ଜମାକାରୀ ମିଳିତ ମଞ୍ଚର ସମାବେଶ : ସରକାର ଆମ ଟଙ୍କା, ଆମକୁ ଫେରାଅ

ଭବାନୀପାଟଣା : ଲାଞ୍ଜିଗଡ଼ ତହସିଲ ଅଞ୍ଚଳର ଶତାଧିକ କ୍ଷତିଗ୍ରସ୍ତ ଜମାକାରୀ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଛତ୍ରପୁର ବିଦ୍ୟାଳୟଠାରେ ଏକତ୍ରିତ ହୋଇଥିଲେ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତାଙ୍କ କଷ୍ଟୋପାର୍ଜିତ ଜମାରାଶି ଫେରାଇବା, ଚିଟଫଣ୍ଡ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଦେଇଥିବା କେନ୍ଦ୍ରୀୟ ଆଇନ ସମୂହର ସଂଶୋଧନ କରିବା, ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତହସିଲ ଜରିଆରେ ଜମାକାରୀ ଚିହ୍ନଟ ଦାବି ନେଇ ଆସନ୍ତା ଏପ୍ରିଲ ୨୪ ତାରିଖରେ ଲାଞ୍ଜିଗଡ଼ ତହସିଲ ସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରଦୀପ ମହାରଣା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆବାହାକ ଜୟନ୍ତ ଦାସ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜମାକାରୀ ଆନ୍ଦୋଳନକୁ ବିଭିନ୍ନ ସମୟରେ ଦେଇଥିବା ପ୍ରତିଶ୍ରୁତି ଖିଲାପ କରିଥିବା ଯୋଗୁଁ ଜମାକାରୀମାନେ ଚରମ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ। ଏହି ଠକ କମ୍ପାନିମାନେ ଯାହା ଠକିଛନ୍ତି ସରକାର ତା ଉପରେ ଅଙ୍କୁଶ ଲଗାଇବେ ନାହିଁ। ତେଣୁ ଜମାକାରୀମାନେ ଉଭୟ ରାଜରାସ୍ତାରେ ଲଢ଼େଇ ସହ ଆଇନଗତ ମଧ୍ୟ ଲଢ଼ିବେ। ତେଣୁ ଏପ୍ରିଲ ଓ ମେ’ ମାସ ମଧ୍ୟରେ ତହସିଲ ସ୍ତରରେ, ଜୁନ ମାସରେ ଜିଲ୍ଲାସ୍ତରରେ, ଜୁଲାଇରେ ରାଜ୍ୟ ସ୍ତରରେ ଓ ଅଗଷ୍ଟରେ କେନ୍ଦ୍ରୀୟ ସ୍ତରରେ ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ମିଳିତ ମଞ୍ଚ ଆହ୍ଵାନ ଦେଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର