ଜୟପୁର: ଚିଟ୍ଫଣ୍ଡ ଜମାକାରୀ ମିଳିତ ମଞ୍ଚର ବୈଠକ ଜୟପୁର ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ମହାରଣାଙ୍କ ଆହ୍ୱାନରେ ଅଖିଳ ଚନ୍ଦ୍ର ତାପାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜମାକାରୀ ଯୋଗ ଦେଇଥିଲେ। ବୈଠକରେ ଚିଟ୍ଫଣ୍ଡ ଜମାକାରୀ ଆନ୍ଦୋଳନର ଆବାହକ ଜୟନ୍ତ ଦାସ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଜମାକାରୀଙ୍କୁ ବାରମ୍ବାର କରି ଆସୁଥିବା ପ୍ରତାରଣାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ପ୍ରତିବାଦରେ ନଭେମ୍ବର ୧୫ରେ କୋରାପୁଟ ଓ ନଭେମ୍ବର ୧୭ରେ ମାଲକାନଗିରିରେ ଗଣସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି।
୨୦୧୩ ପରେ ଜମାକାରୀଙ୍କ ଟଙ୍କାରେ କମ୍ପାନିଗୁଡ଼ିକ କରିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜବତ କରିଥିଲେ। ଜବତ ସମ୍ପତ୍ତି ଓ ଅର୍ଥ ସରକାର ନିଜ ପାଖରେ ରଖିଥିଲେ ବି ଜମାକାରୀଙ୍କୁ ଫେରାଉ ନାହାନ୍ତି। ଏବେ ସରକାର ହିଁ ଜମାକାରୀଙ୍କୁ ଠକୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ନିକଟରେ ସୁପ୍ରିମକୋର୍ଟ ଏହି ଠକାମି ଘଟଣାରେ ହସ୍ତକ୍ଷେପ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟଙ୍କା ଫେରସ୍ତରେ ଆପଣାଇଥିବା ଟାଳଟୁଳ ନୀତିକୁ ଭର୍ତ୍ସନା କରିଛନ୍ତି। ଆଇନ ଭିତ୍ତିରେ ଜମାକାରୀ ଚିହ୍ନଟ ଓ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାରଙ୍କୁ ସତ୍ୟପାଠ ମାଗିଛନ୍ତି। ଇତି ମଧ୍ୟରେ ସାହାରା ଗ୍ରୁପ ଅଧୀନରେ ୪ଟି ମଲ୍ଟି ଷ୍ଟେଟ୍ ସମବାୟର ଜମାକାରୀଙ୍କୁ କେନ୍ଦ୍ରୀୟ ସମବାୟ ମହାପ୍ରବନ୍ଧକ ଚିହ୍ନଟ କରି ‘ସେବି’ ନିକଟରେ ଥିବା ଅର୍ଥରୁ ଜମାଟଙ୍କା ଫେରସ୍ତ ନିର୍ଦ୍ଦେଶ ପରେ ସିଆର୍ସିଏସ୍-ସାହାରା ରିଫଣ୍ଡ୍ ୱେବ୍ ପୋର୍ଟାଲ ମାଧ୍ୟମରେ ଜମାକାରୀଙ୍କଠାରୁ ଅନ୍ଲାଇନ୍ କ୍ଲେମ୍ କରି ସାହାରା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଆରମ୍ଭ ହେଲାଣି।
ଆଇନ ଭିତ୍ତିରେ ଯେକୌଣସି ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା କ୍ଲେମ୍ ଆବେଦନରେ ଜମାକାରୀ ମିଳିତ ମଞ୍ଚ ଜରିଆରେ ଜିଲ୍ଲାପାଳଙ୍କଠାରେ ଆବେଦନ ଦାଖଲ ସହ ଜମାକାରୀ ଗଣସତ୍ୟାଗ୍ରହରେ ସାମିଲ ହେବାକୁ ମଞ୍ଚ ଆହ୍ବାନ ଦେଇଛି। କୋରାପୁଟ, ମାଲକାନଗିରି ଗଣସତ୍ୟାଗ୍ରହ ପୂର୍ବରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଜମାକାରୀ ବୈଠକ ପାଇଁ ସ୍ଥିର ହୋଇଛି। ବୈଠକରେ ସଦାନନ୍ଦ ଗୁଣ୍ଠା, ଲକ୍ଷ୍ମଣ ନାଏକ, ରାଜେନ୍ଦ୍ର ଡାକୁଆ ଓ ରାମଣା ଶିଶା ପ୍ରମୁଖ ଉପସ୍ଥିତ ଥିଲେ।