ଚିପିଲିମାରେ ବିଦ୍ୟୁତ୍‌ ଉତ୍ପାଦନ ମାସେ ବନ୍ଦ

ସମ୍ବଲପୁର : ଚିପିଲିମା ପାଓ୍ଵାର ହାଉସ୍‌ ଭିତରକୁ ପାଣି ପଶିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ, ଆସନ୍ତା ୧ ମାସ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିବ।

ଚିପିଲିମା ପାଓ୍ଵାର ହାଉସ୍‌ର ବିଦ୍ୟୁତ ଉତ୍ପାଦନ ପାଇଁ ୩ଟି ୟୁନିଟ୍‌ ରହିଛି। ଏହାର ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୭୨ ମେଗାଓ୍ଵାଟ। ଗତ କିଛି ମାସ ହେଲା ଗୋଟିଏ ୟୁନିଟ୍‌ର ମରାମତି କାମ ଚାଲିଥିଲା। ଅନ୍ୟ ୨ଟି ୟୁନିଟ୍‌ରୁ ବିଦ୍ୟୁତ ଉତ୍ପାଦନ ହେଉଥିଲା। ଗତ ୨୧ ତାରିଖ ଦିନ ପ୍ରବଳ ବର୍ଷା ହେବା କାରଣରୁ ରାତି ସାଢ଼େ ୩ଟାରେ ପାଓ୍ଵାର ହାଉସ୍‌ ମଧ୍ୟକୁ ପାଣି ପଶି ଯାଇଥିଲା। ପାଓ୍ଵାର ହାଉସ୍‌ ଭିତରେ କାର୍ଯ୍ୟରତ ୬ଜଣ କର୍ମଚାରୀ ଚେକ୍‌ର ପ୍ଲେଟ ଦେଇ ପାଣି ରୋକିବାକୁ ଚେଷ୍ଟା କରିଥିଲେହେଁ ଏଥିରେ ବିଫଳ ହୋଇଥିଲେ। ପାଓ୍ଵାର ଚାନେଲ ପଟୁ ମଧ୍ୟ ପାଣି ପଶିବାରୁ ସ୍ଥିତି ଜଟିଳ ହୋଇଯାଇଥିଲା। ଫଳରେ, ବିଦ୍ୟୁତ ଉତ୍ପାଦନ ଠପ୍‌ ହୋଇଯିବାରୁ ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। କ୍ଷତିଗ୍ରସ୍ତ ଚିପିଲିମା ଗ୍ରିଡ୍‌ ମରାମତି ପରେ ରାଜ୍ୟ ଗ୍ରିଡ୍‌ରୁ ବିଦ୍ୟୁତ ଅଣାଯାଇ ମଂଗଳବାର ସବୁ ଅଂଚଳକୁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି। ଅନ୍ୟପକ୍ଷରେ, କାର୍ଯ୍ୟକ୍ଷମ ଥିବା ଦୁଇଟି ୟୁନିଟ୍‌ କ୍ଷତିିଗ୍ରସ୍ତ ହୋଇଥିବା ବେଳେ ମରାମତି ଚାଲିଥିବା ୟୁନିଟ୍‌ର ମଧ୍ୟ କିଛି ମାତ୍ରାରେ କ୍ଷତି ହୋଇଥିବା ଜଣାପଡ଼ିଛି। କେତେକ ଯନ୍ତ୍ରାଂଶ ମରାମତି ପାଇଁ ବେଙ୍ଗାଲୁରୁରୁ ବିଶେଷଜ୍ଞ ଡକାଯିବ। ଏଭଳି ସ୍ଥିତିରେ ଏଠାରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବାକୁ ଅନ୍ୟୁନ ଆଉ ଏକ ମାସ ସମୟ ଲାଗିଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର