ବିବାଦରେ ଫସିଲା ଜଳ ବିମାନ ବନ୍ଦର

ଲୋକପ୍ରତିନିଧି କ୍ଷୁବ୍‌ଧ, ଅସନ୍ତୋଷ ଜଣାଇଲେ ଅନୁଧ୍ୟାନ ପରେ ମତ ରଖିବ ବିଜେଡି

ଭୁବନେଶ୍ୱର: ଚିଲିକାରେ ଓ୍ଵାଟର ଏରୋଡ୍ରମ୍‌ ବା ଜଳ ବିମାନ ବନ୍ଦର ନିର୍ମାଣ ପ୍ରସ୍ତାବକୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଲାଣି। ରାଜ୍ୟ ସରକାର କିମ୍ବା ଶାସକ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ପ୍ରକଳ୍ପ ଦ୍ୱାରା ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିମାନେ ଆଜି ଆପତ୍ତି ଉଠାଇଛନ୍ତି। କେନ୍ଦ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରୋଧ କରିବା ବାହାନାରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି ବୋଲି କହି ବିଜେଡି ଆଡକୁ ପରୋକ୍ଷରେ ଆଙ୍ଗୁଠି ଉଠାଇଛନ୍ତି। ଚିଲିକାରେ ଜଳ ବିମାନବନ୍ଦର ପ୍ରସଙ୍ଗରେ ବ୍ରହ୍ମଗିରି ବିଧାୟକ ସଂଞ୍ଜୟ ଦାସବର୍ମା ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ବର୍ମା କହିଛନ୍ତି, ଏମିତି ଏକ ପ୍ରକଳ୍ପର ପରିକଳ୍ପନା କରି କେନ୍ଦ୍ର ସରକାର ଚିଲିକାକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। କାରଣ, ଚିଲିକା ଜୈବ ବିବିଧତାର ଏକ ବିରାଟ ଉତ୍ସ। ଏଠାରେ ୩୭୫ ପ୍ରକାର ମାଛ, ପ୍ରାୟ ୧୭୦ ଡଲଫିନ୍‌, ୨୩୦ ପ୍ରଜାତିର ବିଭିନ୍ନ ପକ୍ଷୀ, ୧୫ ବର୍ଗ କିଲୋମିଟର ପରିବ୍ୟାପ୍ତ ହୋଇଥିବା ନଳବଣରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ରହୁଛନ୍ତି। ଏଭଳି ଏକ ସ୍ଥାନରେ ପର୍ଯ୍ୟଟନ ବିକାଶ ଆଳରେ ଜଳ ବିମାନବନ୍ଦର ହେଲେ ଏ ସମସ୍ତ ପ୍ରାକୃତିକ ବ୍ୟବସ୍ଥା ସନ୍ତୁଳନ ହରାଇବା ଆଶଙ୍କାକୁ ଏଡାଇ ହେବ ନାହିଁ। ବିମାନର କମ୍ପନରେ ମାଛ ତଥା ପକ୍ଷୀମାନେ ଅସୁବିଧାରେ ପଡିବେ। ବିଦେଶୀ ପକ୍ଷୀ ଆଉ ଚିଲିକା ନ ମାଡ଼ିପାରନ୍ତି।

ଚିଲିକା ଜୈବ ବିବିଧତାକୁ ବିପଦ
କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଏହି ପ୍ରକଳ୍ପ ଦ୍ୱାରା ଚିଲିକା ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୨ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଭୁଶୁଡି ପଡିବ। ସେମାନେ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯିବେ। ପୂର୍ବରୁ ବାଲି ହରଚଣ୍ଡି ଠାରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପ ନିର୍ମାଣ ବାତିଲ୍‌ ହୋଇଛି। ଏଥିପାଇଁ ଆବଶ୍ୟକ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଚିଲିକାର ଜୈବ ବିଧତତାକୁ ପ୍ରଭାବିତ କରୁଥିବା କୌଣସି ପ୍ରକଳ୍ପ କରାଯିବା ଅନୁଚିତ। ବିଶ୍ୱର ପ୍ରାକୃତିକ ଜୈବ ବିବିଧତାର ଉତ୍ସ ଚିଲିକାକୁ ପ୍ରଭାବିତ କରି ବିମାନ ଉଡାଇବା କିଛି ଆବଶ୍ୟକ ନାହିଁ। ସେହିପରି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଏ ବାବଦରେ ଆମ ପାଖରେ କୌଣସି ତଥ୍ୟ ନାହିଁ। ଯଦି ଏଭଳି କିଛି ପ୍ରକଳ୍ପ ହୁଏ ଯାହା ଜୈବ ବିବିଧତାକୁ ପ୍ରଭାବିତ କରିବ ତେବେ କେନ୍ଦ୍ର ସରକାର ବିଚାର ବିମର୍ଶ କରିବା ଦରକାର। ବିଜେଡି ମୁଖପାତ୍ର ମାନସ ମଙ୍ଗରାଜ କହିଛନ୍ତି ଚିଲିକା ସଂପର୍କରେ ଯେଉଁସବୁ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ସଂପୃକ୍ତ ନେତାମାନଙ୍କ ବ୍ୟକ୍ତିଗତ ମତ। ରାଜ୍ୟର ବିକାଶ ପାଇଁ ବିଜେଡି ବଦ୍ଧପରିକର। ତେବେ ଚିଲିକା ଏସିଆରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି। ଚିଲିକାର ଜୈବ ବିବିଧିତା କୌଣସି ପ୍ରକାରେ ବି ପ୍ରଭାବିତ ହେବା ଉଚିତ୍‌ ନୁହେଁ। ଏ ନେଇ ବିସ୍ତତ ରିପୋର୍ଟ ମିଳିବା ପରେ ଦଳ ବିଧିବଦ୍ଧ ଭାବେ ତାର ମତାମତ ରଖିବ। ସେପଟେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଏହି ପ୍ରକଳ୍ପ ହେଲେ ଚିଲିକା ଜୈବ ବିବିଧତାରେ ଅସନ୍ତୁଳନ ଦେଖାଦେବ। ପାରମ୍ପରିକ ମତ୍ସ୍ୟଜୀବୀ ଜୀବିକା ହରାଇବେ। ଚିଲିକାକୁ ଆଉ ପକ୍ଷୀ ଆସିବେ ନାହିଁ, ଡଲଫିନ୍‌ ବି ଲୋପ ପାଇଯିବେ। ଏହାକୁ ଦଳ ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଳାଇବ। କେନ୍ଦ୍ରୀୟ ମତ୍ସ୍ୟଜୀବୀ ସମବାୟ ସମିତି ନିର୍ଦେଶକ ତଥା ଚିଲିକା କୈବର୍ତ୍ତ ଯୁବ ମଞ୍ଚ ସଭାପତି ଦିଲୀପ କୁମାର ବେହେରା ମଧ୍ୟ ଏହାକୁ ବିରୋଧ କରିଛନ୍ତିି। ଏହା ଫଳରେ ଚିଲିକାର ଜୈବ ବିବିଧତା ନଷ୍ଟ ହେବା ସହିତ ପକ୍ଷୀ, ମାଛ, ଚିଙ୍ଗୁଡ଼ ସଂପଦ କ୍ଷତିଗ୍ରସ୍ତ ହେବ ବୋଲି ସେ ଅଭିଯୋଗ କରିଛନ୍ତିି। ତେବେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ଯୁବପିଢିଙ୍କୁ ନିଯୁକ୍ତି ମିଳିବ। ଏହାସହ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ଜୈବ ବିବିଧତାକୁ ନେଇ ଯେଉଁ ତର୍କ ଉଠୁଛି ,ତାକୁ ନେଇ କେନ୍ଦ୍ର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। ସେମାନେ ଚିଲିକାର ଜୈବ ବିବିଧତାକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ।

ଉଲ୍ଲେଖଯୋଗ୍ୟ, ଚିଲିକାରେ ଜଳ ବିମାନବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅନୁମତି ଦେଇଛନ୍ତି। ଏଭଳି ଆଉ ଦୁଇଟି ପ୍ରକଳ୍ପ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଓ ସାବରମତୀ ରିଭର ଫ୍ରଣ୍ଟରେ ମଧ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର