ଚିଟ୍‌ଫଣ୍ଡ ତଦନ୍ତ: ୨ ବର୍ଷ ହେଲା କମିସନ ଅଫିସ୍‌ ବନ୍ଦ; ଯାଞ୍ଚ ହୋଇପାରିନି ୭ ଲକ୍ଷ ସତ୍ୟପାଠ, ତଦନ୍ତରେ ଖର୍ଚ୍ଚ ହେଲାଣି ୬ କୋଟି

କଟକ, (ଚୌଧୁରୀ ଅଶ୍ବିନୀ କୁମାର ଦାସ): ରାଜ୍ୟରେ ଚିଟ୍‌ଫଣ୍ଡ ତଦନ୍ତର ସ୍ଥିତି କଣ? ଚିଟ୍‌ଫଣ୍ଡରେ ଠକି ଯାଇଥିବା ରାଜ୍ୟର ଲକ୍ଷାଧିକ ନିବେଶକାରୀ ଏ କ୍ଷେତ୍ରରେ ଉଦାସୀନତାକୁ ନେଇ ଏବେ ହତାଶ। ୨୦୨୦, ଫେବ୍ରୁଆରି ୪ରୁ ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ‌ଶେଷ ହୋଇ ସାରିଛି। କମିସନର ତଦନ୍ତ କାଳ ଆଉ ବୃଦ୍ଧି କରାଯାଇ ନାହିଁ କି ନୂଆ ତଦନ୍ତ କମିସନ ଗଠନ କରାଯାଇନାହିଁ। ‌୨୦୨୨, ଫେବ୍ରୁଆରି ୪ ତାରିଖରେ ଚିଟଫଣ୍ଡ ତଦନ୍ତ ବନ୍ଦ ହେବା ଘଟଣାକୁ ଦୁଇ ବର୍ଷ ପୂରିଛି। ସରକାର କିନ୍ତୁ ଏହି ପ୍ରସଂଗରେ ପୂରା ଚୁପ୍ ରହିଛନ୍ତି। କାର୍ଯ୍ୟକାଳ ବୃଦ୍ଧି ନ ହେବାରୁ ୨୦୨୦, ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। କେବଳ କର୍ମଚାରୀମାନେ କିଛି ଦିନ ଆସୁଥିଲେ। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ ସେ ନେଇ ସରକାର କିଛି ନ କହିବାରୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ୨୦୨୦, ଜୁନ୍ ମାସରେ ଚିଠି ଲେଖା ଯାଇଥିଲା। ଏହା ପରେ ବି ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ କିଛି ଉତ୍ତର ମିଳି ନଥିଲା। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସ ଲାଇନସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡି ରହିଛି। ଆସବାବପତ୍ର, କମ୍ପ୍ୟୁଟର ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। ତାହାର ରକ୍ଷଣାବେକ୍ଷଣ ପାଇଁ ବି କିଛି ବ୍ୟବସ୍ଥା କରାଯାଇ ନାହିଁ।

Patrika

ଚିଟ୍‌ଫଣ୍ଡ ଦୁର୍ନୀତିର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାପରେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟ୍‌ଫଣ୍ଡରେ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ମଉଳି ଯାଇଥିଲା।

ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଅନ୍ୟପକ୍ଷରେ କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବା ବେଳେ କାର୍ଯ୍ୟକାଳ ଆଉ ବଢି ନଥିଲା। କିନ୍ତୁ ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ୍ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୯, ଜାନୁଆରି ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠ ଗୁଡିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡି ରହିଛି। ଏହି ସତ୍ୟପାଠର କଣ ଭବିଷ୍ୟତ ତାହା ଏବେ କହିବା କଷ୍ଟକର।

ଚିଟଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ଦେଖା ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ଚିଟଫଣ୍ଡ ତଦନ୍ତ ପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ଏ ପର୍ଯ୍ୟନ୍ତ ସରକାରୀ ତହବିଲରୁ ଗଲାଣି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା ବିରଳ ବୋଲି କୁହାଯାଉଛି। କିନ୍ତୁ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ ହେଉଛି। କାରଣ ଏ ପର୍ଯ୍ୟନ୍ତ ତଦନ୍ତ ସଂପୂର୍ଣ୍ଣ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର