ଅନିଶ୍ଚିତତା ଭିତରେ ଚିଟ୍‌ଫଣ୍ଡ ତଦନ୍ତ : ୧୧ ଦିନ ହେଲା ସରିଲାଣି କମିସନଙ୍କ କାର୍ଯ୍ୟକାଳ

କଟକ : ଚିଟ୍‌ଫଣ୍ତ୍‌ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ରେ ଶେଷ ହୋଇଥିବା ବେଳେ କମିସନ ସଂପର୍କରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବାର ଯଥେଷ୍ଟ ପୂର୍ବରୁ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖା ଯାଇଥିଲା। କିନ୍ତୁ ଏ ନେଇ ସରକାରଙ୍କ ପକ୍ଷରୁ କିଛି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ତେଣୁ ତଦନ୍ତର ଅଗ୍ରଗତି ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଏହା ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରୁଥିବା ବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ୪ ତାରିଖରୁ ଶେଷ ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ନାହିଁ। କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବା କି ନାହିଁ ସେ ନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରୁ ନାହାନ୍ତି। ଏପରି ପରିସ୍ଥିତିରେ ଜମାକାରୀମାନେ ଆଶଙ୍କା ଭିତରେ ରହିଛନ୍ତି ଓ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଥିବା କୁହାଯାଉଛି।

Image Source: Bank Bazar

କାର୍ଯ୍ୟକାଳ ବୃଦ୍ଧି କରାଯାଇ ନଥିଲେ ମଧ୍ୟ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ତଦନ୍ତ ମାମଲା ଗୁଡିକର କମିସନ୍ ନିର୍ଦ୍ଧାରିତ ତାରିଖରେ ଏବେ ଶୁଣାଣି କରୁଛନ୍ତି ବୋଲି ସୂଚନା ମିଳିଛି। ଏଥି ସହିତ ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପହଞ୍ଚି ଥିବା ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ୪ ତାରିଖରୁ ଶେଷ ହୋଇଥିବା ବେଳେ ଏବେ କରାଯାଉଥିବା ତଦନ୍ତ କେତେ ଦୂର ଗ୍ରହଣୀୟ ହେବ ତାକୁ ନେଇ ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି। ଏଥି ସହିତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ଆଉ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଶେଷ କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଦେଖା ଦେଇଥିବା ସ୍ଥିତିରେ ଅଷ୍ଟମ ରିପୋର୍ଟ ପ୍ରଦାନ କରାଯିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯, ଡିସେମ୍ବର ୧୧ରେ ତଦନ୍ତର ଟର୍ମସ୍ ଅଫ୍ ରେଫେରେନ୍ସରେ ସରକାର ସଂଶୋଧନ କରିବା ପରେ କମିସନ୍ ବୃହତ ଜମାକରୀଙ୍କ ଚିହ୍ନଟ ବନ୍ଦ ରଖିଥିବା ବେଳେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଜାରି ରଖିଥିଲେ। ୨୦୧୯, ମେ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ଉପରେ ଆଧାର କରି କମିସନ୍ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ସରକାରଙ୍କୁ ୭ଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି।

ସମ୍ବନ୍ଧିତ ଖବର