ପୁଣି ମାତିଲେଣି ଚିଟ୍‌ଫଣ୍ଡ କମ୍ପାନି: ଚେର ମାଡ଼ିମାଡ଼ି ଚାଲିଛି; ଲୋକେ ଚେତୁନାହାନ୍ତି, ସରକାର ବି ନିରବ

ଭୁବନେଶ୍ୱର : ଲକ୍ଷ ଲକ୍ଷ କୋଟି ଲୁଟିନେଲେ ଚିଟ୍‌ଫଣ୍ଡ କମ୍ପାନି। ସିବିଆଇ ତଦନ୍ତ ହେଲା। ରାଜନେତା ଓ ବ୍ୟବସାୟୀଙ୍କ ଭଳି ବହୁ ବଡ଼ବଡ଼ିଆ ଜେଲ୍‌ ଗଲେ। ରାଜ୍ୟ ସରକାର କର୍ପସ ପାଣ୍ଠି ଗଠନ କଲେ। କିନ୍ତୁ ଠକେଇର ଶିକାର ଜମାକାରୀମାନେ ସେମାନଙ୍କ ସଂଚିତ ଅର୍ଥ ଫେରି ପାଇଲେନାହିଁ। ରାଜ୍ୟ ଓ ଦେଶରେ ଏହି ବିଶାଳ ଠକେଇ ହଇଚଇ ସୃଷ୍ଟି କଲା। ମାତ୍ର ସମୟ ଗଡ଼ିଯିବା ସହ ମାମଲା ଥଣ୍ଡା ପଡ଼ିଗଲା। ଏବେ ରାଜ୍ୟରେ ପୁଣି ମାତିଲେଣି ଚିଟ୍‌ଫଣ୍ଡ କମ୍ପାନି। ଉତ୍ତର ଓଡ଼ିଶାରୁ ଚେର ମାଡ଼ିବା ଆରମ୍ଭ କଲାଣି। ସୁଧ ସହ ଅଧିକ ଫେରସ୍ତ, ଦାମୀ ଉପହାର, କାର୍, କୋଠା, ଜମିର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟିଲେଣି। ଅଥଚ ସରକାର ନିରବ। ଲୋକେ ବି ଚେତୁନାହାନ୍ତି। ଚିଟ୍‌ଫଣ୍ଡରେ ଟଙ୍କା ବିନିଯୋଗ କରିବା ଦ୍ବାରା ସେମାନେ ଯେ ସର୍ବସ୍ବାନ୍ତ ହେବାକୁ ଯାଉଛନ୍ତି, ବୁଝିପାରୁନାହାନ୍ତି। ମହାମାରୀ କରୋନା ବେଳେ ପୁଣି ଖେଳ ଆରମ୍ଭ କରିଛନ୍ତି ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନି। ଏବେଠୁ ସାବଧାନ ନହେଲେ, ବା ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ପରିସ୍ଥିତି ପୁଣି ଅଣାୟତ୍ତ ହୋଇପଡ଼ିବ ବୋଲି ଜଳଜଳ ଦିଶିଲାଣି।

iPleaders Blog

ରାଜ୍ୟରେ ପ୍ରଥମ ଚିଟ୍‌ଫଣ୍ଡ କମ୍ପାନି ଉତ୍ତର ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା। ବଲିଉଡ୍ ପ୍ରଯୋଜକ, ଅଭିନେତା ନାସିର୍ ଖାଁ କମ୍ପାନି ଖୋଲି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲା। ଏବେ ବି ସେଇ ଉତ୍ତର ଓଡ଼ିଶାରୁ ପୁଣି ଚିଟ୍‌ଫଣ୍ଡ କମ୍ପାନି ଜାଲ ବିଛାଇବା ଆରମ୍ଭ କରିଛନ୍ତି। ତେଣୁ ମୟୂରଭଞ୍ଜରୁ ଆରମ୍ଭ ହେଉଥିବା ଏହି ଠକେଇ ଉପରେ ଆରମ୍ଭରୁ ଅଙ୍କୁଶ ନଲାଗିଲେ, ଧୀରେଧୀରେ ସମଗ୍ର ଓଡ଼ିଶାକୁ ମାଡ଼ିଯିବ। ନିକଟରେ ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଅରୋକ୍ସା ଚିଟ୍‌ଫଣ୍ଡ କମ୍ପାନି ବାଲେଶ୍ବରରୁ ଆରମ୍ଭ କରି ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ୪ ଜିଲ୍ଲାକୁ ବ୍ୟାପି ଯାଇଥିଲା। ଲୋକଙ୍କୁ ୩୦ କୋଟି ଟଙ୍କାର ଚୂନ ଲଗାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କମ୍ପାନି ନିର୍ଦ୍ଦେଶକ ବାବୁ ସିଂ ଖୁସ୍‌ଓ୍ଵା ଏବଂ ଓଡ଼ିଶାରେ କମ୍ପାନିର ପ୍ରଚାର ପ୍ରସାର କରିଥିବା ଦୁଇ ପ୍ରମୁଖ ଏଜେଣ୍ଟ ଶରତ କୁମାର ନାୟକ ଓ ପ୍ରଭାତ ଦାଶକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ଗିରଫ କରିଥିଲା। ସେହିପରି ଯାଜପୁରରେ ଜମାକାରୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ମୁମ୍ବାଇର ଇଆଭିକ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ବିରୋଧରେ ଇଓଡବ୍ଲୁରେ ମାମଲା ରୁଜୁ ହୋଇଛି। ଏଜେଣ୍ଟମାନେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ନିରୀହ ଲୋକଙ୍କୁ ଅଧିକ ଫେରସ୍ତର ଲୋଭ ଦେଖାଇ ବହୁ ଜମାକାରୀଙ୍କଠାରୁ ବିପୁଳ ଅର୍ଥ ନେଇଯାଇଛି। ଠକେଇର ଶିକାର ହେବା ପରେ ଏବେ ଜମାକାରୀମାନେ ଇଓଡବ୍ଲୁର ଦ୍ବାରସ୍ଥ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ରାଜଧାନୀରେ ମଧ୍ୟ କେତେକ ସଂସ୍ଥା ଏଭଳି କାରବାର ଚଳାଇଛନ୍ତି। ଗତ କିଛି ମାସ ତଳେ ମଞ୍ଚେଶ୍ବର ଅଞ୍ଚଳର ଏକ ସଂସ୍ଥା ଅଧିକ ଲାଭ ଦେବାର ଲୋଭ ଦେଖାଇ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିଲା। ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ସମିତି ଦ୍ବାରା ଲୋକଙ୍କୁ ଋଣ ଲୋଭ ଦେଖାଇ ଟଙ୍କା ଉଠା ଯାଉଥିବା ଜଣାପଡ଼ିଛି। ପୂର୍ବରୁ ଏକାଧିକ ଅଭିଯୋଗ ମଧ୍ୟ ବିଭିନ୍ନ ଥାନାରେ ପହଞ୍ଚିଛି।

Patrika

ପୂର୍ବର ଚିଟ୍‌ଫଣ୍ଡ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିବା ପରେ ଏଭଳି କାରବାର ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଖୋଲାଖୋଲି ଚିଟ୍‌ଫଣ୍ଡ କାରବାର ଚାଲିଥିଲେ ବି କୌଣସି ଲଗାମ୍ ନାହିଁ। କମ୍ପାନି ଗୁଡ଼ିକ ସଭା ସମିତି ଓ ବିଜ୍ଞାପନ ଜରିଆରେ ସେମାନଙ୍କ ଜାଲ ବିଛାଇ ଚାଲିଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ପାଖରେ ଖବର ପହଞ୍ଚୁନାହିଁ। ଅରୋକ୍ସା ଚିଟ୍‌ଫଣ୍ଡ କମ୍ପାନି ବାଲେଶ୍ବର, ଭଦ୍ରକ ଭଳି ସହରରେ ପୋଷ୍ଟର ଲଗାଇ ପ୍ରଚାର କରିଥିଲେ ମଧ୍ୟ କେହି ଜାଣିପାରିଲେ ନାହିଁ। ନା କେହି ସଚେତନ ନାଗରିକ ପୁଲିସକୁ ଜଣାଇଲେ, ନା ପୁଲିସ ବି ଜାଣିପାରିଲା। ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଏଜେନ୍‌ସି ବି ଏଭଳି ବେଆଇନ କାରବାର ବାବଦରେ କିଛି ସୁରାକ୍ ପାଉନାହାନ୍ତି। ଆରମ୍ଭରୁ ଲଗାମ୍ ଲାଗିଲେ, ଲୋକେ ବର୍ତ୍ତି ପାରନ୍ତେ। ଏବେ ମୋବାଇଲ ଆପ୍‌ରେ ଅନ୍‌ଲାଇନ୍ ଚିଟ୍‌ଫଣ୍ଡ ମାଧ୍ୟମରେ ବିଭିନ୍ନ କମ୍ପାନି ଶହ ଶହ କୋଟି ଟଙ୍କା ଲୁଟି ଚାଲିଛନ୍ତି। ସେହିଭଳି ଏହି ମଉକାରେ ସାଇବର ଠକମାନେ ବି ବେନାମୀ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଠକି ଚାଲିଛନ୍ତି।

ଜମାକାରୀ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ କହିଛନ୍ତି ଯେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିବା କମ୍ପାନି ବା ଅର୍ଥ କାରବାର କରୁଥିବା ସଂସ୍ଥାମାନେ କାରବାର କରିବା ପୂର୍ବରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେବା ନିୟମ ରହିଛି। ଅନୁମତି ମିଳିଲେ ଯାଇ ସେମାନେ କାରବାର ଆରମ୍ଭ କରିବା କଥା ବୋଲି ଜମାକାରୀ ସ୍ବାର୍ଥ ସୁରକ୍ଷା ଆଇନ(ଓପିଆଇଡି)ରେ ଉଲ୍ଲେଖ ରହିଛି। ସେହିପରି ବେଆଇନ ଭାବେ ଏହି କାରବାର କରୁଥିବା ସଂସ୍ଥାକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଦେବାର କ୍ଷମତା ମଧ୍ୟ ରହିଛି। କିନ୍ତୁ କେହି କିଛି କରୁନାହାନ୍ତି। ଲୋକେ ଲୋଭର ବଶବର୍ତ୍ତୀ ହୋଇ ସେମାନଙ୍କ ଜାଲରେ ଫସୁଛନ୍ତି ଓ ସରକାରଙ୍କ ଏଜେନ୍‌ସିମାନେ ନିରବଦ୍ରଷ୍ଟା ରହି ଏହି ବେଆଇନ ଚିଟ୍‌ଫଣ୍ଡ କମ୍ପାନିମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି।

ସମ୍ବନ୍ଧିତ ଖବର