ଶୃଙ୍ଖଳା, ସମର୍ପଣ ସଫଳତାର ମୂଳମନ୍ତ୍ର: ସୌମ୍ୟରଂଜନ

ଚିନ୍ମୟ ହନୁମତ୍‌ ମହୋତ୍ସବର ଚତୁର୍ଥ ଦିବସ

କଟକ : ବାପ-ମା’ଙ୍କ ମାଧ୍ୟମରେ ଭଗବାନ ତୁମକୁ ଏ ପୃଥିବୀକୁ ପଠାଇଛନ୍ତି। ବାପ-ମା’ଙ୍କୁ ଶ୍ରଦ୍ଧା ଓ ଭକ୍ତି କର। ସେମାନେ ସନ୍ତୁଷ୍ଟ ହେଲେ ସଫଳତା ମିଳିବ। ସେମାନଙ୍କ ଆଶୀର୍ବାଦ କରାୟତ କରିପାରିଲେ ତୁମଠାରେ ହନୁମାନଙ୍କ ଶକ୍ତି ସୃଷ୍ଟି ହେବ। ପ୍ରବୃତ୍ତି ଅନୁସାରେ ବୃତ୍ତି ଚୟନ କର। ଉତ୍କର୍ଷତା ପାଇବ। ଦିନକୁ ଅତିକମ୍‌ରେ ଘଣ୍ଟାଟିଏ ଅନ୍ୟମାନଙ୍କ ପାଇଁ ଅର୍ପଣ କର। ମା, ମାଟି, ମାତୃଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କର। ଶୃଙ୍ଖଳିତ ଓ ସମର୍ପିତ ଭାବେ କାର୍ଯ୍ୟ କର। ସଫଳତା ତୁମ ଚରଣ ସ୍ପର୍ଶ କରିବ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମତ ମହୋତ୍ସବର ଚତୁର୍ଥ ଦିବସରେ ଆଜି ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଆୟୋଜିତ ‘ସଫଳତାର ଚାବିକାଠି’ ଶୀର୍ଷକ ବିଷୟ ଉପରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଏହିଭଳି ଉତ୍ସବ ବ୍ୟକ୍ତିର ସାମର୍ଥ୍ୟକୁ ଆବିଷ୍କାର କରିଥାଏ। ହନୁମାନ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ଥିଲେ। ଶୃଙ୍ଖଳା, ସମର୍ପିତ ଭାବ ପାଇଁ ସେ ବିଶ୍ୱବନ୍ଦିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ୧୮ବର୍ଷ ପୂରିବା ପରେ ଅହଂକାରଶୂନ୍ୟ ଭାବେ ରକ୍ତଦାନ କରିବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡିଏଭି ସ୍କୁଲ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶପପଥୀ ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାର ଉପାୟ କହିଥିଲେ। ବିଦ୍ୟାର୍ଥୀମାନେ ସତ୍ୟବାଦୀ, ଈଶ୍ୱରବିଶ୍ୱାସୀ, ଆତ୍ମବିଶ୍ୱାସୀ ହେବା ସହିତ ଲକ୍ଷ୍ୟ ସ୍ଥିର କରି ଏକନିଷ୍ଠ ଭାବେ କାର୍ଯ୍ୟମନସ୍କ ହେଲେ ସଫଳତା ନିଶ୍ଚୟ ମିଳିବ ବୋଲି ଡକ୍ଟର ଶତପଥୀ କହିଥିଲେ। ରାଉରକେଲା ଚିନ୍ମୟ ମିଶନ ଆଚାର୍ଯ୍ୟ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ କହିଲେ ଯେ ଭକ୍ତି, କର୍ମ, ଜ୍ଞାନ ହିଁ ସଫଳତା ପ୍ରଦାନ କରିଥାଏ। ହନୁମାନଜୀ ଏ ସମସ୍ତ ଗୁଣର ଅଧିକାରୀ ହୋଇଥିବାରୁ ତାଙ୍କ ଉପାସନାରୁ ପ୍ରେରଣା ମିଳିଥାଏ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ। ସମାରୋହରେ ସିିଡିଏ ଡିଏଭି, ରାଜାବଗିଚା ଡିିଏଭି, ଗଣ୍ଡରପୁର ଏଲ୍‌ଆର୍‌ ଡିଏଭି, ତୁଳସୀପୁର ସରସ୍ୱତୀ ଶିଶୁମନ୍ଦିରର ୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପର୍ବାହ୍‌ଣରେ ୧୦୮ହନୁମାନ ଚାଳିଶ ପଠନ ପରେ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଗୀତାର ଭକ୍ତିଯୋଗ ଉପରେ ପ୍ରବଚନ ଦେଇଥିଲେ।

ଚତୁର୍ଥ ସଂଧ୍ୟାରେ ଆନ୍ତର୍ଜାତିକ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମହାରାଜ ହନୁମାନଙ୍କ ଗୁଣାବଳୀ ଉପରେ ପ୍ରବଚନ ଦେଇ କହିଲେ, ଜଗତର ସକଳ ଅସମ୍ଭବ କାର୍ଯ୍ୟ ଭଗବାନଙ୍କ ନାମ ସ୍ମରଣରେ ସହଜ ଓ ସରଳ ହୋଇଯାଏ। ତାଙ୍କ କୃପା ଅସମ୍ଭବକୁ ସମ୍ଭବ କରିଥାଏ। କିନ୍ତୁ ଭଗବତ ପ୍ରାପ୍ତ ପାଇଁ ଆମେ ଦୃଢ଼ ସଂକଳ୍ପ ନେବା ଦରକାର। ସମାରୋହକୁ ମହୋତ୍ସବ କମିଟି ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଅଗ୍ରଓ୍ଵାଲଙ୍କ ସମେତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଆଚାର୍ଯ୍ୟ, ସୁନିଲ ମିତ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ସୁଧାଂଶୁ ଶେଖର ସାମଲ, ସନ୍ତୋଷ ବାରିକ, ଅମରେନ୍ଦ୍ର ଦାସ, ସଂଗ୍ରାମ କେଶରୀ କରଣ, କମଲ ସିକାରିଆ, ପ୍ରକାଶ ଅଗ୍ରଓ୍ଵାଲ, ଦେବକୀ ନନ୍ଦନ ଯୋଶୀ, ରମାକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ସଂଧ୍ୟାରେ ‘ଶ୍ରୀମତ ଭାଗବତ’ ଓ ‘ଆତ୍ମବିକାଶର ନିର୍ଦ୍ଦେଶିକା’ ପୁସ୍ତକ ୨ଟି ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର