ଚିଟ୍‌ଫଣ୍ଡ୍‌ କମିସନ୍ : ୪ ବୃହତ ଜମାକରୀଙ୍କ ଅର୍ଥ ଫେରସ୍ତ

କଟକ : ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ଜରିଆରେ ୪ ଜଣ ବୃହତ ଜମାକରୀ ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇଛନ୍ତି। ସରକାରଙ୍କ ପକ୍ଷରୁ ପୂର୍ବ ଟର୍ମସ୍ ଅଫ ରେଫରେନ୍ସରେ ଗତ ଡିସେମ୍ବର ୧୧ରେ ସଂଶୋଧନ କରାଯିବା ପରେ କମିସନ୍ ବୃହତ ଜମାକରୀଙ୍କ ସଂପର୍କିତ ନୋଟିସ୍ ଜାରି ଓ ତଦନ୍ତ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ରଖିଥିବାବେଳେ ଆଜି ଏକ ଅର୍ଥ ଲଗାଣକାରୀ ସଂସ୍ଥା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍ ଆଧାରରେ କମିସନଙ୍କ ନିକଟରେ ହାଜର ହୋଇ ୪ ଜଣ ଜମାକାରୀଙ୍କ ଟଙ୍କା ଫେରସ୍ତ କରିଛି।

ଗତ ଅକ୍ଟୋବର ମାସରେ କମିସନ୍ ଆଲାଏନ୍ସ ସ୍ମାର୍ଟ ଇନଫ୍ରାଷ୍ଟକଚର ସଂସ୍ଥାକୁ ନୋଟିସ୍ ଜାରି କରି ୪ ବୃହତ ଜମାକରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନୋଟିସ୍ ଆଧାରରେ ସଂସ୍ଥାର ପଦାଧିକାରୀ କମିସନଙ୍କ ନିକଟରେ ହା‌ଜର ହୋଇ ୪ ଜମାକରୀଙ୍କ ଜମା ଟଙ୍କା ଫେରସ୍ତ କରିଛନ୍ତି। ଦୁଇ ଜମାକାରୀଙ୍କୁ ୫୨,୪୦୦ ଟଙ୍କା ଲେଖାଏଁ, ଜଣେ ଜମାକାରୀଙ୍କୁ ୧ଲକ୍ଷ ୨୭ହଜାର ୨ଶହ ଟଙ୍କା ଓ ଅନ୍ୟ ଜଣଙ୍କୁ ୪୦ ହଜାର ଟଙ୍କା ସଂସ୍ଥା ଫେରସ୍ତ କରିଛି। ଏହି ଅର୍ଥ ଜମାକାରୀମାନେ ସଂସ୍ଥାରେ ବିଭିନ୍ନ ଯୋଜନାରେ ନିବେଶ କରିଥିବା ସଂପର୍କରେ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୧ ତାରିଖରେ ଟର୍ମସ୍ ଅଫ୍ ରେ‌ଫରେନ୍ସରେ ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କମିସନ ବୃହତ ଜମାକାରୀ ପ୍ରସଙ୍ଗରେ ତଦନ୍ତ ପ୍ରକ୍ରିୟା ବନ୍ଦ ରଖିଛନ୍ତି। ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡି ୨୦୧୫ ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନିଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ଏବେ ୨୦୧୫ ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର ୨୦୧୯ ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ସାନି ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ ଏବେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର