକୁ ଗାଳିଗୁଲଜ୍‌ କରିଥିଲେ। ପରସ୍ପର ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ଅଣାୟତ୍ତ ହେବା ଦେଖି ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା।

ଅତିରିକ୍ତ ଏସ୍‌.ପି. ସୁରେଶ ଚନ୍ଦ୍ର ଦାଶ ବାଲୁଗାଁ ଥାନାରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଜେପି ମଣ୍ଡଳ ସଭାପତି ଶ୍ରୀ ସେଠୀ ଓ ତାଙ୍କର ସହକର୍ମୀ ଅଜୟ ତରାଇଙ୍କୁ ଟାଙ୍ଗୀ ଥାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ୍‌ ଶ୍ରୀ ସେଠୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛି ବୋଲି ଅଭିଯୋଗ କରି ତାଙ୍କର ମହିଳା ଓ ପୁରୁଷ ସମର୍ଥକମାନେ ସ୍ଲୋଗାନ୍‌ ଦେଇଛନ୍ତି। ଶ୍ରୀ ସେଠୀଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରା ନଗଲେ ଆନ୍ଦୋଳନ ଜୋର୍‌ଦାର୍‌ ହେବ ବୋଲି କର୍ମୀମାନେ ସ୍ପଷ୍ଟ କରିଦେଇଛନ୍ତି। ଖବର ଲେଖା ହେବାସୁଦ୍ଧା ସେଠାରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର