ଡିସେମ୍ବର ୩ରୁ ଚିନ୍ମୟ ହନୁମତ ମହୋତ୍ସବ

କଟକ ବାଲିଯାତ୍ରା ପଡ଼ିଆରେ ୮ ଦିନ ଧରି ଚାଲିବ

ସାମିଲ୍‌ ହେବେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର : ଡିସେମ୍ବର ୩ରୁ ଚିନ୍ମୟ ମିସନ ଆନୁକୂଲ୍ୟରେ କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଚିନ୍ମୟ ହନୁମତ ମହୋତ୍ସବ। ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗୁରୁଜୀ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ଜ୍ଞାନ ଯଜ୍ଞ ରୂପେ ସନ୍ଥ ତୁଳସୀ ଦାସ ରଚିତ ହନୁମାନ ଚାଳିଶା ଉପରେ ପ୍ରବଚନ ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରବଚନ ଚାଲିବ ବୋଲି ଆଜି ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।

ସେ କହିଥିଲେ ଯେ ଡିସେମ୍ବର ୨ ଅପରାହ୍ଣ ୪ଟା ବେଳେ ତିନିକୋଣିଆ ବଗିଚାଠାରୁ ଏକ ବିଶାଳ କଳସ ଶୋଭାଯାତ୍ରା ବାହାରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିବ। ୩ ତାରିଖ ସନ୍ଧ୍ୟା ୫ଟା ୩୦ରେ ମହୋତ୍ସବ ଉଦ୍‌ଘାଟିତ ହେବ। ଦିବ୍ୟ ଜୀବନ ସଂଘ ମୁଖ୍ୟ କାର୍ଯ୍ୟାଳୟର ଉପସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ମହୋତ୍ସବକୁ ଉଦ୍‌ଘାଟନ କରିବେ। କଟକସ୍ଥିତ ଶ୍ରୁତି ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ସ୍ୱାମୀ ନିଜାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ। ଉଦ୍‌ଘାଟନୀ ଉତ୍ସବ ପରେ ଚିନ୍ମୟ ମିସନର ପ୍ରମୁଖ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମହାରାଜ ପ୍ରବଚନ ପ୍ର୍ରଦାନ ଦେବେ। ଡିସେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ୧୦୮ ନାମ ସହ ହନୁମାନଙ୍କ ପୂଜା ପରେ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଭଗବତ୍‌ ଗୀତାର ଭକ୍ତିଯୋଗ ଉପରେ ପ୍ରବଚନ ଅନୁଷ୍ଠିତ ହେବ। ଏହାପରେ ଉପସ୍ଥିତ ଜନସାଧାରଣଙ୍କ ପାଇଁ ହନୁମାନ ଚାଳିଶା ପାଠର ବ୍ୟବସ୍ଥା ରହିଛି। ଅପରାହ୍ନରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିଶିଷ୍ଟ ବକ୍ତାମାନେ ଉଦ୍‌ବୋଧନ ଦେବେ।

୪ ତାରିଖ ସନ୍ଧ୍ୟାରେ ସ୍ୱମୀ ମାଧବାନନ୍ଦ ସରସ୍ୱତୀ ମହାରାଜଙ୍କ ସହ ନାଲକୋ ସିଏମ୍‌ଡି ତପନ ଚାନ୍ଦ, ଜାଗି ମଙ୍ଗତ ପଣ୍ଡା ଯୋଗଦେବେ। ୫ ତାରିଖରେ ସ୍ୱାମୀ ନିଭମାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ହରେକୃଷ୍ଠ ଶତପଥୀ, ଗୋପାଳ ମହାପାତ୍ର, ୬ରେ ରାଉରକେଲା ଚିନ୍ମୟ ମିସନର ଆଚାର୍ଯ୍ୟ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଡିଏଭି ସ୍କୁଲର ଆଞ୍ଚଳିକ ନିର୍ଦେଶକ କେଶବ ଶତପଥୀ, ୭ରେ ସ୍ୱାମୀ ସର୍ବପ୍ରିୟାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯର୍୍ୟ, ନିରଞ୍ଜନ ରଥ, ୮ରେ ସ୍ୱାମୀ ତେଜୋମାୟାନନ୍ଦ ସରସ୍ୱତୀ ମହାରାଜ, ୯ରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିରେ କଟକରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ସାମିଲ କରାଯିବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ମିସନର ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ଡ. କିସନ୍‌ଲାଲ୍‌ ଭରତିଆ, ସ୍ୱାମୀନୀ ରୁତୁଜାନନ୍ଦ, ସ୍ୱାମୀ ଜଗଦୀସାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର