ଚିଲିକା ବିଧାୟକଙ୍କୁ ସାମାନ୍ୟ ଆଶ୍ବସ୍ତି: ଗୋଟିଏ ମାମଲାରେ ମିଳିଲା ଜାମିନ

ବାଣପୁର: ଦୁଇଟି ମାମଲାରେ ଛନ୍ଦି ହୋଇ ବାଣପୁର ଉପକାରାଗାରରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗ‌‌ଦ୍ଦେବଙ୍କୁ ଶୁକ୍ରବାର ଗୋଟିଏ ମାମଲାରେ ଜାମିନ ମିଳିଛି । ଭେଟେଶ୍ବର ହିଂସାକାଣ୍ତ ଘଟଣା ନେଇ ଥାନା କେସ୍‌ ନମ୍ବର ୮୧/୨୨ ଏବଂ ଜିଆର ୭୨/୨୨ ମକଦ୍ଦମାରେ ବାଣପୁର ସହକାରୀ ଦୈାରାଜଜ୍‌ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଦିନ ରାତିରେ ଭେଟେଶ୍ବର ଗ୍ରାମ ପଞ୍ଚାୟତରେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏପରିକି ଅଭିଯୋଗ କରିବାକୁ ଥାନାକୁ ଆସିଥିବା ଉଭୟ ପକ୍ଷଙ୍କ ମଧ୍ୟରେ ଥାନା ପରିସରରେ ମଧ୍ୟ ମାରପିଟ୍‌ ହୋଇଥିଲା ।

ଏନେଇ ଜିତେନ୍ଦ୍ର ଭୋଳଙ୍କ ଅଭିଯୋଗକ୍ରମେ ପୁଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ୧୮ଜଣଙ୍କ ବିରୋଧରେ ୮୧/୨୨ ନମ୍ବରରେ ଏକମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ, ଭିଡ଼ ମଧ୍ୟରେ ବାଣପୁର ବ୍ଳକ୍‌ ସମ୍ମୁଖରେ ଲୋକଙ୍କୁ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ବିଧାୟକ ହାଜତରେ ଥିବାରୁ ଗତ ଦୁଇ ତାରିଖରେ ପୁଲିସ ବିଧାୟକଙ୍କୁ ରିମାଣ୍ତରେ ଆଣି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିଥିଲା। ମାତ୍ର ଜେଏମ୍‌ଏଫ୍‌ସି ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେବାରୁ ବିଧାୟକଙ୍କ ଓକିଲ ପୁନର୍ବାର ସହକାରୀ ଦୈାରାଜଜ୍‌ଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ । ଶୁକ୍ରବାର ଦିନ ଏହାର ଶୁଣାଣି କରି ସହକାରୀ ଦୈାରାଜଜ୍‌ ତିରିଶି ହଜାର ଟଙ୍କାର ଜମାନତ ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଲୋକଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ୧୦୧/୨୨ ନମ୍ବର ମକଦ୍ଦମାରେ ବିଧାୟକଙ୍କ ଜାମିନ ଆବେଦନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସେହି ମକଦ୍ଦମାରେ ଜାମିନ ନମିଳିବା ଯାଏଁ ବିଧାୟକ ହାଜତରେ ରହିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର