ଚିଟ୍‌ଫଣ୍ଡ୍‌ ସଂସ୍ଥା ସଂଖ୍ୟା, ଠକିଥିବା ଅର୍ଥର ପରିମାଣ ଜଣାପଡ଼ିନି: ଅର୍ଥ ମନ୍ତ୍ରୀ

ଠକାମିର ଶିକାର ଜମାକାରୀଙ୍କ ସଂଖ୍ୟା ଜଣାନାହିଁ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର କୌଣସି ଚିଟ୍‌ଫଣ୍ଡ୍‌ ସଂସ୍ଥାକୁ ମଞ୍ଜୁରୀ ଦେଇ ନ ଥା’ନ୍ତି। ଏମ୍ ଏମ୍ ଦାସ ତଦନ୍ତ କମିସନ୍‌, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା, ଜିଲ୍ଲା ପୁଲିସ୍ ଅଧିକାରୀ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ପ୍ରକ୍ରିୟା ଚାଲୁଛି। ତେଣୁ ମୋଟ୍‌ ବେଆଇନ ଆର୍ଥିକ ପ୍ରତିଷ୍ଠାନ ସଂଖ୍ୟା, ସେମାନେ ଠକିଥିବା ଅର୍ଥର ପରିମାଣ ଓ ସେମାନଙ୍କ ଦ୍ବାରା ଠକାମିର ଶିକାର ହୋଇଥିବା ଜମାକାରୀଙ୍କ ସଂଖ୍ୟା କହିବା ସମ୍ଭବ ନୁହେଁ। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ଏମିତି ଲିଖିତ ଉତ୍ତର ଦେଇଛନ୍ତି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନ ଥିଲା, ରାଜ୍ୟରେ ଜମାକାରୀଙ୍କୁ ଠକିଥିବା ଚିଟ୍‌ଫଣ୍ଡ୍‌ କମ୍ପାନିଙ୍କ ସଂଖ୍ୟା କେତେ, ସେମାନେ ମୋଟ୍‌ କେତେ ଟଙ୍କା ହଡ଼ପ କରିଛନ୍ତି, କେତେ ଠକ ସଂସ୍ଥାଙ୍କ ବିରୋଧରେ ତଦନ୍ତ ଶେଷ ହୋଇଛି ଓ ‌େସମାନଙ୍କଠାରୁ କେତେ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି ? ବିଧାୟକ ମଦନ ମୋହନ ଦତ୍ତ ଓ ମୋହନ ମାଝୀ ମଧ୍ୟ ଏ ସଂକ୍ରାନ୍ତରେ ଲିଖିତ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଅର୍ଥ ମନ୍ତ୍ରୀ ଦର୍ଶାଇଛନ୍ତି, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ୨୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୭୫ଟି ମାମଲା ବିଭିନ୍ନ ଥାନାରେ ରୁଜୁ କରିଛି। ସେଥି ମଧ୍ୟରୁ ୧୩୫ଟି ମାମଲାରେ ତଦନ୍ତ ଶେଷ ହୋଇ ଚାର୍ଜସିଟ୍‌ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଏହି ୬୭୫ଟି ମାମଲା ମଧ୍ୟରୁ ୪୪ଟି ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ହୋଇଥିବା ୮୫ଟି ମାମଲାର ତଦନ୍ତ ଭାର ସିବିଆଇ, ଏସ୍‌ଆଇଟି ଗ୍ରହଣ କରିଛନ୍ତି। ଏହା ବାଦ୍ ୫୧ ଆର୍ଥିକ ପ୍ରତିଷ୍ଠାନ ବିରୋଧରେ ୬୪ଟି ମାମଲା ଓପିଆଇଡି ଆଇନ ଅନୁସାରେ ବିଭିନ୍ନ ନ୍ୟାୟାଳୟରେ ଚାଲୁ ଅଛି। ଯେହେତୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ଓ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ବି‌େରାଧରେ ମାମଲା ବିଭିନ୍ନ ନ୍ୟାୟାଳୟରେ ବିଚାରାଧୀନ ଅଛି, ତେଣୁ ସେହି ଆର୍ଥିକ ପ୍ରତିଷ୍ଠାନମାନଙ୍କଠାରୁ ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରଦାନ ବର୍ତ୍ତମାନ ସମ୍ଭବ ନୁହେଁ।

ଜଷ୍ଟିସ୍ ମଦନ ମୋହନ ଦାସ ତଦନ୍ତ କମିସନ୍‌ ବାବଦରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ତଦନ୍ତ କମିସନ୍ ଇତି ମଧ୍ୟରେ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିସନ୍‌ଙ୍କ ସୁପାରିସ୍ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ୨୦୧୩ ମସିହା ବିଜ୍ଞପ୍ତିର ନିର୍ଦ୍ଧାରିତ ସମୟ ମଧ୍ୟରେ ସତ୍ୟପାଠ ଦାଖଲ କରି ନ ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୁନର୍ବାର ସୁଯୋଗ ଦେବା ପାଇଁ କମିସନ୍ ଜାରି କରିଥିବା ସାନି ବିଜ୍ଞପ୍ତି ଆଧାରରେ ଧାର୍ଯ୍ୟ ତାରିଖ ୨୦୧୯ ଜାନୁଆରି ୩୧ ତାରିଖ ସୁଦ୍ଧା ପ୍ରାୟ ସାତ ଲକ୍ଷ ସତ୍ୟପାଠ କମିସନ୍‌ଙ୍କ ନିକଟରେ ଦାଖଲ ହୋଇଛି। ଖୁବ୍ ଶୀଘ୍ର ଏହି ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଡିଜିଟାଇଜେସନ୍‌ ପରେ ସେହି ସତ୍ୟପାଠଗୁଡ଼ିକର ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହେବ। କମିସନ୍‌ଙ୍କଠାରୁ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ତଦନ୍ତ କମିସନ୍‌ ଆଇନ୍,୧୯୫୨ର ଧାରା(୩)ର ଉପଧାରା ୪ ଅନୁଯାୟୀ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ଓ ଏହାର କାର୍ଯ୍ୟାନ୍ବୟନ ବିବରଣୀ ବିଧାନସଭା‌ ଗୃହରେ ଉପସ୍ଥାପନ କରାଯିବ। ତଦନ୍ତ କମିସନ୍‌ଙ୍କୁ ପ୍ରଦତ୍ତ ଟର୍ମସ୍ ଅଫ୍ ରେଫରେନ୍ସରେ ୧୦ ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର