ଭୁବନେଶ୍ବର: ଆଜି ବିଧାନସଭାରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଛି। ଗୃହରେ ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଥିଲେ। ଗୃହରେ ବାଚସ୍ପତି କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି। କମିସନ ତଦନ୍ତ କରୁଛନ୍ତି। ୨୦୧୪ରେ ତତକାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି। ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଏଣେ ସରକାର ଚିଟଫଣ୍ଡ ଆଲୋଚନାକୁ ଡରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ। ଏହି ପ୍ରସଙ୍ଗରେ ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

Advertisment

ଉଲ୍ଲେଖଯୋଗ୍ୟ, ଆଜି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ପ୍ରତିବାଦ କରିଥିଲା ବିଜେପି । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ଏହା ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ଓ ମରୁଡ଼ି ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି କରିଥିଲେ। ଫଳରେ ଚାଲି ପାରିନଥିଲା ପ୍ରଶ୍ନକାଳ। ଶୂନ୍ୟକାଳ ଆରମ୍ଭ ହେବା ପରେ ମଧ୍ୟ ବିରୋଧୀ ସଦସ୍ୟ ହୋହଲ୍ଲା କରିଥିଲେ।