କୁଆଡ଼େ ଗଲା ସରକାରଙ୍କ ୩ ଶହ କୋଟିର କର୍ପସ୍ ପାଣ୍ଠି?
ଚିଟଫଣ୍ଡ ସଂସ୍ଥାଙ୍କ ଜବତ ସଂପତ୍ତିର ହିସାବ ନାହିଁ

Advertisment

କଟକ, (ଗଦାଧର ପଣ୍ଡା): ଚିଟ୍‌ଫଣ୍ଡ ଠକେଇରେ ନିଜର କଷ୍ଟ ଅର୍ଜିତ ଧନ ହରାଇଥିବା ଜମାକାରୀ ଆଉ ତାଙ୍କ ‌ଟଙ୍କା ଫେରି ପାଇବେ ତ?

ଏଭଳି ଆଶଙ୍କା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଚିଟ୍‌ଫଣ୍ଡ ଦୁର୍ନୀତି ସାମନାକୁ ଆସିବା ପରେ ଗଠନ କରାଯାଇଥିବା ଚିଟ୍‌ଫଣ୍ଡ କମିସନ ରାଜ୍ୟରେ ୫ ଲକ୍ଷ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଚିହ୍ନଟ କରିଥିଲେ। ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଚିଟ୍‌ଫଣ୍ଡ କମିସନ ପାଇଁ ରାଜକୋଷରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଗଲା ୫ ବର୍ଷ ଭିତରେ କ୍ଷତିଗ୍ରସ୍ତ ଜମାକାରୀ ପାଇ ପାରିଛନ୍ତି ମାତ୍ର ୮ କୋଟି ଟଙ୍କା। ଚିଟ୍‌ଫଣ୍ଡ ସଂସ୍ଥାର ଜବତ ସମ୍ପତ୍ତିର ନିଲାମ ବା ବିକ୍ରି ଅର୍ଥରୁ ଜମାକାରୀ ସେମାନଙ୍କର ସବୁ ‌ଟଙ୍କା ଫେରି ପାଇବାକୁ ନେଇ ରହିଥିବା ଆଶା ବି ଏବେ ମଉଳିବାରେ ଲାଗିଛି। ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାର କେତେ ସମ୍ପତ୍ତି ଆଟାଚ୍ ହେଲା, କେତେ ବିକ୍ରି ହେଲାଣି, ସେ ସବୁର ହିସାବ ମିଳୁନି। ଏମିତିକି ଏ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ ହୋଇଥିଲେ ବି ସ୍ପଷ୍ଟ ଚିତ୍ର ସାମନାକୁ ଆସି ପାରୁ ନାହିଁ। ସି-ସୋର୍ ଓ ଅନ୍ୟ ଚିଟଫଣ୍ଡ ସଂସ୍ଥାମାନଙ୍କର ଆଟାଚ୍ ସମ୍ପତ୍ତିର ହିସାବ ଜମାକାରୀଙ୍କୁ ଦିଆଯାଉ ନାହିଁ ବୋଲି ଜମାକାରୀ ମିଳିତ ମଂଚର ସଂପାଦକ ମଧୁସୂଦନ ବିଶ୍ବାସ ଅଭିଯୋଗ କରିଛନ୍ତି।

publive-image Representative image

ତଥ୍ୟ ଅନୁଯାୟୀ ଚିଟଫଣ୍ଡ୍ ସଂସ୍ଥାମାନେ ୫୦ ହଜାର କୋଟିରୁ ଅଧିକ ଟଙ୍କା ଜମାକାରୀଙ୍କ ଠାରୁ ଠକି ନେବା ଅଭିଯୋଗ ହୋଇଥିଲା। ୪୦୦ରୁ ଅଧିକ ଚିଟଫଣ୍ଡ ସଂସ୍ଥା ଏଭଳି କେଳେଙ୍କାରୀରେ ସାମିଲ ‌ଥିଲେ। ଚିଟଫଣ୍ଡ କମିସନ ମୋଟ ୧୭ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୪ ଲକ୍ଷ ୯୭ ହଜାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରିଥିଲେ। ସେଥିରୁ ୧୦ ହଜାରରୁ କମ ଟଙ୍କା ହରାଇଥିବା ୧ ଲକ୍ଷଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଜମା ଟଙ୍କା ଫେରାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେଥିରୁ ମାତ୍ର ୨୫୦୦ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି।

publive-image

ସୂଚନାଯୋଗ୍ୟ ଯେ ୨୦୧୩ରେ ରାଜ୍ୟରେ ଚିଟଫଣ୍ଡ କଳେଙ୍କାରୀ ସାମ୍ନାକୁ ଆସିଥିଲା। ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏପଟେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ କ୍ଷତିଗ୍ରସ୍ତ ଜମାକାରୀ ଆନ୍ଦୋଳନକୁ ଓହ୍ଲାଇବାରୁ ରାଜ୍ୟ ସରକାର ଗୋଟିଏ ବଡ ନିଷ୍ପତ୍ତି ନେଇଥିଲେ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରିବାକୁ ପ୍ରଥମେ ଜଷ୍ଟିସ୍ ପାତ୍ର କମିସନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ଜଷ୍ଟିସ ଏମ୍.ଏମ୍. ଦାସ ୨୦୧୫ରେ ଏହାର ଦାୟିତ୍ବ ନେଇଥିଲେ। କମିସନ ଜମାକାରୀମାନଙ୍କ ଠାରୁ ସତ୍ୟପାଠ ସହ ଦରଖାସ୍ତ ଆହ୍ବାନ କରିଥିଲେ। ପ୍ରାୟ ୧୭ ଲକ୍ଷ ଆବେଦନ କମିସନଙ୍କ ପାଖରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଲକ୍ଷ ୯୭ ହଜାର ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ପ୍ରତି ଦରଖାସ୍ତ ପିଛା ଜମାକାରୀ ସତ୍ୟପାଠରେ ୧୨ ଟଙ୍କା ଲେଖାଏଁ ଖର୍ଚ୍ଚ କରିଥିଲେ। ଏ ବାବଦରେ ସରକାର ୨ କୋଟି ଟଙ୍କାର ଟିକସ ମଧ୍ୟ ପାଇଥିଲେ।

୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ଚିଟଫଣ୍ଡ କର୍ପସ ପାଣ୍ଠିକୁ ୩୦୦ କୋଟି ଟଙ୍କା ଦେଇଥିଲେ। ସେଥିରୁ ଚିହ୍ନଟ କ୍ଷୁଦ୍ର ଜମାକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଥିଲା। ତହସିଲସ୍ତରରୁ ଏହି ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ମାତ୍ର ୨୫୦୦ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏହି ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ। ସେପଟେ ରାଜ୍ୟର କିଛି ବୃହତ ଚିଟଫଣ୍ଡ ସଂସ୍ଥା ଯଥା; ସି-ସୋର, ରୋଜଭ୍ୟାଲି ଓ ଅର୍ଥତତ୍ତ୍ବ ଭଳି ସଂସ୍ଥାର ସଂପତ୍ତି ଜବତ କରି ତାହକୁ ଆଟାଚ୍ କରି ବିକ୍ରି କରାଯାଉଛି। କିନ୍ତୁ ସେଥିରୁ ଲବ୍ଧ ଅର୍ଥ ଜମାକାରୀଙ୍କୁ ଫେରସ୍ତ କରାଯାଉ ନଥିବା ଶ୍ରୀ ବିଶ୍ବାଳ ଅଭିଯୋଗ କରିଛନ୍ତି।

publive-image

ଚିଟ୍‌ଫଣ୍ଡ କମିସନ ଇତିହାସ

୨୦୧୩, ଜୁଲାଇ ୯: ଜଷ୍ଟିସ ଆର.କେ ପାତ୍ର କମିସନ ଗଠନ
୨୦୧୩, ଜୁଲାଇ ୯: ସରକାରଙ୍କ ପକ୍ଷରୁ ୩୦୦ କୋଟିର କର୍ପସ ପାଣ୍ଠି ଗଠନ
୨୦୧୫, ଜାନୁଆରି ୨୮: ଜଷ୍ଟିସ ଆର.କେ ପାତ୍ରଙ୍କ ମୃତ୍ୟୁ
୨୦୧୫, ଫେବ୍ରୁଆରି ୪: ଜଷ୍ଟିସ ଏମ.ଏମ ଦାସଙ୍କୁ ନିଯୁକ୍ତି
୨୦୧୯, ଅଗଷ୍ଟ ୨: ୬ ମାସ ପାଇଁ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି
୨୦୨୦, ଫେବ୍ରୁଆରି ୪: ଜଷ୍ଟିସ ଏମ.ଏମ ଦାସ କମିସନର ଶେଷ କାର୍ଯ୍ୟ ଦିବସ
୨୦୨୦, ମାର୍ଚ୍ଚ: ପରବର୍ତ୍ତି ଆଦେଶ ନ ଆସିବାରୁ କମିସନ ଅଫିସ ବନ୍ଦ