ଭୁବନେଶ୍ବର : ଚୀନ୍ରେ ଆତଙ୍କ ଖେଳାଇଥିବା କରୋନାର ଓମିକ୍ରନ୍ ବିଏଫ୍.୭ ପ୍ରଜାତି ଓଡ଼ିଶାରେ ଚିହ୍ନଟ ହୋଇଛି। ଖୋର୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ସଂପୃକ୍ତ ମହିଳାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ଜିନ୍ ଅନୁଶୀଳନ ପରେ ତାଙ୍କଠାରେ ବିଏଫ୍.୭ ଭୂତାଣୁ ରହିଥିବା ନଜରକୁ ଆସିଥିଲା। ତେବେ ଗତ ୩ମାସ ଭିତରେ ରାଜ୍ୟରେ ଆଉ କୌଣସି ବ୍ୟକ୍ତି ଏହି ନୂଆ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାରେ ଜଣେ ଓ ଗୁଜରାଟରେ ୨ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ୩ଜଣ ବିଏଫ୍.୭ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସଂପୃକ୍ତ ମହିଳାଙ୍କ ଜିନ୍ ଅନୁଶୀଳନ କରାଯାଇଥିଲା। ଏଥିରେ ସଂପୃକ୍ତ ମହିଳା ବିଏଫ୍.୭ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କର କୌଣସି ଲକ୍ଷଣ ନ ଥିବା ବେଳେ ଆମେରିକା ଯିବା ପାଇଁ ସେ ଏହି ପରୀକ୍ଷା କରିଥିଲେ। ଗତ ଅକ୍ଟୋବର ମାସରୁ ସେ ଓ ତାଙ୍କ ପରିବାର ଆମେରିକାରେ ଅଛନ୍ତି। ସେମାନଙ୍କ ନିକଟରେ ଫ୍ଲୁ ଭଳି କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।
ଅପରପକ୍ଷରେ ଚୀନ୍, ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ କୋଭିଡ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ ସତର୍କ ରହିବା ଲାଗି ସବୁ ଜିଲ୍ଲା ସିଡିଏମ୍ଓ, ମେଡିକାଲ କଲେଜ ଅଧ୍ୟକ୍ଷ ଓ ସମସ୍ତ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଏସବୁ ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟକୁ ଏଥିପାଇଁ ସତର୍କ ରହିବାକୁ ହେବ। ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ, ଟିକାକରଣ ଓ କୋଭିଡ ନିୟମାବଳୀକୁ ପାଳନ କରିବା ଜରୁରୀ।
ତେବେ ଆସନ୍ତା ମାସରେ ଓଡ଼ିଶାରେ ହକି ବିଶ୍ବକପ୍ ହେବାକୁ ଯାଉଛି। ରାଜ୍ୟରେ ଓମିକ୍ରନ୍ ବିଏଫ୍.୭ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଆସନ୍ତା ୨୩ ତାରିଖରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ହକି ବିଶ୍ବକପ୍ରେ କରୋନାର କ’ଣ ପ୍ରଭାବ ରହିବ ତାହା ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ହକି ବିଶ୍ବକପରେ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ଓମିକ୍ରନ୍ ବିଏଫ୍.୭ ର ଲକ୍ଷଣ :
ବିଶେଷଜ୍ଞଙ୍କ ମତରେ କରୋନାର ଏହି ନୂଆ ପ୍ରଜାତିରେ ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣ ଦେଖିବାକୁ ମିଳିଥିଲା ତାହା ସମାନ ରହିଛି। ଜ୍ବର, କାଶ, ଗଳା ଦରଜ ଓ ନାକରୁ ପାଣି ଗଳିବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ତେବେ କୌଣସି ବ୍ୟକ୍ତି ଯଦି ତୃତୀୟ କିମ୍ବା ଚତୁର୍ଥ ଡୋଜ୍ ଟିକା ନେଇଥାନ୍ତି ତାହାଲେ ସେମାନେ ସୁରକ୍ଷିତ ରହିବେ। ବିଏଫ୍.୭ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ଲକ୍ଷଣବିହୀନ ରହିଥିଲେ ବି ୧୦-୧୮ଜଣ ପର୍ଯ୍ୟନ୍ତ ଲୋକଙ୍କୁ ସଂକ୍ରମିତ କରିପାରିବେ। ତେଣୁ କୋଭିଡ ନିୟମାବଳୀକୁ ମାନିବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।