ଗ୍ରିନ୍‌ ରେ’ ଚିଟ୍‌ଫଣ୍ଡ ଠକେଇ ମାମଲା: ନିର୍ଦ୍ଦେଶକଙ୍କ ୨ ଭାଇଙ୍କୁ ଉଠାଇଲା ସିବିଆଇ

୫ ଶହ କୋଟି ଠକି ନେଇଛି ସଂସ୍ଥା, ୧୫ରୁ ଅଧିକ ରାଜ୍ୟରେ ଚାଲିଛି ମାମଲା
ବିପୁଳ ପରିମାଣର ସଂପତ୍ତି ଉପରେ ଇଡିର ଖୋଳତାଡ଼

ବାଲେଶ୍ବର/ଜଳେଶ୍ବର : ବହୁଚର୍ଚ୍ଚିତ ଗ୍ରିନ୍‌ ରେ’ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମୀର ସହିରୁଦ୍ଦିନ୍‌ଙ୍କ ବଡ଼ଭାଇ ମୀର ସଇମତ୍‌ ଓରଫ୍ କାଲା ଓ ସାନଭାଇ ମୀର ଜମିରୁଦ୍ଦିନ୍ ଓରଫ୍ ଜମିରଙ୍କୁ ଜଳେଶ୍ବରରୁ ଗିରଫ କରିଛି। ଉଭୟଙ୍କୁ ଜଳେଶ୍ବର ଥାନାକୁ ଆଣି କିଛି ସମୟ ଜେରା ପରେ ଭୁବନେଶ୍ବରସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଦୁଇଜଣଙ୍କୁ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇ ରି‌ମାଣ୍ଡ ଆବେଦନ କରାଯିବ ବୋଲି ଡିଏସ୍‌ପି ଅଶୋକ କୁମାର ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, କାଲା ଓ ଜମିରଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ସଂସ୍ଥାର ମୁଖ୍ୟ ଆକାଉଣ୍ଟରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍‌ ଅର୍ଥ କାରବାର ହୋଇଥିଲା। ଏଥିରେ ଦୁଇଭାଇଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ ପାଇଁ ଆଜି ସକାଳୁ ସିବିଆଇ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍‌ ଜଳେଶ୍ବରରେ ଆସି ପହଞ୍ଚିଥିଲେ। କାଳେ ଦୁଇଭାଇ ଖସି ପଳାଇବେ ସେଥିପାଇଁ ସିବିଆଇ ଟିମ୍ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ଚତୁରତାର ସହିତ ଉଭୟଙ୍କୁ ଜଳେଶ୍ବର ବଜାରକୁ ଡାକି ସେଠାରୁ ଥାନାକୁ ନେଇ ଆସିଥିଲା। ଉଭୟଙ୍କୁ ପ୍ରାୟ ୧୫ ମିନିଟ୍‌ ଜେରା କରାଯାଇଥିଲା। ଏହି ଦୁଇଜଣଙ୍କୁ ମିଶାଇ ସିବିଆଇ ଆଜି ସୁଦ୍ଧା ଗ୍ରିନ୍‌ ରେ’ ମାମଲାରେ ୪ ଜଣଙ୍କୁ ବାନ୍ଧିବାରେ ସଫଳ ହୋଇଛି। ସଂସ୍ଥାର ଅନ୍ୟ ୨ ଜଣ ନିର୍ଦ୍ଦେଶକ ତଥା ମୀର ସହିରୁଦ୍ଦିନ୍‌ଙ୍କ ଆଉ ଜଣେ ଭାଇ ମୀର ତହିରୁଦ୍ଦିନ୍‌ ଓରଫ୍ ତହିର ଓ ଖାଲିକ ସାହା ଓରଫ୍ ଖାଲିକ ଏବେ ବି ଫେରାର ଅଛନ୍ତି। ଅନ୍ୟପଟେ ସିବିଆଇର ଅତର୍କିତ ଚଢ଼ଉ ପରେ ଚିଟ୍‌ଫଣ୍ଡ ମାମଲାରେ ଜଡ଼ିତ ଅନ୍ୟମନଙ୍କ ଛନକା ପଶିଛି।

ପ୍ରକାଶଥାଉକି, ୧୯୯୮ ମସିହାରେ ଜଳେଶ୍ବର ଅଞ୍ଚଳରୁ ନିଜର ବ୍ୟବସାୟ ଆରମ୍ଭ କରିଥିବା ଏହି ସଂସ୍ଥା ୨୦୧୩ ମସିହା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କଠାରୁ ୫ ଶହ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ୨୦୧୪ରେ ସିବିଆଇ ଗ୍ରିନ୍‌ ରେ’ ବିରୋଧରେ ମାମଲା (ନଂ ୧୯ ଏସ୍‌/୨୦୧୪) ରୁଜୁ କରିବା ସହ ୨୦୧୭ ମସିହା ଫେବ୍ରୁଆରିରେ ସଂସ୍ଥାର ମୁଖ୍ୟ ମୀର ସହିରୁଦ୍ଦିନଙ୍କୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ କୋଲକାତାର ରାଜରହାଟ୍ ଅଞ୍ଚଳରୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର