ଚିଟ୍‌ଫଣ୍ଡ୍‌ ମହାଦୁର୍ନୀତି : ଏ ଯାଏଁ ଟଙ୍କାଟିଏ ଫେରାଇଲେନି

ଭୁବନେଶ୍ୱର : ଚାରି ବର୍ଷ ହେଲାଣି ଚିଟ୍‌ଫଣ୍ଡ୍‌ ମହାଦୁର୍ନୀତିର ତଦନ୍ତ ଚାଲିଛି। କେତେବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ତ କେତେବେେଳେ ସିବିଆଇ। ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କିନ୍ତୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଭାଗ୍ୟ ଫିଟୁନି। ଜମାକାରୀଙ୍କ ସପକ୍ଷରେ ରାଜ୍ୟ ସରକାର ଅଛନ୍ତି ବୋଲି ତମ୍ବିତୋଫାନ କରୁଛନ୍ତି। କର୍ପସ୍‌ ଫଣ୍ଡ୍‌ ଗଠନ କରି ଲୋଭ ଦେଖାଇଛନ୍ତି। କିନ୍ତୁ ସରକାର ଏ ଯାଏଁ ଜମାକାରୀଙ୍କୁ ଟଙ୍କାଟିଏ ଫେରାଇ ନାହାନ୍ତି। କ୍ଷତିପୂରଣ ଦେବା ଦୂରର କଥା, କ୍ଷତିଗ୍ରସ୍ତ ଜମାକାରୀଙ୍କ ତାଲିକା ବି ପ୍ରସ୍ତୁତ କରିନାହାନ୍ତି। ଆଜି ବିଧାନସଭାରେ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଦେଇଥିବା ଲିଖିତ ଉତ୍ତରରେ ଏପରି ସୂଚନା ମିଳିଛି।

କେବେ ସୁଦ୍ଧା ତାଲିକା ପ୍ରସ୍ତୁତ ହେବ ଓ ଜମାକାରୀଙ୍କୁ କ୍ଷତିପୂରଣ ମିଳିବ, ତାହାର ଠୋସ୍‌ ଉତ୍ତର ବି ସରକାରଙ୍କ ପାଖରେ ନାହିଁ। କେବଳ କ୍ଷେତ୍ରୀୟ ଯାଞ୍ଚ୍‌ ଚାଲିଛି କହି ଦିନ ଗଡ଼ାଇ ଚାଲିଛି ଅର୍ଥ ବିଭାଗ। ବିଧାନସଭାରେ ଅର୍ଥ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଚିଟ୍‌ଫଣ୍ଡ୍‌ କମ୍ପାନି ଦ୍ୱାରା ରାଜ୍ୟର କେତେ ଜଣ ଜମାକାରୀ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କର କେତେ ଜମା ଟଙ୍କା ହଡ଼ପ ହୋଇଛି, ତାହାର ତାଲିକା ମାନ୍ୟତାପ୍ରାପ୍ତ ଅଦାଲତଙ୍କ ଆଦେଶ ମୁତାବକ ସଂସ୍ଥାଓ୍ଵାରୀ କ୍ଷେତ୍ରୀୟ ତଦନ୍ତ କରାଯାଇ ପ୍ରସ୍ତୁତ କରାଯାଉଛି। କ୍ଷେତ୍ରୀୟ ଯାଞ୍ଚ୍‌ ପରେ ଏହି ତଥ୍ୟ ଜଣାପଡ଼ିବ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ୍‌ ଏମ୍‌ ଏମ୍‌ ଦାସ ତଦନ୍ତ କମିସନ୍‌ଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖ ୩୧.୧୦.୨୦୧୩ ସୁଦ୍ଧା ୮,୯୬,୩୧୨ ଜଣ ଜମାକାରୀଙ୍କ ସତ୍ୟପାଠ ପ୍ରାପ୍ତ ହୋଇଥିଲା। ପ୍ରାଥମିକ ଯାଞ୍ଚ୍‌ ପରେ ତାହା ମଧ୍ୟରୁ ୭୯,୦୫୯ ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିଲା। ଅବଶିଷ୍ଟ ୮,୧୭,୨୫୩ ଜଣ ଜମାକାରୀଙ୍କ ସତ୍ୟପାଠର ତାଲିକା ପ୍ରସ୍ତୁତ କରି କମିସନ୍‌ ଏହାର ଯାଞ୍ଚ୍‌ କରୁଛନ୍ତି। ତଦନ୍ତ କମିସନ୍‌ଙ୍କ ସୁପାରିସ୍‌କ୍ରମେ ଅଦ୍ୟାବଧି ୧୨୨୬ ଜଣ କ୍ଷୁଦ୍ର ଜମାକାରୀଙ୍କ ଜମାରାଶି ସଂପୃକ୍ତ କମ୍ପାନିମାନେ ସେମାନଙ୍କୁ ଫେରସ୍ତ କରିଛନ୍ତି। ତଦନ୍ତ କମିସନ୍‌ଙ୍କ ପ୍ରଥମ ଦୁଇଟି ଅନ୍ତରୀଣ ରିପୋର୍ଟର ସୁପାରିସ୍‌ ଅନୁଯାୟୀ ସରକାର ୧୨,୩୯୭ ଜଣ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କ ବାସ୍ତବ ଜମାରାଶି ଆକଳନ ପାଇଁ କ୍ଷେତ୍ରୀୟ ସ୍ତରରେ ତଦନ୍ତ କରାଇଛନ୍ତି। ଏହାର ଜିଲ୍ଲାଓ୍ଵାରି ତାଲିକା ପ୍ରସ୍ତୁତ କରାଯାଉଛି। ତାଲିକାଭୁକ୍ତ କ୍ଷୁଦ୍ର ଜମାକାରୀଙ୍କୁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ସରକାରୀ କ୍ଷତିପୂରଣ ରାଶି ଖୁବ୍‌ ଶୀଘ୍ର ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି।

ଚିଟ୍‌ଫଣ୍ଡ୍‌ କମ୍ପାନିଗୁଡ଼ିକ ମଧ୍ୟରୁ ରୋଜ୍‌ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତ ପାଇଁ ସରକାରଙ୍କ ଅନ୍ତରୀଣ କୋରଖି ଆଦେଶକୁ ମାନ୍ୟତାପ୍ରାପ୍ତ ଅଦାଲତ ସିଦ୍ଧ କଲା ପରେ ଏହି କମ୍ପାନିର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ ଜନସାଧାରଣଙ୍କ ଠାରୁ ଆବେଦନପତ୍ର ଆହ୍ଵାନ କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଏହି କମ୍ପାନିର ୩,୯୪,୨୯୫ ଜଣ ଜମାକାରୀଙ୍କ ଠାରୁ ଆବେଦନପତ୍ର ପ୍ରାପ୍ତ ହୋଇଛି ଏବଂ ସେମାନଙ୍କ ଜମାରାଶିର ପରିମାଣ ପ୍ରାୟ ୫୩୩ କୋଟି ଟଙ୍କା। ଏହି ଜମାକାରୀଙ୍କ ମଧ୍ୟରୁ ପ୍ରକୃତ ଜମାକାରୀ ଚିହ୍ନଟ ଓ ସେମାନଙ୍କ ବାସ୍ତବ ଜମାରାଶି ଆକଳନ ପାଇଁ ପ୍ରସ୍ତୁତି ଚାଲିଛି। ତାଲିକା ପ୍ରସ୍ତୁତି ପରେ ଜମାକାରୀମାନଙ୍କୁ କମ୍ପାନିର ବ୍ୟାଜାପ୍ତି ସମ୍ପତ୍ତିରୁ ଉପଲବ୍ଧ ଅର୍ଥ ବଣ୍ଟନ ନିମନ୍ତେ ମାନ୍ୟତାପ୍ରାପ୍ତ ଅଦାଲତଙ୍କ ଠାରେ ଆବେଦନ କରାଯିବ ବୋଲି ଅର୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର