କଟକ  : ୫ ଲକ୍ଷ ୯୩ ହଜାର ଚିଟ୍‌ ଫଣ୍ଡ କ୍ଷତିଗ୍ରସ୍ତଙ୍କ ସତ୍ୟପାଠ ଯାଞ୍ଚ କରିସାରିଲେଣି ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌। ଏ ପର୍ଯ୍ୟନ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ୪ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରିତ ବେଗରେ ଚାଲିଛି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ରାଜ୍ୟ ଭିିତର ଓ ବାହାର ରାଜ୍ୟର ଅର୍ଥ ଲାଗଣକାରୀ ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି କରାଯାଉଛି। ପଞ୍ଚମ ପର୍ଯ୍ୟାୟରେ ୩୮୦ରୁ ଅଧିକ ସଂସ୍ଥାକୁ ନୋଟିସ୍‌ ଜାରି କରାଯିବାକୁ ଯୋଜନା ରହିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରାୟ ୨ଶହ ସଂସ୍ଥାର କ୍ଷୁଦ୍ର ଜମାକରୀ ଏହି ପର୍ଯ୍ୟାୟରେ ଚିହ୍ନଟ ହୋଇ ସାରିଲେଣି। ଖୁବ୍‌ ଶୀଘ୍ର ପଞ୍ଚମ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ପୂର୍ବରୁ ୪୮୬ଟି ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚିଟ୍‌ଫଣ୍ଡ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସଂକ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଏହା ପରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬ ହଜାର ୯୭୬ଟି ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ନୋଟିସ୍‌ ଜାରି କରିଥିଲେ। ନୋଟିସ୍‌ ଜାରି କରାଯାଇଥିବା ସଂସ୍ଥା ମଧ୍ୟରୁ ଅଧିକାଂଶ ହାଜର ହୋଇ ନଥିଲେ। ତେବେ କିଛି ସଂସ୍ଥା ପାଖକୁ ନୋଟିସ ଯାଇ ଫେରି ଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଉଁ ଠିକଣା ଦେଇଥିଲେ ସେଠାରେ ସେହି ସଂସ୍ଥାର ଅଫିସ ନଥିବା ଡାକ ବିଭାଗ ସୂଚନା ଦେଇଥିଲା। ଏପରି ପରିସ୍ଥିତିରେ ଖବର କାଗଜ ଜରିଆରେ ନୋଟିସ୍‌ ଜାରି କରାଯାଇଥିଲା। ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଦାଖଲ ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିଲା। ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା। ସରକାର ଗଠନ କରିଥିବା କର୍ପସ ଫଣ୍ଡରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସଂପର୍କରେ ସ୍ୱତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଥିଲା।

ଏ ପର୍ଯ୍ୟନ୍ତ ଚିଟଫଣ୍ଡ ତଦନ୍ତ ସମୟରେ କମିସନଙ୍କ ନିକଟରେ ଅଧିକାଂଶ ସଂସ୍ଥାର ପଦାଧିକାରୀ ହାଜର ହେଉ ନଥିବା ବେଳେ ଦାଖଲ ସତ୍ୟପାଠ ଆଧାରରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଉଥିବା ଦେଖିବାକୁ ମିଳୁଛି।