କ୍ରାଇମ୍‌ବ୍ରାଞ୍ଚ ମାମଲା ରୁଜୁ ନ କରିବାରୁ ଜମାକାରୀଙ୍କ ଧାରଣା

ଜିଏନ୍‌ ଗୋଲ୍ଡ ଚିଟ୍‌ଫଣ୍ଡ ସଂସ୍ଥାର ଦେଢ଼ ଶହ କୋଟି ଟଙ୍କା ଠକେଇ

ପୁଲିସ-ଜମାକାରୀ ଧସ୍ତାଧସ୍ତି

ଭୁବନେଶ୍ୱର : ଜିଏନ୍‌ ଗୋଲ୍ଡ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଜମାକାରୀଙ୍କୁ ସୁନା ଦେବାକୁ କହି ଦେଢ଼ ଶହ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମାମଲା ରୁଜୁ ନ କରିବାରୁ ଆଜି ଶତାଧିକ ଜମାକାରୀ ଲୋୟର ପିଏମ୍‌ଜିଠାରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ଶହ ଶହ ଜମାକାରୀ ସୂଚନା ଭବନ ନିକଟରେ ଏକତ୍ରିତ ହୋଇ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟକୁୁ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଜମାକାରୀ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜମାକାରୀମାନେ ବିଧାନସଭା ଅଞ୍ଚଳ ତଥା ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ସେଠାରେ ଥିବା ପୁଲିସ କର୍ମଚାରୀ ଅଟକାଇବା ପରେ ସେଠାରେ ଧାରଣାରେ ବସି ରହି ପ୍ରତିବାଦ କରିଥିଲେ।

ସୂଚନା ଅନୁଯାୟୀ, ଜିଏନ୍‌ ଗୋଲ୍ଡ ନାମକ ଦିଲ୍ଲୀ ଭିିତ୍ତିକ ଚିଟ୍‌ଫଣ୍ଡ ସଂସ୍ଥା ୨୦୦୮ ମସିହାଠାରୁ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ପ୍ରଭୃତି ଜିଲ୍ଲାମାନଙ୍କରେ ଏହାର କାର୍ଯ୍ୟାଳୟ ଖୋଲି ସଂସ୍ଥା ମାଲିକ ସତ୍‌ନାମ ସିଂହ ରନ୍ଧ୍ୱା ଏହିସବୁ ଜିଲ୍ଲାରେ ଜମାକାରୀମାନଙ୍କୁ ବିଭିନ୍ନ ସଭା ସମାବେଶରେ ଟଙ୍କା ଜମା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ସ୍ୱଳ୍ପ ଦିନ ବ୍ୟବଧାନରେ ଲୋଭନୀୟ ସୁଧ ଓ ଅଧିକ ଲାଭର ପ୍ରଲୋଭନ ଦେଖାଇ ସଂସ୍ଥା ୨୦୧୫ ମସିହା ଶେଷ ସୁଦ୍ଧା ଜମାକାରୀଙ୍କ ଦେଢ଼ ଶହ କୋଟି ଟଙ୍କା ନେଇ ଉଭାନ୍‌ ହୋଇଯାଇଥିଲା। ଜମାକାରୀମାନେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ସବୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଗତ ୨୦୧୬ ମସିହା ସେପ୍ଟେମ୍ବର ୨୮ତାରିଖରେ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାଠାରେ ଶହ ଶହ ସଂଖ୍ୟକ ଜମାକାରୀ ଉପସ୍ଥିତ ରହି ୨କୋଟି ୬୦ ଲକ୍ଷ ୮୦ ହଜାର ଟଙ୍କାର ଜମାରାଶିର ପ୍ରମାଣପତ୍ରର ନକଲ ସହ ଏତଲା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଏତଲା ପଞ୍ଜୀକୃତ ହୋଇନାହିଁ। ଜମାକାରୀମାନେ ଗତ ୧୪ମାସ ମଧ୍ୟରେ ତତ୍କାଳୀନ ଆଇଜି, ଏସ୍‌ପି ଏବଂ ବର୍ତ୍ତମାନର ଅଧିକାରୀଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାର ଏସ୍‌ପି, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓଙ୍କୁ ପ୍ରତିମାସ ତିନିରୁ ଚାରି ଥର ଲେଖାଏଁ ଗୁହାରି କଲାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ତେଣୁ ଉପାୟଶୂନ୍ୟ ହୋଇ ଆଜି ବିଭିନ୍ନ ଜିଲ୍ଲାରୁ ଶତାଧିକ ଜମାକାରୀ ସୁଧାଂଶୁ ବେହେରା, ବରୁଣ ବିଶି, ଚଣ୍ଡାଳ ପ୍ରଧାନ, ଲଳିତ ସାାହୁ, ତେଜସ୍ୱିନୀ ପଟେଲ୍‌, ସୁବାସିନୀ ବେହେରା, ସନ୍ତୋଷିନୀ ପଣ୍ଡା, ପରମାନନ୍ଦ ସାହୁ, ପରମେଶ୍ୱର ସାହୁ, ଅଜିତ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ରାଜଧାନୀରେ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟ ଘେରାଉ ପାଇଁ ଆସିଥିଲେ। ତେବେ ସେମାନେ ୧୪୪ ଧାରା ଭଙ୍ଗ କରି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମଧୁସୂଦନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧିଦଳ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଆଇଜି ଆରକେ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ଏ ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏତାଲା ନକଲ ଦେବେ ବୋଲି ଶ୍ରୀ ଶର୍ମା ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଯଦି ଖୁବ୍‌ଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଜମାକାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର