ଚୌଧୁରୀ ଅଶ୍ବିନୀ ଦାସ
କଟକ: ଚିଟ୍ଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି। ୨୦୧୩ ଜୁଲାଇ ୯ରେ ସରକାର ପ୍ରଥମଥର ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ ଗଠନ କରିଥିଲେ। ଏଥି ସହିତ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ଶହ କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ ନେଇ ଘୋଷଣା କରିଥିଲେ। ବିଭିନ୍ନ ସମୟରେ ଟର୍ମସ ଅଫ୍ ରେଫରେନ୍ସରେ ପରିବର୍ତ୍ତନ କରି ରାଜ୍ୟ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ୨୦୨୦ ଫେବ୍ରୁଆରି ୪ରେ ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହା ଆଉ ବୃଦ୍ଧି କରାଯାଇ ନଥିଲା। ତଦନ୍ତ ଅଧାରେ ରହି ଯାଇଥିଲେ ବି କମିସନ ସେତେବେଳକୁ ୭ଟି ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଥିଲେ। କିନ୍ତୁ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଏହି ରିପୋର୍ଟ ସଂକ୍ରାନ୍ତରେ ସରକାର ନିଜର ସ୍ଥିତି ସ୍ପଷ୍ଟ କରି ନାହାନ୍ତି।
ଅଳିଆଗଦାରେ ଲକ୍ଷାଧିକ ଜମାକାରୀଙ୍କ ସତ୍ୟପାଠ
ବିଧାନସଭାରେ ଉପସ୍ଥାପନ ହେଉନି କି ସାର୍ବଜନୀନ ହେଉନି
ତଦନ୍ତ ବନ୍ଦ ହେବା ପୂର୍ବରୁ କମିସନ୍ ୪ ଲକ୍ଷ ୯୭ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଦାଖଲ କରିଥିଲେ। ଏହି ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ିରହିଛି। ଚିଟ୍ଫଣ୍ଡ ତଦନ୍ତ ଅଧାରୁ ବନ୍ଦ ହୋଇଥିଲେ ବି ଏଥିପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା। କିନ୍ତୁ କମିସନ ପ୍ରଦାନ କରିଥିବା ଅନ୍ତରୀଣ ରିପୋର୍ଟ ବି ସାର୍ବଜନୀନ କରାଯାଉ ନାହିଁ। ରିପୋର୍ଟରେ କଣ ପରାମର୍ଶ ସବୁ ରହିଛି ତାହା ତଦନ୍ତ କମିସନ ବସିବାର ୧୨ ବର୍ଷ ପରେ ବି ଜଣାପଡୁ ନାହିଁ। ବର୍ତ୍ତମାନ ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଉଥିଲେ ବି କମିସନଙ୍କ ନିକଟରେ ଦୁଇଟି ପର୍ଯ୍ୟାୟରେ ଦାଖଲ ହୋଇଥିବା ୧୪ ଲକ୍ଷରୁ ଅଧିକ ସତ୍ୟପାଠକୁ ବିଚାରକୁ ନିଆଯାଉ ନାହିଁ। ଏଥି ସହିତ କମିସନ ଅଫ୍ ଇନ୍କ୍ବାରି ଆଇନ ଅନୁସାରେ କମିସନଙ୍କ ରିପୋର୍ଟଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବା ଲାଗି ବି ପଦକ୍ଷେପ ନିଆଯାଉ ନାହିଁ। ବକ୍ସିବଜାର ପୁଲିସ ଲାଇନ୍ସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡ଼ିରହିଛି। ତାହାର ସ୍ଥିତିକୁ ନେଇ ବି ଏବେ ସନ୍ଦେହ ରହୁଛି। ୧୨ ବର୍ଷର ତଦନ୍ତ ପ୍ରକ୍ରିୟାରୁ ମିଳିଥିବା ତଥ୍ୟକୁ ଯଦି ଗୁରୁତ୍ବ ଦିଆ ନଯାଏ ତେବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ବାସ୍ତବରେ କେତେ ଉପକୃତ ହେବେ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।