ବିଦେଶୀ ଜାହାଜକୁ ନେଇ ଧାମରାରେ ‌କରୋନା ଭୟ

୨ ଜାହାଜରେ ଚୀନ୍‌ ନାଗରିକ, ପତାକା କାଢ଼ିଦେଲେ କର୍ମଚାରୀ, ବନ୍ଦର କର୍ମଚାରୀ ଛାନିଆ

ଭଦ୍ରକ/ଚାନ୍ଦବାଲି/ଧାମରା : କରୋନା ଭାଇରସ୍‌ର ଶିକାର ହୋଇ ଚୀନ୍‌ରେ ଦୁଇ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୭୫ ହଜାରରୁ ଅଧିକ ଲୋକ ସ˚କ୍ରମିତ ହୋଇ ସାରିଲେଣି। ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଏହି ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ ହୋଇଥିବାରୁ ବିଶ୍ବର ପ୍ରାୟ ସବୁ ରାଷ୍ଟ୍ର ସର୍ବାଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ବିମାନଘାଟି, ବନ୍ଦର ଆଦି‌ରେ କଡ଼ା କଟକଣା ଲଗାଯାଇଛି। ତେବେ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଗତ ୩ ଦିନ ମଧ୍ୟରେ ଦୁଇଟି ପଣ୍ୟବାହୀ ଜାହାଜ (ଏମ୍‌ଭିଜେଡଏଚ୍‌ଇ, ଏଚ୍‌ଏଆଇ-୨)

ଆସି ଲାଗିବା ପରେ ଲୋକେ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି। ଗୋଟିଏ ଜାହାଜ ପିପି-୩ ଏ ବର୍ଥରେ ଲାଗିଥିବା ବେଳେ ଅନ୍ୟଟି ବିବି-୩ ବର୍ଥରେ ଲାଗିଛି। ଏହାକୁ ନେଇ ଧ‌ାମରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗତକାଲି ବିଳମ୍ବିତ ରାତିରେ ବନ୍ଦର ଭିତରକୁ ଏକ କୋଇଲା ବୋଝେଇ ଜାହାଜ ଆସିବା ପରେ ବନ୍ଦର କର୍ତ୍ତୃପକ୍ଷ ଦୁଇଟି ଯାକ ଜାହାଜରୁ ପତାକା ଖୋଲିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ସନ୍ଦେହ ବଢ଼ିଥିଲା। ଜାହାଜ କର୍ମଚାରୀମାନେ ଚୀନା ନାଗରିକଙ୍କ ଭଳି ଦେଖା ଯାଉଥିବାରୁ ବନ୍ଦର ମଧୢରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି, ବନ୍ଦର ମଧୢରେ ମୋବାଇଲ୍‌ ଫୋନ୍‌ ଉପରେ କଟକଣା ଲାଗୁ ହୋଇଥିବା ବେଳେ ସେଠାରୁ ସୂଚନା ମିଳିବା କଷ୍ଟକର ହୋଇପଡ଼ିଛି। ଗୋଟିଏ ଜାହାଜରୁ କୋଇଲା ଅନ‌ଲୋଡ୍‌ କରାଯାଉଥିବା ବେଳେ ଅନ୍ୟଟିରେ ଲୁହା ଚାଦର ଲୋଡ଼ିଂ କରାଯାଉଛି। ଏହି କାମ ସରିବା ପାଇଁ ଆହୁରି ୫ ଦିନ ଲାଗିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବନ୍ଦରକୁ ଆସିବା ପାଇଁ ଆହୁରି ୪ଟି ଜାହାଜ ସମୁଦ୍ର ଭିତରେ ଲଙ୍ଗର୍‌ ପକାଇ ରହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପଚରାଯିବାରୁ ସେ ଭୟଭୀତ ନ ହେବାକୁ କହିଥିଲେ। ଜାହାଜ ଦୁଇଟି ହଙ୍ଗ୍‌କଙ୍ଗ୍‌ରୁ ଆସିଥିବା ବେଳେ ଏଥିରେ ଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତେ ଭାଇରସ୍‌ ମୁକ୍ତ ଅଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ସମ୍ବନ୍ଧିତ ଖବର