ଭୁବନେଶ୍ୱର: ନିଲମ୍ବନ ଆଦେଶର ଦୁଇ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ | ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି | ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା | ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି | କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ | ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ | କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି | ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଚେଷ୍ଟାରେ ଅଛନ୍ତି | ଯେଉଁଠି କଂଗ୍ରେସ ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି | ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି | କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ | କଂଗ୍ରେସକୁ ସୁଦୃଢ କରାଇବାକୁ ସଭାର ଆୟୋଜନ କରାଯାଇଥିଲା |
ସତ କହିବା ଯଦି ପାପ, ତେବେ ହଁ, ମୁଁ ପାପ କରିଛି | ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା ବୋଲି ମୋତେ କୁହାଗଲା | ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା | ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ୨୫ ବର୍ଷ ହେଲା ଜିତିନାହାନ୍ତି | ଚକ୍ରାନ୍ତ କାହା ପରାମର୍ଶରେ ନିଆଯାଇଛି ସେକଥା ମୁଁ ଜାଣେ ନାହିଁ | ମୁଁ ଜଣେ ସ୍ୱାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ | ଦୁର୍ବଳ ଲୋକ ଅଭିଯୋଗ କରନ୍ତି, ମୁଁ କେଉଁଠି ଅଭିଯୋଗ କରିବି ନାହିଁ | ସେହିପରି ଚିରଞ୍ଜୀବ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି | ସେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଲଢ଼ିବି କି ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ ହିଁ କହିବ | ସେହିପରି ପିସିସି ସଭାପତିଙ୍କୁ ଇସାରା ଇସାରାରେ କହିଛନ୍ତି ଯେ ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି | ଗୋଡ ତଳେ ମାଟିନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି |