ଚିଟ୍‌ଫଣ୍ଡ ମାମଲା: ସ୍ପଷ୍ଟ କଲେ ହାଇକୋର୍ଟ; ଜମାକାରୀଙ୍କ ନାମ, ସଂଖ୍ୟା ନିର୍ଦ୍ଧାରଣ ଦରକାର ନାହିଁ

କଟକ: ଚିଟ୍‌ଫଣ୍ଡରେ ଠକାମିର ଶିକାର ଜମାକାରୀଙ୍କ ମଧ୍ୟରେ ଟଙ୍କା ବଣ୍ଟନ ସଂପର୍କିତ ମାମଲାର ଶୁଣାଣି କରି ସ୍ବତନ୍ତ୍ର ଅଦାଲତଙ୍କ କ୍ଷମତା ସଂପର୍କରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। କମ୍ପାନିର ବାଜ୍ୟାପ୍ତ ସଂପତ୍ତି ନିଲାମ କରିବା ପାଇଁ ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌ (ଇନ୍‌ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧ (ଓପିଆଇଡି ଆଇନ୍‌)ର ଧାରା ୯ (୬) ଓ ୭)ରେ ସ୍ବତନ୍ତ୍ର ଅଦାଲତର କ୍ଷମତା ରହିଛି। କମ୍ପାନିର ସଂପତ୍ତି ବାଜ୍ୟାପ୍ତ ପ୍ରକ୍ରିୟାରେ ମିଳୁଥିବା ଅର୍ଥକୁ ଠକାମିର ଶିକାର ଜମାକାରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇ ପାରିବେ। କିନ୍ତୁ ଓପିଆଇଡି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସ୍ବତନ୍ତ୍ର ଅଦାଲତ ଏଭଳି ଜମାକାରୀଙ୍କ ନାମ ଓ ସଂଖ୍ୟା ଚିହ୍ନଟ କରିବା ଅଥବା ଟଙ୍କାର ପରିମାଣ ସଂପର୍କରେ ନିର୍ଦ୍ଧାରଣ କରିବା ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହିତ ବ୍ରହ୍ମପୁର ସ୍ବତନ୍ତ୍ର ଅଦାଲତଙ୍କ ସଂପତ୍ତି ବାଜ୍ୟାପ୍ତି ଓ ନିଲାମ ସଂପର୍କିତ ନିର୍ଦ୍ଦେଶ ବିରୋଧରେ ଅର୍ଥ ଲଗାଣକାରୀ ସଂସ୍ଥା ଓ ଅନ୍ୟମାନଙ୍କ ପକ୍ଷରୁ
ଦାୟର ଦୁଇଟି ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ଏମ. ଆଣ୍ଡ ଏଫ୍‌.ଏସ୍. ପ୍ରାଇଭେଟ ଲିମିଟେଡ ଓ ଅନ୍ୟ ଜଣଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥା ବିରୋଧରେ ବୁଗୁଡ଼ା ଥାନାରେ ୨୦୧୫ରେ ଜମାକାରୀଙ୍କୁ ଠକିବା ନେଇ ଏତଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ନେଇଥିଲା। ୨୦୧୦ ନଭେମ୍ବରରୁ ୨୦୧୩ ମାର୍ଚ୍ଚ ମାସ ଭିତରେ ସଂସ୍ଥା ଜମାକାରୀଙ୍କ ନିକଟରୁ ବିଭିନ୍ନ ଲୋଭନୀୟ ଯୋଜନାରେ ଅର୍ଥ ସଂଗ୍ରହ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ମୁତାବକ ଜମାକାରୀଙ୍କୁ ସୁଧ ସହିତ ସେମାନଙ୍କ ଜମାଟଙ୍କା ସଂସ୍ଥା ଦେଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ଇଓଡବ୍ଲୁ ଘଟଣାର ତଦନ୍ତ କରି ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଯାଇଥିଲା ଯେ ଜମାକାରୀଙ୍କ ନିକଟରୁ ସଂଗ୍ରହ କରାଯାଇଥିବା ଟଙ୍କାରେ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାବର ଓ ଅସ୍ଥାବର ସଂପତ୍ତି କ୍ରୟ କରାଯାଇଥିଲା।

ଏହାପରେ ଓପିଆଇଡି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସଂସ୍ଥାର ସ୍ଥାବର ଅସ୍ଥାବର ସ˚ପତ୍ତି ଜବତ କରିବା ନେଇ ରାଜ୍ୟ ଅର୍ଥ ବିଭାଗ ନିର୍ଦ୍ଦେଶ(ଆଡ୍‌ ଇଣ୍ଟେରିମ୍‌ ଅର୍ଡର) ଜାରି କରିବା ସହିତ ଏହି ସ˚ପତ୍ତିର ପରିଚାଳନା ଭାର ଏଡିଏମଙ୍କ ଉପରେ ନ୍ୟସ୍ତ କରିଥିଲା। ପ୍ରାଧିକୃତ ଅଧିକାରୀ ଭାବେ ଏଡିଏମ୍ ଓପିଆଇଡି ଆଇନର ଧାରା ୪(୩)ରେ ସ˚ସ୍ଥାର ସ୍ଥାବର ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ ପାଇଁ ଅନୁମତି ଲୋଡ଼ି ସ୍ବତନ୍ତ୍ର ଅଦାଲତରେ ୨୦୧୬ରେ ଆବେଦନ କରିଥିଲେ। ବ୍ରହ୍ମପୁର ସ୍ବତନ୍ତ୍ର ଅଦାଲତ ଏ ସଂପର୍କିତ ମାମଲାର ଶୁଣାଣି କରି ସଂସ୍ଥାର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ୨୦୧୭, ମେ ୬ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସଂସ୍ଥାର ପଦାଧିକାରୀ ଓ ସଂପତ୍ତି କ୍ରୟ କରିଥିବା ବ୍ୟକ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜମାକାରୀଙ୍କ ସଂଖ୍ୟା ଚିହ୍ନଟ ସହିତ ଜମକାରୀଙ୍କ ଜମାଟଙ୍କା ଫେରସ୍ତ ପାଇଁ ଆବଶ୍ୟକ ଅର୍ଥର ପରିମାଣ ନିର୍ଦ୍ଧାରଣ ନ କରି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି କରି ନିଲାମ ପାଇଁ ଅଦାଲତ ଅନୁମତି ଦେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଓପିଆଇଡି ଆଇନ ଅନୁସାରେ ସ୍ବତନ୍ତ୍ର ଅଦାଲତ ଜମାକାରୀଙ୍କ ସଂଖ୍ୟା ଓ ବଣ୍ଟନ ପାଇଁ ଦରକାର ଥିବା ଟଙ୍କା ନିର୍ଦ୍ଧାରଣ କରିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର