ଶ୍ରୀହନୁମାନ ବଳ, ବୁଦ୍ଧି, ବିଦ୍ୟାର ପ୍ରତୀକ

ଚିନ୍ମୟ ହନୁମତ୍‌ ମହୋତ୍ସବର ଦ୍ୱିତୀୟ ଦିବସ

କଟକ : ଶ୍ରୀହନୁମାନ ବଳ, ବୁଦ୍ଧି, ବିଦ୍ୟାର ପ୍ରତୀକ। ତାଙ୍କ ଆରାଧନା ବଳରେ ମଣିଷ ଆଧ୍ୟାତ୍ମିକ ବଳ, ବିଚାର କରିବାର ବୁଦ୍ଧି ସମେତ ଆତ୍ମବିଦ୍ୟାର ଅଧିକାରୀ ହୋଇଥାଏ। ହନୁମାନ ହିଁ ଅବିଦ୍ୟା, ହିଂସା, ଅଭିମାନ, ରାଗ ଆଦି କ୍ଲେସ୍‌ ଦୂର କରି ଈଶ୍ୱରୀୟ ଚେତନା ପ୍ରଦାନ କରିଥାନ୍ତି ବୋଲି ଆନ୍ତର୍ଜାତୀକ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି। ବିଶ୍ୱରେ କେବଳ ଭଗବାନ ଓ ଭକ୍ତ ହିଁ ସୁନ୍ଦର। ସୁନ୍ଦର ଶବ୍ଦ କେବଳ ହନୁମାନଙ୍କ ପାଇଁ ଉପଯୁକ୍ତ। ହନୁମାନଙ୍କଠାରେ ବୀରର ପାଞ୍ଚଟି ଲକ୍ଷଣ ଥିବାରୁ ସେ ମହାବୀର ଏବଂ ଶ୍ରୀରାମଙ୍କ ପରମ ସେବକ ହେତୁ ସେ ରାମଦୂତ ବୋଲି ସ୍ୱାମୀଜୀ ବର୍ଣ୍ଣନା କରିିଥିଲେ। ଅନ୍ୟର ସେବା କରିବା ବେଳେ ନମ୍ରତା ଓ ସେବା ଗ୍ରହଣ ବେଳେ କୃତଜ୍ଞତା ପ୍ରକାଶ କରିବା ହିଁ ଆଧ୍ୟାତ୍ମିକତା। ଏ ସମସ୍ତ ଗୁଣର ଅଧିକାରୀ ପବନସୁତ ହନୁମାନ ବୋଲି ସ୍ୱାମୀଜୀ କହିଥିଲେ। ହନୁମାନଙ୍କ ଉପାସନା କରି ମଣିଷ କିଛି କିଛି ଗୁଣ ଗ୍ରହଣ କଲେ ଜୀବନ ବଦଳିଯିବ ବୋଲି ଚିନ୍ମୟ ହନୁମତ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ପରାମର୍ଶ ଦେଇଥିଲେ।

ଚିନ୍ମୟ ମିଶନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମତ୍‌ ମହୋତ୍ସବ ଅବସରରେ ଆଜି ସକାଳେ ହନୁମାନ ଚାଳିଶା ପାଠ ହୋଇଥିଲା। ପରେ ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଭାଗବତ ଗୀତାର ଭକ୍ତିଯୋଗ ଉପରେ ପ୍ରବଚନ ପ୍ରଦାନ କରିଥିଲେ। ସକାଳ ୮ଟାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଫେସର ଡକ୍ଟର ସତ୍ୟବ୍ରତ ମୀନକେତନ ମୁଖ୍ୟ ଅତିଥି, ବରିଷ୍ଠ ଅଧିକାରୀ ମଞ୍ଜୁ ରାୟ ସମ୍ମାନିତ ଅତିଥି, ଚିନ୍ମୟ ମିଶନ ରାଞ୍ଚିର ଆଚାର୍ଯ୍ୟ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ମାନବ ସେବା ହିଁ ମାଧବ ସେବା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜାବଗିଚା ଡିଏଭି, ସିଡିଏ ଡିଏଭି, ଗୁରୁନାନକ ପବ୍ଲିକ୍‌ ସ୍କୁଲ, ବାରବାଟୀ ଷ୍ଟାଡିୟମ ସେଣ୍ଟ ଜାଭିୟର ହାଇସ୍କୁଲର ୪ହଜାରରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ମହୋତ୍ସବ କମିଟି ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଅଗ୍ରଓ୍ଵାଲ, ସ୍ୱାମୀ କେବଳାନନ୍ଦ ସରସ୍ୱତୀ, ସ୍ୱାମୀ କୃଷ୍ଣପ୍ରେମାନନ୍ଦ, ସ୍ୱାମୀ ସର୍ବପ୍ରିୟାନନ୍ଦ, ସ୍ୱାମୀ ନିଗମାନନ୍ଦ, ସ୍ୱାମୀ ଅମୀୟନନ୍ଦ, ସ୍ୱାମୀ ଜଗଦୀଶାନନ୍ଦ, ବ୍ରହ୍ମଚାରୀ ଗର୍ଗ ଚୈତନ୍ୟ, ବ୍ରହ୍ମଚାରୀ ଜନାର୍ଦ୍ଦନା, ବ୍ରହ୍ମଚାରୀ ଅନୁରାଗ, ସଂଗ୍ରାମ କେଶରୀ କରଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ।

ସମ୍ବନ୍ଧିତ ଖବର