କଣିହାଁ: ଯେଉଁଠି ଦିନେ ଚିରସ୍ରୋତା ନଦୀ ବହି ଯାଉଥିଲା, ସେଠି ଏବେ କାଉଁସି ଜଙ୍ଗଲ। ଭରା ନଈର ପେଟ ଶୁଖିଲା। ବିକାଶ ନାଁରେ କେଉଁଠି ନଦୀଶଯ୍ୟାକୁ ପୋତି ଦିଆଯାଉଛି, ତ ପୁଣି କେଉଁଠି ମନୁଷ୍ୟକୃତ ତ୍ରୁଟି ଯୋଗୁଁ ମରି ଯାଉଛି ନଦୀ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରେ ପ୍ରତିଦିନ ସାମ୍ନାକୁ ଆସୁଛି ନଦୀମୃତ୍ୟୁର ଏପରି ଭୟଙ୍କର ଚିତ୍ର। କମ୍ପାନି ପ୍ରୀତି ଓ ନଦୀବନ୍ଧ ଯୋଜନା ଭିତରେ ଆବାହମାନ କାଳରୁ ହସି ହସି ତଳ ମୁଣ୍ଡକୁ ବହି ଯାଉଥିବା ନଦୀଗୁଡ଼ିକ ଅକାଳରେ ମରି ଯାଉଥିବା ପରି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ସାଂଘାତିକ ପ୍ରଭାବ ପକାଉଥିବା ଜଣାପଡ଼ିଛି।
କଣିହାଁ ବ୍ଲକ୍ରେ ବ୍ରାହ୍ମଣୀ, ଟିକିରା, ସମାକୋଇ, ମର୍ଦ୍ଦା, ଚିଲାଣ୍ଟି ଓ ଡେମ୍ଫା ଆଦି ନଦୀ ଓ ନାଳ ପ୍ରବାହିତ ହେଉଛି। କାହିଁ କେଉଁ ଆବହମାନ କାଳରୁ ଏଗୁଡ଼ିକ ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ଏହି ନଦୀ ସବୁ ଚିରସ୍ରୋତା ହୋଇଥିବା ଯୋଗୁଁ ବ୍ଲକ୍ର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରି ଆସୁଥିଲେ। ନଦୀ କୂଳରେ ନଦୀ ଜଳକୁ ବ୍ୟବହାର କରି ଲୋକେ ଚାଷବାସ କରୁଥିଲେ। କିନ୍ତୁ ଧୀରେ ଧୀରେ ନଦୀଶଯ୍ୟା ପୋତି ହୋଇଯିବାରୁ ଆଉ ଚାଷ ହୋଇ ପାରୁନି। ସେହିପରି ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀକୁ ବନ୍ଧାଯାଇ ‘ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା’ ଓ ସମଲଠାରେ ‘ସମଲ ବ୍ୟାରେଜ୍’ ନିର୍ମାଣ କରାଯାଇଛି। ନଦୀକୁ ବନ୍ଧା ଯିବା ଦ୍ୱାରା ଉପର ମୁଣ୍ଡରୁ ଆସୁଥିବା ପାଣି ଆଉ ତଳକୁ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ଶାଖା ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ କମି ନଦୀ ଶଯ୍ୟା ପୋତି ହେବାକୁ ବସିଲାଣି। ଏପରିକି ନଦୀରେ ବିଭିନ୍ନ ପ୍ରକାରର ଗଛଲତା ଉଠି ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ନଦୀର ଧାର ଶୁଖି ଜଳାଭାବ ସୃଷ୍ଟି ହେଉଛି। ଯାହା ଜୀବନ ଜୀବିକାକୁ ପ୍ରଭାବିତ କରୁଛି।
ଅନ୍ୟପଟେ ତାଳପଦା, ନାଲମ, ଦୁର୍ଗାପୁର ଓ ଶିପୁର ଭଳି ସ୍ଥାନରେ ନଦୀ ଜନବସତିକୁ ଗିଳି ଚାଲିଛି। ପରିଚାଳନାଗତ ଅବ୍ୟବସ୍ଥା ପାଇଁ ଏସବୁ ସ୍ଥାନରେ ନଦୀବନ୍ଧ କୋରି ହୋଇଗଲାଣି। ନଦୀକୂଳରେ ଥିବା ଖାଲୁଆ ଜମିରୁ ପାଣି ନିଷ୍କାସନ ହୋଇ ନପାରି ହଜାର ହଜାର ହେକ୍ଟର ଫସଲ ନଷ୍ଟ ହେଉଛି। ବନ୍ୟାରେ ବ୍ୟାପକ କ୍ଷୟ କ୍ଷତି ହେଉଛି। ଡେମ୍ଫା, ମର୍ଦ୍ଦା, ଟିକିରା, ସମାକୋଇ ଆଦି ନଦୀଗୁଡ଼ିକର ଶଯ୍ୟା ପୋତି ହେବାରେ ଲାଗିଛି। ଉପର ମୁଣ୍ଡରୁ ଆରମ୍ଭ କରି ତଳମୁଣ୍ଡ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏହି ଭଳି ନଦୀଶଯ୍ୟା ପୋତି ହୋଇ ପଡ଼ିଛି। ନଦୀଶଯ୍ୟା ଖନନ ପାଇଁ ସରକାରଙ୍କ ନିକଟରେ କୌଣସି ଯୋଜନା ନାହିଁ। ତେଣେ କଣିହାଁ ଅଞ୍ଚଳରେ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗ ଗଢ଼ି ଉଠିଛି। ଏହିସବୁ ଉଦ୍ୟୋଗ ଓ ବେପାର ଉଦ୍ଦେଶ୍ୟରେ ନଦୀ ଶଯ୍ୟାରୁ ମାଟି, ଗୋଡ଼ି, ପଥର, ବାଲି ଉଠାଇବା ଦ୍ୱାରା ନଦୀଶଯ୍ୟା ନଷ୍ଟ ହୋଇ ଯାଉଛି। ନଦୀକୁ ବଞ୍ଚାଇ ରଖିବାକୁ କାହାରି ଆନ୍ତରିକତା ନଥିବାବେଳେ ଆଗକୁ ପରିସ୍ଥିତି ଅତି ସଂଗିନ ହେବା ଜଳଜଳ ହୋଇ ଦିଶୁଛି।