ଫେରିଲା ଚିଟ୍‌ଫଣ୍ଡ ଆନ୍ଦୋଳନ: ଜମାକାରୀଙ୍କ ଡିଜିଟାଲ ସତ୍ୟାଗ୍ରହ

କରୋନା ସଂକ୍ରମଣ କମିଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ
କେତେ ଟଙ୍କାର ସଂପତ୍ତି ନିଲାମ ହୋଇଛି ସରକାର ଶ୍ବେତପତ୍ର ପ୍ରକାଶ କରନ୍ତୁ

ଭୁବନେଶ୍ୱର : ପୁଣି ଫେରିଛି ଚିଟ୍‌ଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ। ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆହ୍ବାନକ୍ରମେ ରାଜ୍ୟବ୍ୟାପୀ ସମସ୍ତ ତହସିଲ ସମ୍ମୁଖରେ ଜମାକାରୀମାନେ ଡିଜିଟାଲ ସତ୍ୟାଗ୍ରହ କରିଛନ୍ତି। ମଞ୍ଚର ବ୍ୟାନର, ପ୍ଲାକାର୍ଡ ଓ ସ୍ଲୋଗାନ ସହ ଭର୍ଚୁଆଲ ମୋଡରେ କୋଭିଡ ସତକର୍ତା ସହ ଜମାକାରୀମାନେ ଏଥିରେ ସାମିଲ ହୋଇଛନ୍ତି। ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ଆହୁରି ହ୍ରାସ ପାଇଲେ ଜମାକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିବାରାତ୍ର ସତ୍ୟାଗ୍ରହ ଆରମ୍ଭ କରିବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
ମଞ୍ଚ ପକ୍ଷରୁ କୁହାଯାଇଛି ଯେ ସରକାରୀ ପ୍ରୋତ୍ସାହନ ନେଇ ଅସାଧୁ ଚିଟ୍‌ଫଣ୍ଡ ସଂସ୍ଥାମାନେ ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଜମାଟଙ୍କା ନେଇ ଉଭାନ୍ ହୋଇଗଲେ। ବିଭିନ୍ନ ପର୍ଯ୍ୟାୟରେ ଜମାକାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ସରକାର ଏହାର ତଦନ୍ତ ଘୋଷଣା କରିଥିଲେ। ଏଥିପାଇଁ ଏକ କର୍ପସ ପାଣ୍ଠି ଘୋଷଣା କରି ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇଥିଲେ। ପରବର୍ତୀ ସମୟରେ ଜମାକାରୀମାନେ ନିଜ ଜମାରାଶି ପ୍ରମାଣ ସହ ଟଙ୍କା ଦାବି କରିବା ପାଇଁ ତଦନ୍ତ କମିସନ ସତ୍ୟପାଠ ଆହ୍ବାନ କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀ କୋର୍ଟ ଫି’ ଦେଇ ଖର୍ଚାନ୍ତ ହୋଇ ସତ୍ୟପାଠ ରେଜିଷ୍ଟ୍ରି ପୋଷ୍ଟରେ ପଠାଇଥିଲେ।

ତଦନ୍ତ କମିସନ ୭ଟି ପର୍ଯ୍ୟାୟରେ ୫ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସୁପାରିସ କରିଥିଲେ। ତହିଁରୁ ସ୍ବଳ୍ପ କେତେ ଜଣଙ୍କୁ ରାଜ୍ୟ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦେଇ ବାକି ଜମାକାରୀଙ୍କୁ ଟଙ୍କା ଫେରାଉ ନାହାନ୍ତି। ୨୦୧୮/୧୯ରେ ନେଇଥିବା ଲକ୍ଷ ଲକ୍ଷ ସତ୍ୟପାଠର ଲଫାଫା ଖୋଲିବା ପୂର୍ବରୁ ସରକାର ତଦନ୍ତ କମିସନଙ୍କୁ ବନ୍ଦ କରିଦେଇଥିଲେ।

ଅପରପକ୍ଷରେ ଜମାକାରୀଙ୍କ ଜମାଟଙ୍କାରୁ କମ୍ପାନିମାନେ ଜମା ରଖିଥିବା ବ୍ୟାଙ୍କ ଆକାଉଣ୍ଟ ଜବତରୁ ଶହ ଶହ କୋଟି ଟଙ୍କା ରାଜ୍ୟ ସରକାର ରଖିଛନ୍ତି। କମ୍ପାନିମାନେ ଜମାକାରୀଙ୍କ ଟଙ୍କା ବିନିଯୋଗ କରିଥିବା ହଜାର ହଜାର କୋଟି ଟଙ୍କାର ସଂପତ୍ତି, ହଜାର ହଜାର ଏକର ଜମିଜମା, ଶହ ଶହ କୋଠାବାଡ଼ି, ଗାଡ଼ି, ଟିଭି ସଂସ୍ଥା ସମେତ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଜବତ କରି ସରକାର କିଛି ସଂପତ୍ତି ବିକ୍ରି କରି କୋଟି କୋଟି ଟଙ୍କା ରଖିଛନ୍ତି। ମାତ୍ର ଜମାକାରୀଙ୍କୁ ଏହି ଟଙ୍କା ଫେରାଉ ନାହାନ୍ତି। କେଉଁ ସଂପତ୍ତିକୁ କେତେ ଟଙ୍କାରେ ନିଲାମ କରି ସରକାର କେତେ ଟଙ୍କା ନିଜ ପାଖରେ ରଖିଛନ୍ତି ତାହାର ଏକ ଶ୍ବେତପତ୍ର ପ୍ରକାଶ କରିବା ଉଚିତ୍। ପୂର୍ବରୁ ଅସାଧୁ କମ୍ପାନି ଠକିଥିଲେ ଏବେ ସରକାର ଠକର ଭୂମିକା ନେଇଛନ୍ତି। ଶାସକ ବର୍ଗର ଏହି ଲୁଣ୍ଠନ ବିରୋଧରେ ବ୍ୟାପକ ସତ୍ୟାଗ୍ରହ ପାଇଁ ୫୦ଲକ୍ଷରୁ ଅଧିକ ଜମାକାରୀ ପରିବାର ସଂକଳ୍ପ ନେଇଥିବା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଗଣ ସତ୍ୟାଗ୍ରହରେ ମଞ୍ଜର ସଭାପତି ଜୟନ୍ତ ଦାସ, ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଅମର ସାହୁ, ବିଭୁଦତ୍ତ ମିଶ୍ର, ଚଣ୍ଡଳ ପ୍ରଧାନ, ଭଞ୍ଜକିଶୋର ପ୍ରଧାନ, ବିଜୟ ପାଢ଼ୀ, ସୁନିଲ ଦାଶ, ଉମେଶ ଚନ୍ଦ୍ର ନାୟକ, ଅଖିଳମୋହନ ଲେଙ୍କା, ସୁଧାଂଶୁ ବେହେରା, ପ୍ରଦୀପ ମହାରଣା, ଲଳିତଦୀପ ପ୍ରମୁଖ ସବୁ ଜିଲ୍ଲାରେ ସତ୍ୟାଗ୍ରହର ନେତୃତ୍ବ ନେଇଥିଲେ। ପରେ ତହସିଲଦାରଙ୍କ ‌ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ତ୍ରିନାଥ ପଣ୍ଡା ଡିଜିଟାଲ ସତ୍ୟାଗ୍ରହକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର