ବ୍ରହ୍ମଗିରି : ଭାରତରେ ଦେଖା ଯାଉଥିବା ମଇଁଷିମାନଙ୍କ ମଧ୍ୟରୁ ଚିଲିକା କୂଳରେ ରହୁଥିବା ଓ ଚିଲିକାର ଦଳ ଓ ନଳ ଘାସ ଖାଇ ବଞ୍ଚୁଥିବା ମଇଁଷି ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ଉନ୍ନତମାନର। ଏମାନଙ୍କ କ୍ଷୀରର ସ୍ବତନ୍ତ୍ର ଗୁଣ ରହିଛି। ଚିଲିକା ଦଳ ଖାଇ ବଞ୍ଚୁଥିବାରୁ ଏମାନଙ୍କ କ୍ଷୀର ମଣିଷର ବହୁ ଦୁସାଧ୍ୟ ରୋଗ ଭଲ କରିବାର କ୍ଷମତା ରଖିଛି। ଚିଲିକା ମଇଁଷି ଉପରେ ଗତ ୬ ବର୍ଷ ଧରି ଗବେଷଣା କରୁଥିବା ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସର ଡା.ମହେଶ ଡିଗେ କହିଛନ୍ତି। ରବିବାର ଦିନ ଚିଲିକା ମଇଁଷି ଉପରେ ଗବେଷଣା କରିବାକୁ ଆସିଥିବା ବେଳେ ଡା. ଡିଗେ ଏହି ମତ ଦେଇଛନ୍ତି।
ଡା.ଡିଗେ ରବିବାର ଦିନ ଚିଲିକା ଉପକୂଳରେ ରହୁଥିବା ମଇଁଷି ଓ ଚିଲିକା ଭିତରେ ରହୁଥିବା ମଇଁଷିଙ୍କ କ୍ଷୀର ସଂଗ୍ରହ କରିଛନ୍ତି। ୨୦ଟି ମଇଁଷିଙ୍କ କ୍ଷୀର ସ୍ବତନ୍ତ୍ର ଭାବରେ ସଂଗ୍ରହ କରି ଗବେଷଣା କରିବାକୁ ନେଇଛନ୍ତି। ଏମିତିକି ଚିଲିକା ମଇଁଷି କ୍ଷୀରରେ କ୍ୟାନସର ଭଳି ରୋଗର ଉପଶମ କଲାଭଳି କ୍ଷମତା ରହିଥିବା ଡା.ଡିଗେ ଦାବି କରି କହିଛନ୍ତି। ଏହି ମଇଁଷି ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ଅନ୍ୟପଟେ ଚିଲିକା ମଇଁଷି ସୁରକ୍ଷା ଏବଂ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ ହେବା ଆବଶ୍ୟକ ରହିଥିବା ସ୍ଥାନୟ ମଇଁଷି ପାଳକମାନେ ମତ ଦେଇଛନ୍ତି।