କେସିଙ୍ଗା : ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଥିବା ଶହ ଶହ ଜମାକାରୀ କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଏକଜୁଟ୍‌ ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଜମାଟଙ୍କା ଫେରିନପାଇଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜମାକାରୀମାନେ ଏକଜୁଟ୍‌ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରିବା ସହିତ ତହସିଲ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏଥିରେ ଯୋଗଦେଇ ମଞ୍ଚର ସଭାପତି ଜୟନ୍ତ ଦାସ କହିଥିଲେ, ‘ ୪ ବର୍ଷ ହୋଇଗଲା କିନ୍ତୁ ସରକାର ସମସ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିପାରିନାହାନ୍ତି। କିଛି ଏଜେଣ୍ଟ୍‌ଙ୍କୁ ଗିରଫ କରାଯାଇଛି। ମାତ୍ର, କମ୍ପାନି ମୁଖ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସରକାର ସମସ୍ତଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ଟଙ୍କା ଫେରସ୍ତ ନକଲେ ଦେଶର ଚାଷୀ ଆନ୍ଦୋଳନ ଭଳି ସାରାରାଜ୍ୟରେ ଅନିର୍ଦ୍ଦିଷ୍ଟ ପାଇଁ ଦିବାରାତ୍ରି ସତ୍ୟାଗ୍ରହ ହେବ।’ ଜିଲ୍ଲା ତହସିଲରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଜମାକାରୀ ଏହି ଆନ୍ଦୋଳନ କରିବେ ବୋଲି ସେ ଚେତାବନୀ ଦେଇଥିଲେ। ଆହୁରି ମଧ୍ୟ ନିର୍ବାଚନଠୁ ଆରମ୍ଭ କରି ସବୁଠାରେ ଜମାକାରୀମାନେ ଅସହଯୋଗ କରିବେ ବୋଲି କହିଥିଲେ। ଏଥିସହିତ, ମଞ୍ଚ ପକ୍ଷରୁ ଏକ ୭ ଦଫା ଦାବିପତ୍ର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ବ୍ଲକ୍‌ ସଭାପତି ରଣଜିତ ହେରନାଙ୍କ  ସଭାପତିତ୍ୱରେ ରାଜ୍ୟ ସମ୍ପାଦକ ମଧୁସୂଦନ ଦାସ, ଉପ ସଭାପତି ବିଭୁଦତ୍ତ ମିଶ୍ର, ଅନୁରାଧା ସୁବୁଦ୍ଧି, ଲଳିତ ଦୀପ, ପରମେଶ୍ବର ସାହୁ, ଲକ୍ଷ୍ମୀ ହେରନା, ଶମ୍ଭୁ ବିଶି ପ୍ରମୁଖଙ୍କ ଉପସ୍ଥିତିରେ ଆନ୍ଦୋଳନ ହୋଇଥିଲା।