୧୯ରୁ ଜମାକାରୀଙ୍କ ରାଜ୍ୟସ୍ତରୀୟ ସତ୍ୟାଗ୍ରହ

ଭୁବନେଶ୍ବର : ଛୋଟବଡ଼ ନିର୍ବିଶେଷରେ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ, ସମସ୍ତ ତ୍ରୁଟିଯୁକ୍ତ ଆଇନ ସଂଶୋଧନ ଦାବିରେ ଆସନ୍ତା ଫେବ୍ରୁଆରି ୧୯ରୁ ରାଜ୍ୟସ୍ତରୀୟ ଜମାକାରୀ ସତ୍ୟାଗ୍ରହ ଅନୁଷ୍ଠିତ ହେବ। ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆହ୍ବାନରେ ଅନୁଷ୍ଠିତ ହେବାକୁ ଥିବା ଏହି ସତ୍ୟାଗ୍ରହରେ ରାଜ୍ୟର ସମସ୍ତ ଜିଲ୍ଲା ଓ କମ୍ପାନି ନିର୍ବିଶେଷରେ ଜମାକାରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ମାଷ୍ଟର କ୍ୟାଣ୍ଟିନ୍ ଛକରେ ଜମାକାରୀମାନେ ଏକାଠି ହୋଇ ପ୍ରତିବାଦ ଜଣାଇବେ ବୋଲି ମଞ୍ଚର ଆବାହକ ଜୟନ୍ତ ଦାସ ସୂଚନା ଦେଇଛନ୍ତି।

ମଞ୍ଚର କହିବାନୁଯାୟୀ, ଲକ୍ଷ ଲକ୍ଷ ଲୋକଙ୍କଠାରୁ ଜମାରାଶି ନେଇ ନିର୍ଧାରିତ ସମୟରେ ଟଙ୍କା ନ ଫେରାଇବାରୁ ଜମାକାରୀମାନେ ପ୍ରତିବାଦ ଆରମ୍ଭ କରିଥିଲେ। ସରକାର ଏସବୁ କମ୍ପାନି ଉପରେ ଚଢ଼ାଉ କରି କାର୍ଯ୍ୟାଳୟ ସିଲ୍ କରିବା ସହିତ ସଂପତ୍ତି ଜବତ କଲେ। ମାତ୍ର ଟଙ୍କା ଫେରାଇବା ଦାୟିତ୍ବ ବହନ କରିବା ପରିବର୍ତେ ସରକାର କାଳ କ୍ଷେପଣ ନୀତି ଆପଣାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଜମାକାରୀଙ୍କୁ ପ୍ରତାରିତ କରିଛନ୍ତି। ତେଣୁ ଚିଟଫଣ୍ଡ ଠକେଇ ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ବେତପତ୍ର ପ୍ରକାଶ କରନ୍ତୁ। କେଉଁ କେଉଁ କମ୍ପାନି ବିରୋଧରେ ଅଭିଯୋଗ ପଞ୍ଜୀକୃତ ହୋଇଛି ଓ କେଉଁ କମ୍ପାନି ଉପରେ ମକଦ୍ଦମାର ଚାର୍ଜସିଟ୍ ଦାଖଲ ହୋଇଛି, କେଉଁ କମ୍ପାନିର କି କି ସଂପତ୍ତି ଜବତ ହୋଇଛି ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରନ୍ତୁ। ସିବିଆଇ ୪୪ଟି କମ୍ପାନି ମଧ୍ୟରୁ କେଉଁ କେଉଁ କମ୍ପାନି ଉପରେ ଚାର୍ଜସିଟ୍ ହୋଇଛି, କେନ୍ଦ୍ର ସରକାର କେଉଁ କେନ୍ଦ୍ରୀୟ ଆଇନ ସଂଶୋଧନ କରିଛନ୍ତ ଓ କେନ୍ଦ୍ର ସରକାରଙ୍କ ଇଡି ନେଇଥିବା ଟଙ୍କା ଜମାକାରୀଙ୍କୁ କେବେ ଫେରାଇବେ ତାହା ସଂପର୍କରେ ଉଲ୍ଲେଖ କରନ୍ତୁ। ସାଢ଼େ ୫ବର୍ଷ ପରେ ଜମାକାରୀଙ୍କର ବୁଡ଼ିଥିବା ଜମାରାଶିର ପ୍ରମାଣ ପତ୍ର ମାଗାଯାଇଥିଲା ଓ ଜମାକାରୀଙ୍କ ପକ୍ଷରୁ ସତ୍ୟପାଠ ଦିଆଯାଇଥିଲା। ସରକାର ଆସନ୍ତା ମାସ ୧୫ତାରିଖ ମଧ୍ୟରେ ଟଙ୍କା ଫେରସ୍ତ, ଆଇନ ସଂଶୋଧନ ଓ ଠକେଇ ବନ୍ଦ ସୁନିଶ୍ଚିତ ନ କଲେ ୧୯ତାରିଖରୁ ରାଜଧାନୀରେ ଜମାକାରୀମାନେ ସତ୍ୟାଗ୍ରହରେ ସାମିଲ ହେବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର