ଚୀନର ପାରା ଓଡ଼ିଶାରେ! ଗୋଡ଼ରେ ଲାଗିଛି ଚାଇନିଜ୍‌ ଭାଷାରେ ଲିଖିତ ମୁଦି

ରାଉରକେଲା: କାଂଶବାହାଲରେ ଆଜି ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ମୁଦି ରହିଛି। ମୁଦି ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ମୁଦିରେ ଇଂରାଜୀରେ କ୍ରମିକ ସଂଖ୍ୟା(ସିରିଏଲ୍‌ ନମ୍ବର) ବି ଉଲ୍ଲେଖ ହୋଇଛି। ଚାଇନିଜ୍‌ ଭାଷାରେ ଲିଖିତ ମୁଦି ଯୋଗୁଁ ଏହି ପାରା ଚୀନର ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏହି ପାରା କାଂଶବାହାଲକୁ ଆସିଲା କେମିତି? ଗୋଡ଼ରେ ଲାଗିଥିବା ମୁଦି କୌଣସି ଗୁପ୍ତ ବାର୍ତ୍ତା ବହନ କରୁନି ତ? ଗୁପ୍ତଚର କାର୍ଯ୍ୟ ପାଇଁ ଏହା କୌଣସି ଶତ୍ରୁ ଦେଶର ଷଡ଼ଯନ୍ତ୍ର ନୁହେଁ ତ? ଏଭଳି ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏନେଇ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି।

କାଂଶବାହାଲରେ ସପରିବାର ବାସ କରନ୍ତି ସବ‌େର୍ଶ୍ବର ଛୋଟରାୟ। ଆଜି ସଂନ୍ଧ୍ୟାରେ ଏକ ପାରା ଘର ଭିତରକୁ ପଶିଆସିଥିଲା। ପାରାକୁ ଉଦ୍ଧାର କରିବାକୁ ପରିବାର ସଦସ୍ୟ ପ୍ରୟାସ କରିଥିଲେ। କିଛି ସମୟପରେ ପାରାକୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ଉକ୍ତ ପାରା ଗୋଡ଼ରେ ଚୀନ ଟ୍ୟାଗ୍‌ ଥିବା ଏକ ମୁଦି ଲାଗିଥିବା ଦେଖିବାକୁ ପାଇଥିଲେ। ଉକ୍ତ ମୁଦି ଭିତରେ ଅଜଣା ଯନ୍ତ୍ର ଥିବା ସନ୍ଦେହ ପ୍ରକାଶ କରିଥିଲେ। ଏଣୁ ତାଙ୍କୁ ସୁରକ୍ଷିତଭାବେ ଅନ୍ୟତ୍ର ରଖାଯାଇଛି। ଏହି ଖବର ଚାରିଆଡ଼େ ପ୍ରଚାରି ହେବାପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ପାରାକୁ ଆଜି ମଧ୍ୟାହ୍ନ ସମୟରେ କିଛି ଲୋକ ଦେଖିବାକୁ ପାଇଥିଲେ। ତେବେ ଗୋଡ଼ରେ କ’ଣ ଲାଗିଥିବା ଭାବି ଗୁରୁତ୍ବ ଦେଇନଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର