ଚିଟଫଣ୍ଡ ତଦନ୍ତକୁ ଭୁଲିଗଲେ ସରକାର, ୩ ମାସ ହେଲା ସ୍ଥିତି ଅସ୍ପଷ୍ଟ

କଟକ : ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଅତୀତରେ ରାଜ୍ୟ ଉଠୁଥିଲା ପଡୁଥିଲା। ଏବେ କିନ୍ତୁ ସରକାର ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ପ୍ରସଂଗକୁ ଏକ ପ୍ରକାର ଭୁଲିଗଲେଣି। କରୋନା ଭୂତାଣୁକୁ ନେଇ ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ଚିଟଫଣ୍ଡ ତଦନ୍ତକୁ ନେଇ ସରକାର କିନ୍ତୁ ଗତ ଫେବ୍ରୁଆରିରୁ ଚୁପ ବସିଛନ୍ତି।

୨୦୨୦, ଫେବ୍ରୁଆରି ୪ରେ ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିଲା। ତଦନ୍ତ କମିସନଙ୍କ କାର୍ଯ୍ୟକାଳ ସରକାର ନାଁ ବଢାଇଥିଲେ ନାଁ ତଦନ୍ତ ବନ୍ଦ ସଂପର୍କରେ ସ୍ଥିତି ସ୍ପଷ୍ଟ କରିଥିଲେ। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବା ପରେ ମାର୍ଚ୍ଚ ୩ରୁ କମିସନ୍ ଆଉ ବସିବେ ନାହିଁ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହାପରେ କମିସନ ଅଧ୍ୟକ୍ଷ ଆଉ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। କେବଳ କର୍ମଚାରୀମାନେ ଆସୁଛନ୍ତି ବୋଲି ସୂଚନା ମିଳୁଛି। କମିସନଙ୍କ କାର୍ଯ୍ୟାଳୟରେ ପଡି ରହିଛି ଲକ୍ଷାଧିକ ସତ୍ୟପାIଠ। ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ୍ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଓ ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ଦାଖଲ କରିଥିଲେ। ଏକ ବର୍ଷରୁ ଅଧିକ ସମୟ ହେବ ଏହି ସତ୍ୟପାଠ ଗୁଡିକ କମିସନଙ୍କ କାର୍ଯ୍ୟାଳୟରେ ଡିଜିଟାଇଜେସନ୍ ପାଇଁ ପଡି ରହିଛି। କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରି ସରକାର ଯଦି ତଦନ୍ତ ବନ୍ଦ କରନ୍ତି ତେବେ ଏହି ସବୁ ସତ୍ୟପାଠର ଭବିଷ୍ୟତ କଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଏପରି ପରିସ୍ଥିତିରେ ଜମାକାରୀମାନେ ଆଶଙ୍କା ଭିତରେ ରହିଛନ୍ତି ଓ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀ କାୟା‌ ବିସ୍ତାର କରିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହି ଅବଧି ମଧ୍ୟରେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ମିଳିଥିବା ତଥ୍ୟ ଅନୁସାରେ, କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୨ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଅନ୍ୟପକ୍ଷରେ କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଖୁବ୍ ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବା ବେଳେ ଗତ ବର୍ଷ ଦାଖଲ ହୋଇଥିବା ପ୍ରାୟ ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା।

କିନ୍ତୁ ସରକାର ଚିଟଫଣ୍ଡ ତଦନ୍ତ ପ୍ରସଂଗରେ ଚୁପ୍ ରହିବା ଦ୍ବାରା ଜମାକରୀ ଆଶଙ୍କାରେ ରହିଛନ୍ତି। ତଦନ୍ତ ଆଗେଇବ ବା ନାହିଁ ତାକୁ ନେଇ ସ୍ଥିତି ଅସ୍ପଷ୍ଟ। ଯଦି ତଦନ୍ତ ବନ୍ଦ ହେବ ତେବେ କମିସନଙ୍କ କାର୍ଯ୍ୟାଳୟ ସହିତ ସେଠାରେ ଥିବା ସତ୍ୟପାଠ ସଂପର୍କିତ ରେକର୍ଡ, କମ୍ପ୍ୟୁଟର, ଫାକ୍ସ, ପ୍ରିଣ୍ଟର, ଆସବାବପତ୍ର, ଏସିଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ସବୁ ସରକାର ଜିମାକୁ ନେବା ଆବଶ୍ୟକ। ଏଥି ସହିତ ଏହି ପ୍ରସଂଗରେ ବିଧିବଦ୍ଧ ଭାବେ ଘୋଷଣା କରିବା ମଧ୍ୟ ଆବଶ୍ୟକ। ତଦନ୍ତର ଫଳାଫଳକୁ ନେଇ ଆଶାବାଦୀ ଥିବା ‌ରାଜ୍ୟବାସୀ ରାଜ୍ୟରେ ଚିଟଫଣ୍ଡ ଘଟଣାକୁ ନେଇ ଚାଲିଥିବା ବିଚାରବିଭାଗୀୟ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ଜାଣିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର