ଚିଟ୍‌ଫଣ୍ଡ ଜମାକାରୀଙ୍କ ସତ୍ୟାଗ୍ରହ

ବଡ଼ଗାଁ : ପୂର୍ବ ନିର୍ଦ୍ଧାରିତ ସୂଚୀ ଆଜି ଅନୁଯାୟୀ ବଡ଼ଗାଁ ତହସିଲ ଆଗରେ ଚିଟ୍‌ଫଣ୍ଡ ଜମାକାରୀମାନେ ଗଣ ସତ୍ୟାଗ୍ରହ କରିଥିଲେ। ଜମାକାରୀମାନେ ଏକ ଶୋଭାଯାତ୍ରାରେ ଡାକବଙ୍ଗଳାରୁ ବାହାରି ବସ୍‌ଷ୍ଟାଣ୍ଡ ଥାନା ଛକ ପରିକ୍ରମା କରି ତହସିଲ ଅଫିସକୁ ପହଞ୍ଚିବା ପରେ ଅତିରିକ୍ତ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ମଞ୍ଚ ଅବାହକ ଜୟନ୍ତ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଇ ସମାଲୋଚନା କରିଥିଲେ। ଉଦାରୀକରଣ ଅର୍ଥନୀତିର ଜନବିରୋଧୀ ତ୍ରୁଟିଯୁକ୍ତ ଆଇନ ଓ ରାଜ୍ୟ ସରକାରଙ୍କୁ ବ୍ୟବହାର କରି ଶହଶହ ଠକ କମ୍ପାନି ସ୍ୱଳ୍ପ ଦିନରେ ଜମାରାଶିରେ ଅଧିକ ପରିପକ୍ୱ ରାଶି ଦେବାର ଲୋଭ ଦେଖାଇ ଲକ୍ଷଲକ୍ଷ ଲୋକଙ୍କ କଷ୍ଟାର୍ଜିତ ଅର୍ଥ ନେଇ ଉଭାନ ହୋଇଗଲେ।

ନିରାଶ ଜମାକାରୀ ହାରିଗୁହାରି କରି ମଧ୍ୟ ଜମା ରାଶି ଫେରି ନପାଇବାରୁ ଆତ୍ମହତ୍ୟା ବି ଅକାଳ ମୃତ୍ୟୁର ଶିକାର ହେଉଥିବା ବେଳେ ‘ଆର୍ଥିକ ସାଂସ୍ଥମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଜମା ରାଶି ଫେରସ୍ତ, ତ୍ରୁଟିଯୁକ୍ତ ଆଇନ ସଂଶୋଧନ, ପ୍ରତ୍ୟେକ ତହସିଲ ଜରିଆରେ ଜମାକାରୀ ଚିହ୍ନଟ, ଠକାମୀରେ ଜଡ଼ିତ ପ୍ରତ୍ୟେକ କମ୍ପାନିର ମାଲିକଙ୍କୁ ଗିରଫ କରିବାକୁ ଦାବି କରି ଆସୁଥିଲେ ବି ସରକାର କର୍ଣ୍ଣପାତ କରୁ ନଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ଉଭୟ ସରକାର ଏହି ମହା ଦୁର୍ନୀତିର ଜନ୍ମଦାତା ହୋଇଥିବା ବେଳେ ଆଗାମୀ ୬ମାସ ମଧ୍ୟରେ ଟଙ୍କା ଫେରସ୍ତ ନ ଦେଲେ ଆନ୍ଦୋଳନକୁ ଅହୁରି ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ମିଳିତ ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ ଉଦ୍‌ବୋଧନ ଦେଇ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଥିବାରୁ ଜମାକାରୀମାନେ ଐକ୍ୟବଦ୍ଧ ଓ ସଙ୍ଗଠିତ ଭାବେ ମିଳିତ ମଞ୍ଚ ସହାୟତା ନେଇ ନିଜ କଷ୍ଟାର୍ଜିତ ଅର୍ଥର କ୍ଲେମ୍‌ ମକଦ୍ଦମା କରିବା ସହ ଅର୍ଥ ଫେରସ୍ତ ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହୋଇ ରହିବାକୁ ଆହ୍ଵାନ ଦେଇଥିଲେ।

ଏହା ପୂର୍ବରୁ ବଡ଼ଗାଁ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଜମାକାରୀମାନଙ୍କ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ତହସିଲ ମାଧ୍ୟମରେ ଜମାକାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ଦାବି କରାଯାଇଥିଲା। ସତ୍ୟାଗ୍ରହରେ ସୁଧାଂଶୁ ବେହେରା, ସନ୍ତୋଷିନୀ ପଣ୍ଡା, ରମେଶ ମହାନନ୍ଦିଆ, ପ୍ରମୋଦ ସାଏ, ନାରାୟଣ ପ୍ରଧାନ, ବୈଷ୍ଣବ ସାଏ, ଦୁଷ୍ମନ୍ତ କର୍ତ୍ତା, ସୁକାନ୍ତି କିସାନ, ନବୀନ ସାଏ, ନିର୍ମଳ ଲାକ୍ରା, ଅଜିତ ବେହେରା, ଯଶୋବନ୍ତ ବାଗ ପ୍ରମୁଖ ଜମାକାରୀ ଗଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର