ଫୁଲବାଣୀ : ଫୁଲବାଣୀ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ୮ କୋଟି ଟଙ୍କାର ଋଣ ଜାଲିଆତି ଘଟଣାରେ ଗିରଫ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କ ଚିଟ୍ଫଣ୍ଡ ସଂସ୍ଥାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି। ଏହି ଚିଟ୍ଫଣ୍ଡ୍ ଘୋଟାଲାର ଚେର କନ୍ଧମାଳରୁ ଯାଜପୁର ଦେଇ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏଥିରେ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କୋଟି କୋଟି କଳା ଟଙ୍କା ଲାଗିଥିବା ଜଣାପଡ଼ିଛି। ତେବେ, ତଦନ୍ତ କରାଗଲେ ବାସ୍ତବ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।
କନ୍ଧମାଳ ଜିଲ୍ଲାରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସଙ୍କ ସହ ମିଶି ଆଶୁତୋଷ ଏହି ଚିଟ୍ଫଣ୍ଡ ସଂସ୍ଥା ଗଢ଼ିଥିଲେ। ଅଳ୍ପଦିନରେ ଟଙ୍କା ଦୁଇଗୁଣା ହୋଇଯିବ ବୋଲି ଏକ ଲୋଭ ଦେଖାଯାଇଥିଲା, ଯେଉଁଥିରେ ଆକର୍ଷିତ ହୋଇ କନ୍ଧମାଳର ବହୁ ସରକାରୀ ଅଧିକାରୀ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି। ଏହି ଚିଟ୍ଫଣ୍ଡ ସଂସ୍ଥା କେତେକ ସରକାରୀ ଅଧିକାରୀଙ୍କୁ ଭୁବନେଶ୍ବରରେ ପ୍ଲଟ୍ ଯୋଗାଇ ଦେବା ନାଁ କୋଟି କୋଟି ଟଙ୍କା ଲୁଟିଥିବା ବେଳେ ଆଉ କେତେକ ସାଧାରଣ ଲୋକ ମଧ୍ୟ ଅଳ୍ପ ଦିନରେ ଅର୍ଥ ଦୁଇଗୁଣା କରିବା ଲୋଭରେ କଷ୍ଟାର୍ଜିତ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।
କନ୍ଧମାଳରୁ ଭୁବନେଶ୍ବର, ଯାଜପୁର ପର୍ଯ୍ୟନ୍ତ ଚେର ଲମ୍ବିଛି
ହସ୍ତଗତ ସୂଚନା ଅନୁସାରେ, ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ଜଣେ ପୂର୍ବତନ ପ୍ରକଳ୍ପ ପ୍ରଶାସକଙ୍କର ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଏହି ଚିଟ୍ଫଣ୍ଡ ସଂସ୍ଥାରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର, ଉକ୍ତ ପ୍ରଶାସକ ଜଣକ ମୁହଁ ଖୋଲିବାକୁ ଡରୁଛନ୍ତି।
ଫୁଲବାଣୀରେ କାର୍ଯ୍ୟ କରୁଥିବା ଜଣେ ବ୍ୟାଙ୍କ ଅଧିକାରୀ ମଧ୍ୟ ଜମି ପାଇଁ ସମରେଶଙ୍କୁ ୨୦ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ମାତ୍ର, ସେ ବ୍ୟାଙ୍କ ଅଧିକାରୀ ଜଣକ ନିଜ ନାମ ପ୍ରକାଶ କରୁନାହାନ୍ତି। ସେହିଭଳି, ଫୁଲବାଣୀ ଆଇଟିଡିଏ ଅଫିସ, ଖଜୁରୀପଡ଼ା ବ୍ଲକ୍, ଯୋଗାଣ ଅଫିସ ଏବଂ ଆଉ କେତେକ ସରକାରୀ ଅଫିସର କର୍ମଚାରୀ ଏବଂ ବଡ଼ବାବୁମାନେ ସେମାନଙ୍କ କଳାଟଙ୍କାକୁ ଏହି ଚିଟ୍ଫଣ୍ଡ ସଂସ୍ଥାରେ ବିନିଯୋଗ କରିଛନ୍ତି। ବର୍ତ୍ତମାନ ଏହି ସଂସ୍ଥାର କାର୍ଯ୍ୟକଳାପ ଉପରେ ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରି ଦେଇଥିବାରୁ ସରକାରୀ ବାବୁଙ୍କ ଆଖିରୁ ଏକପ୍ରକାର ନିଦ ହଜିଯାଇଛି।
ଅନ୍ୟପକ୍ଷରେ, ଅର୍ଥନୈତିକ ଅପରାଧୀ ଶାଖା (ଇଓଡବ୍ଲ୍ୟୁ) ଏହି ଚିଟ୍ଫଣ୍ଡ ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ଅନୁଧ୍ୟାନ କରୁଛି ବୋଲି ଡିଏସ୍ପି ମନୋଜ କୁମାର ସାମନ୍ତ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚିଟ୍ଫଣ୍ଡ ସଂସ୍ଥାକୁ ଅଧିକ ବ୍ୟାପକ କରିବାକୁ ବେନାମି ଲୋକଙ୍କ ନାମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଫୁଲବାଣୀ ଶାଖାରୁ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କାର ଋଣ ଜାଲିଆତି କରାଯାଇଥିଲା। ଏସ୍ବିଆଇର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଏହି ଋଣ ଜାଲିଆତିର ମାଷ୍ଟର୍ମାଇଣ୍ଡ୍ ଥିଲେ। ଗତକାଲି ତାଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି।