ଆରମ୍ଭ ହେଲା ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ

ଭାଗ ନେଲେ ୫୦ରୁ ଊର୍ଧ୍ୱ ଲୋକଦଳ

ଖୋର୍ଧା/ବାଲୁଗାଁ : ଚିଲିକାର ନୀଳ ଜଳରାଶି, ବିଦେଶୀ ପକ୍ଷୀଙ୍କ କଳରବ ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କାହିଁ କେଉଁ ଆବାହମାନ କାଳରୁ କବି, ଲେଖକ, ଚିତ୍ରଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି। ଏହାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଅତୀତରେ ବହୁ ସାହିତ୍ୟ ଗଢ଼ି ଉଠିଥିବା ବେଳେ ଏବେ ମଧ୍ୟ ସେ ଧାରା ଜାରି ରହିଛି। ସେହିପରି କାନଭାସ୍‌ ଉପରେ ଚିଲିକାର ଦୃଶ୍ୟପଟକୁ ବାରମ୍ବାର ଉପସ୍ଥାପନ କରିବା ପରେ ମଧ୍ୟ ସୌନ୍ଦର୍ଯ୍ୟପିପାସୁ ଶିଳ୍ପୀଟିଏ ଆତ୍ମସନ୍ତୋଷ ପାଇନଥାଏ। ଚିଲିକା ସୌନ୍ଦର୍ଯ୍ୟର ବିଶାଳତା ଆଗରେ ତା’ର ଚିତ୍ରଟି ଅଧୁରା ରହି ଯାଉଥିବାରୁ ଶିଳ୍ପୀଟିଏ ମନରେ ଅବସୋସ ରହିଯାଏ। ପ୍ରେରଣାର ସ୍ରୋତ ଏହି ଦ୍ୱିତୀୟ ବୃହତ୍‌ ଲୁଣାହ୍ରଦର ବରକୂଳସ୍ଥିତ ଓଡିଆର୍ଟ ଡକ୍ୟୁମେଣ୍ଟେସନ୍‌ ଓ ରିସର୍ଚ୍ଚ ସେଣ୍ଟରଠାରେ ପ୍ରଥମଥର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ‘ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ’। ଲୋକକଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଊର୍ଧ୍ୱ ଲୋକଦଳ ଭାଗ ନେଇଛନ୍ତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବର ବିଭିନ୍ନ ଦିନରେ ଓଡ଼ିଶାର ଭଦ୍ରକ, ଗଂଜାମ, ବଲାଙ୍ଗୀର, ବ୍ରହ୍ମପୁର ସମେତ ଆସାମ, ପଶ୍ଚିମବଙ୍ଗ, ମଣିପୁର, ତ୍ରିପୁରା, ରାଜ୍ୟର ଲୋକକଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ।

ଚିଲିକା ବିଧାୟକ ଡ. ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ସୂଚନା କମିସନର୍‌ ସତ୍ୟାନନ୍ଦ ମିଶ୍ର (ଆଇଏଏସ୍‌), ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆ, ସ୍ୱଦେଶ ସୁନ୍ଦର ପଟ୍ଟନାୟକ ଏବଂ ‘ପୂର୍ବାସା’ ସଂଗ୍ରହାଳୟର ପରିଚାଳନା ନିର୍ଦେଶକ ପ୍ରସନ୍ନ କୁମାର ଦାସ ଯୋଗଦେଇ ଓଡ଼ିଶାର ସଂସ୍କୃତି, କଳା, ସ୍ଥାପତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନୀନ’ ଆବାହନୀ ସଂଗୀତ ପରିବେଷଣ କରିଥିଲେ।

ଅପରାହ୍‌ଣରୁ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କାଳିଜାଈ ବନ୍ଦନା, ଶୁଭଶ୍ରୀ ଶଙ୍ଖଧ୍ୱନୀ ଅନୁଷ୍ଠାନ ପକ୍ଷରୁ ଚଢ଼େୟା ନୃତ୍ୟ, ପୁରୀ ରଙ୍ଗଶାଳା ଅନୁଷ୍ଠାନ ପକ୍ଷରୁ ସାହିଜାତ, ଆସାମର ରୁପମ୍‌ ଶର୍ମା ଅନୁଷ୍ଠାନ ପକ୍ଷରୁ ବିହୁ ନୃତ୍ୟ ସମେତ ପଶ୍ଚିମବଙ୍ଗ, ମଣିପୁର, ତ୍ରିପୁରାର ବହୁ ଲୋକଦଳ ଏଥିରେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର