ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଥିବା ଏକ ଚିଟ୍‌ଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ଗତକାଲି ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି। ସେ ହେଲେ ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ(୬୦)। ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ କାରଣ ଜଣାପଡ଼ିବ। ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡ଼ରେ ରାମକୃଷ୍ଣ ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ୍‌ ନାମରେ ପୂର୍ବରୁ ଚାଲିଥିବା ଚିଟ୍‌ଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥିଲେ ଭାର୍ଗବ। ତାଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିବା ବେଳେ ବହୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସେ ଦଣ୍ଡ ଭୋଗୁଥିଲେ। ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ବଡ଼ ଡ‌ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ସେଠାରେ ଥିବା ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୂର୍ବରୁ ତାଙ୍କର ଛାତି ଏବଂ ବୃକ୍‌କଜନୀତ ସମସ୍ୟା ରହିଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

Advertisment

ଏଠାରେ ଉଲ୍ଲେଖ‌ଯୋଗ୍ୟ ଯେ, ଜନାନା ହସ୍ପିଟାଲ ରୋଡ଼ରେ ରାମକୃଷ୍ଣ ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ୍‌ ନାମରେ ଏକ ଠକସଂସ୍ଥା ଗ୍ର‌ାହକଙ୍କୁ ପ୍ରଲୋଭିତ କରି ବିଭିନ୍ନ ସ୍କିମ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଠକି ନେଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥିବା ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେଙ୍କୁ ସେହିବର୍ଷ ଅଗଷ୍ଟ ମାସରେ ଗିରଫ କରି କୋର୍ଟଚାଲାଣ କରିଥିଲା। ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ୮ଟି ମାମଲାର ବିଚାରଣା କରି ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି। ସେଥିରୁ ଗୋଟିଏ ମାମଲାରେ ସର୍ବାଧିକ ୧୦ବର୍ଷ କାରାଦଣ୍ଡାଦେଶ ହୋଇଛି। ଏହାସହିତ ଗୋଟିଏ ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଆଉ ୨ଟି ମାମଲା ଉକ୍ତ କୋର୍ଟରେ ବିଚାରାଧୀନ ଥିବା ନେଇ ସ୍ୱତନ୍ତ୍ର ପିପି ବିଜୟ ପ୍ରଧାନ ସୂଚନା ଦେଇଛନ୍ତି।