ଚିଟ୍‌ଫଣ୍ଡ କମ୍ପାନି ଖୋଲି ୪ ରାଜ୍ୟରୁ ୧୨୦୦ କୋଟିର ଠକେଇ: ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ବର, କଟକ ଓ ନୟାଗଡ଼ରେ ଅଫିସ୍ ଖୋଲିଥିଲା କମ୍ପାନି, ୨୦୧୬ରେ ସିବିଆଇ ଜବତ କରିଥିଲା ୪୪.୯ ଲକ୍ଷ

ଭୁବନେଶ୍ବର: ଚିଟ୍‌ଫଣ୍ଡ କମ୍ପାନି ଖୋଲି ଓଡ଼ିଶା ସମେତ ଦେଶର ୪ ରାଜ୍ୟରୁ ୧୨୦୦ କୋଟି ଟଙ୍କା ଠକେଇ କରିଥିବା ଓ୍ଵେଲଫେୟାର ବିଲ୍ଡିଂ ଏବଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡର ଏମ୍‌ଡି ତଥା ଭାଇଜାଗ୍ (ପଶ୍ଚିମ)ର ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଇଓଡବ୍ଲୁର ଏକ ୫ ଜଣିଆ ଟିମ୍ ବିଶାଖାପାଟଣାର ସୀଥମାଧାରାସ୍ଥିତ ବାସଭବନରୁ ଗତ ରବିବାର ସ୍ଥାନୀୟ ପୁଲିସ ସହାୟତାରେ ବିଜୟଙ୍କୁ ଗିରଫ କରିବା ପରେ ଗତକାଲି ବିଶାଖାପାଟଣା ମୁଖ୍ୟ ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇଥିଲେ। ତଦନ୍ତକାରୀ ଟିମ୍ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣି ଆଜି କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରାଇବା ପରେ ବିଜୟଙ୍କୁ ଚୌଦ୍ବାର ଜେଲ୍ ପଠାଇ ଦିଆଯାଇଛି। ଚଢ଼ଉ ସମୟରେ ତାଙ୍କ ଘରୁ ଚିଟଫଣ୍ଡ ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କମ୍ପାନିର ଦସ୍ତାବିଜ୍ ଜବତ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବିଜୟଙ୍କ ୨୦୦୧ରୁ ଏହି ଚିଟ୍‌ଫଣ୍ଡ କମ୍ପାନି ଖୋଲିବା ପରେ ଏହା ଓ୍ଵେଲଫେୟାର ବିଲ୍ଡିଂ ଆଣ୍ଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ଭାବେ ପଞ୍ଜୀକୃତ ହୋଇଥିଲା। ୨୦୦୯ରୁ ୨୦୧୪ ଭିତରେ କମ୍ପାନି ବିଭିନ୍ନ ରାଜ୍ୟରେ ଅଫିସ ଖୋଲି ଜମା ଅର୍ଥ ରାଶି ୫ ବର୍ଷରେ ୩ ଗୁଣା, ୩ ବର୍ଷରେ ଦୁଇ ଗୁଣାର ଲୋଭ ଦେଖାଇଥିଲା । ବିଶେଷ କରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ଓଡ଼ିଶାରେ ସକ୍ରିୟ ହୋଇ କାରବାର କରୁଥିଲା। ଓଡ଼ିଶାରେ ଭୁବନେଶ୍ବରର ସହିଦନଗର, କଟକର ନରସିଂହପୁର, ନୟାଗଡ଼ରେ ଅଫିସ ଖୋଲି ଲୋକଙ୍କୁ ଅର୍ଥ ଡବଲ୍‌ର ଲୋଭ ଦେଖାଇଥିଲା। ଏପରିକି ଟଙ୍କା ବଦଳରେ ଯେଉଁମାନେ ଜମି ନେବାକୁ ଚାହିଁବେ ସେମାନଙ୍କୁ ବିଶାଖାପାଟଣାରେ ପ୍ଲଟ୍ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ୨୦୧୪ ପରଠାରୁ ରାତାରାତି କମ୍ପାନିର ଅଫିସରେ ତାଲା ପଡ଼ି ଯାଇଥିଲା। ‌ସେତେବେଳକୁ ୪ ରାଜ୍ୟର ଲୋକଙ୍କୁ ୧୨୦୦ କୋଟି ଟଙ୍କାର ଚୁନ ଲଗାଇ ସାରିଥିଲା କମ୍ପାନି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା, ସିବିଆଇ ଧାନବାଦ ଶାଖା ସମେତ କମ୍ପାନିର ବିଭିନ୍ନ ଅଧିକାରୀଙ୍କ ବିରୋଧରେ ୫ଟି ମାମଲା ରୁଜୁ ହେବାରୁ ୨୦୧୬ରେ ସିବିଆଇ ମାମଲାର ତଦନ୍ତ ଭାର ହାତକୁ ନେଇ ବିଜୟଙ୍କ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ସେହି ସମୟରେ ତାଙ୍କ ବାସଭବନରୁ ୪୪.୯ ଲକ୍ଷ ଟଙ୍କା ଜବତ କରିଥିଲା ସିବିଆଇ ଟିମ୍।

ଅନ୍ୟପକ୍ଷରେ ଓଡ଼ିଶାରେ ହୋଇଥିବା ଠକେଇ ସମାନ୍ତରାଳ ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ୍‌ର ଇଓଡବ୍ଲୁ। ୨୦୧୯ ଜୁଲାଇ ୧୭ ତାରିଖରେ ଆଇପିସି ଦଫା-୪୨୦, ୪୦୬, ୪୬୭, ୪୬୮, ୪୭୧, ୧୨୦(ବି), ମନି ସର୍କୁଲେସନ୍ ଓ ପ୍ରାଇସ୍ ଚିଟ୍ ଆଇନର ଧାରା-୪,୫,୬ ଏବଂ ଓପିଆଇଡିର ଧାରା-୬ ଅନୁସାରେ ବିଜୟ, ତାଙ୍କ କମ୍ପାନି ଓ ଅନ୍ୟ ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଅଭିଯୋଗରେ ୧୫୦ ଜଣ ପ୍ରାୟ ୩୯ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଦର୍ଶାଇଥିଲେ। କିନ୍ତୁ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଠକେଇର ପରିମାଣ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ତଦନ୍ତରୁ ଏ କଥା ମଧ୍ୟ ଜଣାପଡ଼ିଛି ଯେ ବିଜୟ ରିୟଲ ଇଷ୍ଟେଟ୍ ବ୍ୟବସାୟ ଓ ରାଜନୀତି କରିବା ସହ ଏହି ଚିଟ୍‌ଫଣ୍ଡ ଟଙ୍କାରେ ବେଶ୍ କେତୋଟି ତେଲୁଗୁ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି। ଠକେଇ ଅର୍ଥ କେଉଁଠି କେଉଁଠି ବିନିଯୋଗ କରିଛନ୍ତି ସେ ସମ୍ପର୍କରେ ମଧ୍ୟ ଇଓଡବ୍ଲୁ ଖୋଳତାଡ଼ କରିବ। ସେହିପରି ଓଡ଼ିଶାରେ ବିଜୟଙ୍କୁ କିଏ ସହଯୋଗ କରୁଥିଲେ, କେଉଁ ରାଜନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି, ଏଠାରେ ବ୍ୟବସାୟ ବଢ଼ାଇବା ପାଇଁ କେଉଁମାନେ ପ୍ରୋତ୍ସାହନ ଦେଉଥିଲେ ସେ ସମ୍ପର୍କରେ ମଧ୍ୟ ଖୋଳତାଡ଼ ହେବ।
ଆନ୍ଧ୍ରପ୍ରଦେଶ ରାଜନୀତିରେ ବିଜୟଙ୍କର ଯଥେଷ୍ଟ ପ୍ରଭାବ ରହିଛି। ପୂର୍ବରୁ ସେ କଂଗ୍ରେସ ଦଳରେ ଥିବା ବେଳେ ପରେ ଵାଇଏସ୍ଆର କଂଗ୍ରେସ ଦଳରେ ଯୋଗ ଦେଇ ବିଶାଖା ପଶ୍ଚିମ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କଲେ ମଧ୍ୟ ସେ ପରାଜିତ ହୋଇଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶ ଶିକ୍ଷା ଏବଂ କଲ୍ୟାଣ ଭିତ୍ତିଭୂମି ଉନ୍ନୟନ ନିଗମ(ଏପିଇଡବ୍ଲୁଆଇଡିସି)ର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର