ପୁରୀ : ନିଳାମ୍ବୁ ଚିଲିକାର ଜଳରାଶିରେ ଇରାୱାଡି ଡଲ୍ଫିନ ଦେଖାଦେବା ପ୍ରକୃତିର ଏକ ବିରଳ ସୃଷ୍ଟି। କିନ୍ତୁ ଦୁର୍ଭାଗ୍ୟର ବିଷୟ, କ୍ରମାଗତ ଏମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୫ ବର୍ଷର ତଥ୍ୟ ଦେଖିଲେ, ୪୦ରୁ ଅଧିକ ଇରାୱାଡି ଡଲ୍ଫିନ ଆଖି ବୁଜିଲେଣି। ମାଛ ମାରିବା ପାଇଁ ବ୍ୟବହୃତ ନାଇଲନ୍ ଜାଲ, ଯନ୍ତ୍ରଚାଳିତ ଡଙ୍ଗା ଏହାର ପ୍ରମୁଖ କାରଣ ସାଜିଛି।
୨୦୧୫ ମସିହା ପୂର୍ବରୁ ଚିଲିକାର କର୍ତ୍ତୃତ୍ବ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନ ଥିଲା। ୨୦୧୫ ମସିହା ପରଠାରୁ ଚିଲିକା ବନ୍ୟାପ୍ରାଣୀ ଡିଭିଜନ୍ ଡଲ୍ଫିନ, ପଶୁପକ୍ଷୀଙ୍କ କଥା ବୁଝୁଛି। ଇରାୱାଡି ଡଲ୍ଫିନ ପୂରା ଚିଲିକାରେ ଘୁରି ବୁଲୁଥିଲେ ବି ଏମାନଙ୍କ ଅଧିକ ଚଳପ୍ରଚଳ ସାତପଡ଼ା ବନାଞ୍ଚଳର ସିଜୁଆ ନାଳ, ମହିଷା ତଳି ଚିଲିକା, ବରୁଣେଇ ଚ୍ୟାନେଲ୍ ଆଦି ଅଞ୍ଚଳରେ ଦେଖିବାକୁ ମିଳେ। ଏଣୁ ଏହି ଅଞ୍ଚଳକୁ ଡଲ୍ଫିନ ଅଭୟାରଣ୍ୟ କରିବାକୁ ବି ଯୋଜନା କରାଯାଇଥିଲା। କିନ୍ତୁ ଏହା ପ୍ରସ୍ତାବରେ ଅଟକି ରହିଛି। ଯଦ୍ବାରା ସୁରକ୍ଷା ଅଭାବରୁ ଡଲ୍ଫିନ୍ଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ୨୦୧୫ ମସିହା ପୂର୍ବର ତଥ୍ୟ ଉପରେ ନଜର ପକାଇଲେ, ସେ ସମୟରେ ପ୍ରତିବର୍ଷ ଗଣନାରୁ ଚିଲିକାରେ ଇରାୱାଡି ଡଲ୍ଫିନ୍ଙ୍କ ସଂଖ୍ୟା ୧୩୫ରୁ ୧୪୨ ମଧ୍ୟରେ ରହୁଥିଲା। ଡଲ୍ଫିନ୍ଙ୍କ ସଂଖ୍ୟା ଦେଖିଲେ ପ୍ରତିବର୍ଷ ଏମନେଙ୍କ ସଂଖ୍ୟା ୪/୫କମ୍ ବେଶି ହେଉଥିଲା। କିନ୍ତୁ ପ୍ରତିବର୍ଷ ୭/୮ଟି ଡଲ୍ଫିନ ମୃତ୍ୟୁମୁଖରେ ପଡ଼ୁଥିଲେ। ଏବେ ବି ଏହି ଦଶା ଜାରି ରହିଛି।
ଜୀବିତଙ୍କ ଦେହରେ ମାତ୍ରାଧିକ କଟା ଦାଗ
ସ୍ଥାଣୁ ପାଲଟିଛି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍
୨୦୧୫ ପୂର୍ବର ୩ ବର୍ଷର ତଥ୍ୟ ଅନୁଯାୟୀ ଯଥାକ୍ରମେ ୧୩୫, ୧୪୦ ଓ ୧୪୨ଟି ଇରାୱାଡି ଡଲ୍ଫିନ ଚିଲିକାରେ ଥିଲା। ୨୦୧୫ ପରେ ବନ୍ୟପ୍ରାଣୀ ବିଭାଗ ଦାୟିତ୍ବ ନେବା ପରେ ଇରାୱାଡି ଡଲ୍ଫିନ୍ ସଂଖ୍ୟା ୧୬୨ରେ ପହଞ୍ଚିଛି। ଗତ ବର୍ଷ ବନ୍ୟପ୍ରାଣୀ ବିଭାଗ ଗଣନାରୁ ୧୬୨ଟି ଡଲ୍ଫିନ୍ ଚିଲିକାରେ ଥିବା ଜଣାପଡ଼ିଥିଲା। ସେହିଭଳି ୨୦୧୯ ମସିହାରେ ୧୫୨ଟି ଓ ୨୦୨୦ ମସିହାରେ ୧୫୮ଟି ଡଲ୍ଫିନ୍ ଥିବା ବନ୍ୟପ୍ରାଣୀ ବିଭାଗ ଗଣନାରୁ ଜଣାପଡ଼ିଥିଲା। କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ଅବନତି ଦେଖିବାକୁ ମିଳିନାହିଁ। ଯଦି ଚଳିତବର୍ଷ କଥା ଦେଖାଯାଏ, ଜାନୁଆରିରୁ ଡିସେମ୍ବର ଭିତରେ ୧୦ଟି ଇରାୱାଡି ଡଲ୍ଫିନର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ରିପୋର୍ଟ ଆସିଛି। ବାକି ଯେଉଁମାନେ ପଚିଶଢ଼ି ଯାଉଛନ୍ତି, ସେମାନଙ୍କ ବ୍ୟବଚ୍ଛେଦ ସମ୍ଭବ ହେଉନି।
ପରିବେଶବିତ୍ଙ୍କ ମତରେ, ଇରାୱାଡି ଡଲ୍ଫିନ୍ ଚିଲିକାରେ ଦେଖାଯିବା, ପ୍ରକୃତିର ଏକ ବିରଳ ବ୍ୟତିକ୍ରମ। ଏମାନେ ଆମର ପରିଚୟ। ଦେଶବିଦେଶରେ ଆଜି ଇରାୱାଡି ଡଲ୍ଫିନ୍ କହିଲେ, ସମସ୍ତେ ଚିଲିକା କଥା ମନେ ପକାଉଛନ୍ତି। କିନ୍ତୁ ସେମାନଙ୍କୁ ଯେଉଁଭଳି ସୁରକ୍ଷା ଦିଆଯିବା କଥା ତାହା ପର୍ଯ୍ୟାପ୍ତ ହେଉନି। ଏବେ ବି ଏମାନଙ୍କ ବିଚରଣ ସ୍ଥାନରେ ବୋଟ୍ଚାଳିତ ଡଙ୍ଗା ଅବାଧ ଚଳପ୍ରଚଳ କରୁଛି। ଅମାନିଆ ମତ୍ସ୍ୟଜୀବୀମାନେ ନାଇଲନ୍ ଜାଲ ବ୍ୟବହାର କରି ଚିଲିକାରେ ମାଛ ମାରୁଛନ୍ତି। ଜାଲରେ ପଡ଼ି ଅନେକ ସମୟରେ ଅଣନିଃଶ୍ବାସୀ ହୋଇ ଡଲ୍ଫିନ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବାକି ଯେଉଁମାନେ ବୋଟ୍ଚାଳିତ ଡଙ୍ଗାର ପଙ୍ଖାରେ ମାଡ଼ ହେଉଛନ୍ତି, ସେମାନେ ଖଣ୍ଡିଆଖାବରା ହୋଇ ଛଟପଟ ହୋଇ ମରୁଛନ୍ତି। ଏହାକୁ ଗୁରୁତ୍ବର ସହ ବିଚାର କରାଯିବା ଦରକାର।
ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ଦାୟିତ୍ବରେ ଥିବା ପି. ରାମାସ୍ବାମୀ କହିଛନ୍ତି, ଡଲ୍ଫିନ୍ଙ୍କ ଉପରେ ନଜର ରଖିବା ପାଇଁ ଆମର ସ୍ବତନ୍ତ୍ର ଡଲ୍ଫିନ ସ୍କ୍ବାଡ୍ ରହିଛନ୍ତି। ଏମାନେ ନିୟମିତ ପାଟ୍ରୋଲିଂ କରୁଛନ୍ତି। ବାକି ଡଲ୍ଫିନ୍ଙ୍କ ଦେହରେ ଦାଗ ସମ୍ପର୍କରେ ମୁଁ ଜାଣିନି। ଏହାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାମସ୍ବାମୀ କହିଛନ୍ତି।