ନୟାଗଡ଼: ଚିଟ୍‌ଫଣ୍ଡ୍ କମ୍ପାନିଙ୍କ ଦ୍ବାରା ଠକେଇର ଶିକାର ଜମାକାରୀଙ୍କ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ତଥା ଘେରାଉ କରାଯାଇଛି। ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ ନୟାଗଡ଼ ଜିଲ୍ଲା ସଭାପତି ଚଣ୍ଡାଳ ପ୍ରଧାନଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଇଥିଲା। ମଞ୍ଚ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ତହସିଲ୍, ଜିଲ୍ଲା ସଦର ମହକୁମା, ରାଜଧାନୀରେ ଜମା ଟଙ୍କାର ପରିପକ୍ବ ରାଶି ଦାବି କରିଥିଲେ ବି ସରକାର ଟଙ୍କା ଫେରସ୍ତରେ ପ୍ରତିଶ୍ରୁତି ଦେଇ ମଧ୍ୟ ଫେରସ୍ତ କରୁନଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଲକ୍ଷ ଲକ୍ଷ ଜମାକାରୀ ସେମାନଙ୍କ ଜମାରାଶି ଫେରସ୍ତ ପାଇଁ ସରକାର ବସାଇଥିବା କମିସନଙ୍କ ନିକଟରେ ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ବ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ସରକାର ସେହି କମିସନକୁ ବନ୍ଦ କରିବା ସହ ସତ୍ୟପାଠଗୁଡ଼ିକ ଯାଞ୍ଚ ନ କରି ଦୀର୍ଘ ୩ ବର୍ଷ ହେବ ପକେଇ ରଖିଛନ୍ତି। ଫଳରେ ସତ୍ୟପାଠରେ ଛତୁ ଫୁଟିବା ସହିତ ଉଇ ଖାଇଗଲେଣି। ଗୋଲ୍‌ଡେନ୍ ଲ୍ୟାଣ୍ଡ ସଂସ୍ଥା ବିରୋଧରେ ଓପିଡା ଆଇନ୍ ଅନୁସାରେ କୋର୍ଟ ଏହାର ସମ୍ପତ୍ତି ବିକ୍ରୟ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ଜମାକାରୀଙ୍କୁ ଠକୁଥିବା ମଞ୍ଚ କହିଛି। ଓପିଡା ଆଇନ ଓ ବଡ୍‌ସ ଆଇନ ଅନୁସାରେ ଜମାକାରୀମାନେ ତାଙ୍କ ଜମାରାଶିର ପ୍ରମାଣପତ୍ର ସହ ଜିଲ୍ଲାପାଳଙ୍କଠାରେ ଆଜି ପୁଣି ଦାବି ଉପସ୍ଥାପନ କରିଛନ୍ତି।

Advertisment

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଜମାକାରୀଙ୍କ ସତ୍ୟାଗ୍ରହରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚର ଆବାହକ ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ସାହାରା ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢ଼ୀ, ନୟାଗଡ଼ ଜିଲ୍ଲା ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ରଣଜିତ୍‌ ଦାଶ, ଅମୀୟ ପଟ୍ଟନାୟକ, ସଂଜୟ ମହାପାତ୍ର ପ୍ରମୁଖ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।