ବିଧାନସଭାରେ ପୁଣି ଚିଟ୍‌ଫଣ୍ଡ୍‌ ତାତି

ଭୁବନେଶ୍ବର : ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ଼ କରିବା ପରେ ସୋମବାର ଦିନ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି ଦେଖିବାକୁ ମିଳିଛି। ବିଜେପି ବିଧାୟକମାନେ ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ‌ରେ ଆଲୋଚନା ପାଇଁ ଦାବି କରି ‌ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକମାନେ ଚାଷୀଙ୍କ ବୀମା ଓ ପଶ୍ଚିମ ଓଡ଼ିଶାରେ ମରୁଡ଼ି ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ। ଫଳରେ ବିଧାନସଭାର ପ୍ରଥମାର୍ଦ୍ଧ ଆଦୌ ହୋଇପାରି ନ ଥିଲା।

ପ୍ରଥମାର୍ଦ୍ଧ ଅଚଳ, ସର୍ବଦଳୀୟ ବୈଠକ ବିଫଳ
ଫସଲ ବୀମା, ମରୁଡ଼ି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ସୋମବାର ଦିନ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେପି ପକ୍ଷରୁ ଅଣାଯାଇଥିବା ‘ଚିଟଫଣ୍ଡରେ କୋଟି କୋଟି ଟଙ୍କା ଖାଇଲା କିଏ?: କାହିଁକି ଆଖି ବନ୍ଦ କରି ଚୁପ ବସିଛନ୍ତି ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ ହେଲାନି ବୋଲି ପ୍ରଶ୍ନ କରିଥିଲେ। ସରକାର ଆଲୋଚନା‌କୁ ଡରୁଛନ୍ତି ବୋଲି ଆରୋପ ଲଗାଇଥିଲେ। କଂଗ୍ରେସ ସଭ୍ୟମାନେ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ। ଉଭୟ ପକ୍ଷର ‌ହୋହଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନଥିଲା। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ।

୧୧ଟା ୩୦ରେ ସମାନ ଅବସ୍ଥା ଜାରି ରହିଲା। ବାଚସ୍ପତି କହିଥିଲେ ଯେ ଚିଟ୍‌ଫଣ୍ଡ ପ୍ରସଙ୍ଗ ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି। କମିସନ ତଦନ୍ତ ମଧ୍ୟ କରୁଛନ୍ତି। ୨୦୧୪ରେ ତତ୍‌କାଳୀନ ବାଚସ୍ପତି ଆଡ୍‌ଭୋକେଟ ଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ ଯେ ଚିଟ୍‌ଫଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରିବ ନାହିଁ। ଏହି ପ୍ରସଙ୍ଗ ବର୍ତ୍ତମାନର ପ୍ରସଙ୍ଗ ନୁହେଁ। ତେଣୁ ଏହା ଗୃହରେ ଆଲୋଚନା ହୋଇପାରିବ ନାହିଁ। ବାଚସ୍ପତିଙ୍କ କଥାକୁ ବିଜେପି ସଭ୍ୟମାନେ ଗ୍ରହଣ କରି ନଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଧାୟକମାନଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ବାଚସ୍ପତି ସରକାରଙ୍କୁ ସୁରକ୍ଷା ଦେଉଛନ୍ତି। ବାଚସ୍ପତି କହିଥିଲେ କାହାକୁ ସୁରକ୍ଷା ଦିଆଯାଉନି। ଯାହା ବିଧିବ୍ୟବସ୍ଥା ରହିଛି, ସେହି ଅନୁଯାୟୀ ଗୃହ ଚାଲୁଛି। ତେବେ ବିଧାୟକମାନଙ୍କ ନାରାବାଜି ବନ୍ଦ ନହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। କିନ୍ତୁ ସର୍ବଦଳୀୟ ବୈଠକରେ କିଛି ନିର୍ଯ୍ୟାସ ବାହାରି ପାରି ନଥିଲା। ବୈଠକ‌ ପରେ ପୁନର୍ବାର ଗୃହରେ ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କଲେ।

ସମ୍ବନ୍ଧିତ ଖବର