ଚିଲିକାରେ ପ୍ଲେନ୍‌ ଉଡ଼ିବା ଘଟଣା : ରାଜ୍ୟ ଓ କେନ୍ଦ୍ରକୁ ଚିଠି ଲେଖିଲା ଇନ୍‌ଟାକ୍‌

ଭୁବନେଶ୍ୱର : ଚିଲିକାରେ ସି-ପ୍ଲେନ୍‌ ଉଡ଼ାଇବା ପ୍ରସ୍ତାବରେ ପୁନର୍ବିଚାର କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଇନଟାକ୍‌। ଇନଟାକ୍‌ର ରାଜ୍ୟ ଆବାହକ ଏ. ବି ତ୍ରିପାଠୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚିଲିକାର ଜୈବ ବିବିଧତା ବହୁ ସମସ୍ୟା ଭିତରେ ରହିଛି। ତେଣୁ ସେଠାରେ ସି-ପ୍ଲେନ୍‌ ଉଡ଼ାଣ ଆରମ୍ଭ ହେଲେ ଆହୁରି ସମସ୍ୟା ସୃଷ୍ଟି କରିବ। ବିଶେଷକରି ରାମସାର ଅଞ୍ଚଳରେ ଥିବା ଜୈବ ବିବିଧତା ନଷ୍ଟ ହୋଇଯିବ। ନଳବଣ ଓ ଏହାର ଆଖାପଖ ଅଞ୍ଚଳରେ କିଛିବର୍ଷ ହେବ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ଲେନ୍‌ ଉଡ଼ାଣ ହେଲେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଏହାସହ ଚିଲିକା ଉପକୂଳରେ ଗଞ୍ଜାମଠାରୁ ଖୋର୍ଧା ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବତଟ ହାଇେଓ୍ଵ ନିର୍ମାଣକୁ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଇନଟାକ୍‌ର ପ୍ରକଳ୍ପ ସଂଯୋଗ ଅନିଲ ଧୀର କହିଛନ୍ତି, ଯେଉଁଠାରେ ଉପଯୁକ୍ତ ରାସ୍ତା, ବାୟୁ ଓ ଫେରି ସଂଯୋଗ ନ ଥାଏ ସେଠାରେ ସି-ପ୍ଲେନ୍‌ ବ୍ୟବହାର କରାଯାଇଥାଏ। ବିଶ୍ୱସ୍ତରରେ ଏଭଳି ବ୍ୟବସ୍ଥା ଚାଲି ଆସିଛି। ସି-ପ୍ଲେନ୍‌ ମଧ୍ୟ ଗ୍ରାହକଙ୍କ ଦୃଷ୍ଟିରୁ ଲାଭବାନ ହେବ ନାହିଁ। ଗ୍ରାହକଙ୍କୁ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ। ଏହା ବହୁତ ଧୀରେ ଚାଲିବା ସହିତ ସର୍ବାଧିକ ୮/୧୦ ପାସେଞ୍ଜର ନେବାର କ୍ଷମତା ରଖିଥାଏ ବୋଲି ଶ୍ରୀ ଧୀର କହିଛନ୍ତି।

ଇନଟାକ୍‌ର ଅନ୍ୟତମ ସଦସ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି, ସି-ପ୍ଲେନ୍‌ ଉଡ଼ାଣ ପୂର୍ବରୁ ସାମରିକ ମନ୍ତ୍ରଣାଳୟ, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଡିଜିସିଏ, ସିଆରଜି କର୍ତୃପକ୍ଷଙ୍କ ସମେତ ସ୍ଥାନୀୟ ପରିବେଶ ଓ ପ୍ରଦୂଷଣ ବୋର୍ଡର ଅନୁମତି ଆବଶ୍ୟକ। ଚିଲିକାର ଜୈବ ବିବିଧତା ଏବେ ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ସି-ପ୍ଲେନ୍‌ ଉଡ଼ାଣ ଏହାକୁ ଆହୁରି ଅସୁବିଧା ଭିତରକୁ ଠେଲିଦେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏଠାରେ ଉଲ୍ଲେଖ ଯେ, ଚିଲିକାରେ ଏବେ ୪ହଜାରରୁ ଅଧିକ ବୋଟ ଚଳାଚଳ କରୁଛି। ଯାହାକି ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଉଛି। ଚିଲିକାରେ ଥିବା ଡଲଫିନ୍‌ ଓ ପକ୍ଷୀଙ୍କ ପାଇଁ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଥିବା ବେଳେ ଏହାର ଜୈବ ବିବିଧତାକୁ ନଷ୍ଟ ନ କରିବାକୁ ଇନଟାକ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର