ଚିଲିକା ବିଧାୟକଙ୍କ ଗାଡ଼ି ଜାଲିଆତି ! ସମାନ ନମ୍ବରରେ ଦୁଇଟି ଗାଡ଼ି; ଗୋଟିଏ ବାଣପୁଣ ଥାନାରେ, ଅନ୍ୟଟି ସୁନାଖଳାରୁ ଠାବ 

ଖୋର୍ଦ୍ଧା: ଚଳିତ ମାସ ୧୨ ତାରିଖରେ ବାଣପୁର ତହସିଲ କାର୍ଯ୍ୟାଳୟ ନିକଟରେ ବିଜେପି ସମର୍ଥକଙ୍କୁ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି । କିନ୍ତୁ ମାମଲାକୁ ନେଇ ଜଟିଳତା ଶେଷ ହେବାରେ ନାମ ନେଉନାହିଁ । ଗତକାଲି ବିଧାୟକ ଜଗଦ୍ଦେବଙ୍କ ଉକ୍ତ କାର ନମ୍ବର ଜାଲି ଥିବା ଜଣାପଡ଼ିବା ପରେ ଆଜି ସମାନ ନମ୍ବର ଗାଡ଼ି ନୟାଗଡ଼ର ସୁନାଖଳାର ଶିବାନୀ ଫୁଡ୍ସ ପ୍ରା ଲିଃ ମାଲିକଙ୍କ ଘରେ ଥିବା ଜଣାପଡ଼ିଛି।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ରେଂଜରୋଭର୍ ଡିସକଭରି ବ୍ୟବହାର କରିଥିଲେ ସେଥିରେ ଦୁଇଟି ନମ୍ବର ବ୍ୟବହାର ହେଉଥିଲା । ଗୋଟିଏ ଓଡି ୦୨ ଏୱାଇ ୫୭୭୫ ଓ ଅନ୍ୟଟି ଓଡ଼ି୨୫କେ ୫୭୭୫ ।  ଆର୍ଟିଓ ତଥ୍ୟାନୁସାରେ ପ୍ରଥମ ନମ୍ବରଟି ଏକ ହ୍ୟୁଣ୍ଡାଇ କ୍ରେଟା କାରର ଓ ଦ୍ୱିତୀୟ ନମ୍ବରଟି ନୟାଗଡ଼ର କୁମାର ଦେବଦତ୍ତଙ୍କ ନାମରେ ଥିବା ରେଂଜ ରୋଭରର  । ବର୍ତ୍ତମାନ ଯେଉଁ କାରଟି ବାଣପୁର ଥାନାରେ ଜବତ ହୋଇ ରହିଛି ତାହା କ୍ରେଟା କାର ନମ୍ବର ଅଟେ । କିନ୍ତୁ ଉକ୍ତ ନମ୍ବର ଥିବା ଆଉ ଏକ କ୍ରେଟା କାର ଶିବାନୀ ଫୁଡ୍ସର ମାଲିକଙ୍କ ସୁନାଖଳା ଘରେ ରହିଛି । ବର୍ତମାନ ପ୍ରଶ୍ନ ଉଠୁଛି ପ୍ରଶାନ୍ତ ଜଗଦ୍ଦେବ କାରରେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ତାହା ସମ୍ପୃକ୍ତ ମାଲିକଙ୍କ ଜ୍ଞାତସାରରେ ପରିବର୍ତ୍ତନ ହୋଇଥିଲା ନା ଏହା ପଛରେ ଅନ୍ୟ କିଛି ଷଡଯନ୍ତ୍ର ରହିଛି ? ଯଦି ଦୁଇଟି ନମ୍ବର ବ୍ୟବହାର ହେଉଥିଲା, ତେବେ କାହିଁକି ହେଉଥିଲା? ଶିବାନୀ ଫୁଡ୍ସ ମାଲିକଙ୍କ ସହ ପ୍ରଶାନ୍ତ ଜଗଦ୍ଦେବଙ୍କ କ’ଣ ସମ୍ପର୍କ? ଏସବୁ ପ୍ରସଙ୍ଗ ଉପରେ ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଛି।

ବାଣପୁରରୁ ଜବତ ହୋଇଥିବା ଗାଡ଼ି।

ଏ ନେଇ ବାଣପୁର ଏସ୍‌ଡିପିଓ ମାନସ ରଂଜନ ବାରିକ କହିଛନ୍ତି ଯେ ଗାଡ଼ିରେ ଜାଲ ନମ୍ବର ବ୍ୟବହାର କରିବା ନେଇ ନୂତନ ମାମଲା ହୋଇନାହିଁ, କିନ୍ତୁ ଏହି ପ୍ରସଙ୍ଗକୁ ୧୨ ତାରିଖ ମାମଲାରେ ସଂପୃକ୍ତ କରାଯାଇଛି । ଆରଟିଓରୁ ତଥ୍ୟ ଆସିନାହିଁ, ତଥ୍ୟ ଆସିବା ପରେ ସମସ୍ତ ଗାଡ଼ିର ମାଲିକଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯିବ । ଏହି ଘଟଣାରେ ପୁଲିସ କୌଣସି ତଥ୍ୟ ଲୁଚାଇବ ନାହିଁ, ଖୁବ୍ ଶୀଘ୍ର ପୁଲିସ ପକ୍ଷରୁ ସମସ୍ତ ତଥ୍ୟ ଗଣମାଧ୍ୟମକୁ ସୂଚାଇ ଦିଆଯିବ ।

ସୁନାଖଲାରେ ଠାବ ହୋଇଥିବା ଗାଡ଼ି।

ସୂଚନାଯୋଗ୍ୟ, ପ୍ରଶାନ୍ତ ଫୁଡ୍ସ ମାଲିକ ତଥା ଓଡି ୦୨ ଏୱାଇ ୫୭୭୫ ନମ୍ବର କ୍ରେଟା ଗାଡ଼ିର ମାଲିକ ରବୀନ୍ଦ୍ର ନାଥ ସୁବୁଦ୍ଧି ନୟାଗଡ଼ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ସଭାପତି ଅଟନ୍ତି । ଏହାସହ ତାଙ୍କ ପରିବାର ଏକାଧିକ ଥର ନିର୍ବାଚିତ ପ୍ରତିନିଧି ଭାବେ ବିଭିନ୍ନ ପଦପଦବୀରେ ରହିଛନ୍ତି । ଏପରି ସ୍ଥଳେ, କାରରେ ଜାଲି ନମ୍ବର ବ୍ୟବହାର ଓ ପୁଲିସର ପରବର୍ତ୍ତୀ ପଦକ୍ଷେପ ନେଇ ଭ୍ରକୁଞ୍ଚନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର