ସ୍ବତନ୍ତ୍ର କୋର୍ଟରେ ୧୧୯ ମାମଲା, ୯ଟିରେ ଦୋଷୀ
ତିନିଟି ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

Advertisment

ବ୍ରହ୍ମପୁର : ଅର୍ଥଲଗାଣକାରୀ ସଂସ୍ଥା ନାଁରେ ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି ଖୋଲିଥିଲା ଚିଟ୍‌ଫଣ୍ଡ୍‌ ସଂସ୍ଥା। ଯାହାର ଚେର ଗଞ୍ଜାମରୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼େଶୀ ରାଜ୍ୟକୁ ମଧ୍ୟ ଲମ୍ବିଥିଲା। ଅଧିକ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଜମାକାରୀଙ୍କ ଠାରୁ ଚିଟ୍‌ଫଣ୍ଡ୍‌ ସଂସ୍ଥାଗୁଡ଼ିକ ଠକ‌ି ନେଇଛନ୍ତି କୋଟି କୋଟି ଟଙ୍କା। ନିଜର କଷ୍ଟୋପାର୍ଜିତ ଧନ, ସମ୍ପତ୍ତି ହରାଇ ଏବେ ବେସାହାରା ହୋଇ ପଡ଼ିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ। ଏହି ଜମାକାରୀଙ୍କୁ ତାଙ୍କର ଟଙ୍କା ଫେରସ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଧାରାରେ ଗଞ୍ଜାମ ଜିଲ୍ଲାରେ ମାତ୍ର ୪ହଜାର ୮୪୬ଜଣ କ୍ଷୁଦ୍ର ଜମାକାରୀ ତାଙ୍କର ଟଙ୍କା ଫେରି ପାଇଛନ୍ତି। ବାକି ରହିଥିବା କ୍ଷୁଦ୍ର ଜମାକାରୀଙ୍କ କାଗଜପତ୍ର ଯାଞ୍ଚ ଚାଲିଛି। ପର୍ଯ୍ୟାୟ କ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। କିନ୍ତୁ ଲକ୍ଷାଧିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ କେହି କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଇତି ମଧ୍ୟରେ ବହୁ ଜମାକାରୀ ମୃତ୍ୟୁବରଣ କରି ସାରିଲେଣି। ଆଉ କେତେଜଣ ଟଙ୍କା ଫେରି ପାଇବା ଆଶା ମଧ୍ୟ ଛାଡ଼ି ଦେଲେଣି। ସେପଟେ ବ୍ରହ୍ମପୁରରେ ଥିବା ସ୍ବତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟରେ ଏବେ ୧୧୯ଟି ମାମଲା ବିଚାରାଧୀନ ଥିବା ବେଳେ ୯ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏପରିକି ୩ଟି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

publive-image Patrika

ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରୁଥିବା କମିସନ୍‌ ଏବ˚ କଟକ ଏଡିଏମ୍‌ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ୨୩ଟି ତହସିଲର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ୭ଟି ପର୍ଯ୍ୟାୟରେ ଜମାକାରୀଙ୍କ କାଗଜପତ୍ର କମିସନ୍‌ ନିକଟରେ ଦାଖଲ କରାଯାଇଥିଲା। ଯେଉଁ ହିତାଧିକାରୀ ୧୦ ହଜାରରୁ କମ୍‌ ଟଙ୍କା ଜମା କରିଛନ୍ତି, ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ସ˚ସ୍ଥାର ପ୍ରାୟ ୪ ହଜାର ୧୩୮ ଜଣ କ୍ଷୁଦ୍ର ଜମାକାରୀ ରହିଥିବା ବେଳେ ୨୯୭୭ ଜମାକାରୀଙ୍କୁ ୯୩ଲକ୍ଷ ୯୨ହଜାର ୨୭୩ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅର୍ଥତତ୍ତ୍ବ, ଆସ୍ଥା, ସାଫେକ୍ସ, ଗୋଲଡେନ୍‌ ଲ୍ୟାଣ୍ତ, ଓସ୍କାର ଭଳି ଅନ୍ୟାନ୍ୟ କମ୍ପାନିର ପ୍ରାୟ ୧୭ହଜାର ୮୫୩ଜଣ କ୍ଷୁଦ୍ର ଜମାକାରୀଙ୍କୁ ମଧୢ ଚିହ୍ନଟ କରାଯାଇଛି। ସେଥିରୁ ୧୮୬୯ଜଣ ଜମାକାରୀଙ୍କୁ ୧କୋଟି ୧୬ଲକ୍ଷ ୧୧ହଜାର ୪୪୧ ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ଜମାକାରୀ ଏବେ ବହୁ ଦୟନୀୟ ସ୍ଥିତି ରହିଛନ୍ତି। ଏଭଳି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ବ୍ରହ୍ମପୁରରେ ଓପିଆଇଡି ଆକ୍ଟ୍-୨୦୧୧ ଅନୁସାରେ ପ୍ରତିଷ୍ଠା ହୋଇଛି ସ୍ବତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟ। ଏହି କୋର୍ଟରେ ୧୧୯ଟି ମାମଲା ବିଚାରାଧୀନ ରହିଛି। ପୂର୍ବରୁ ୧୦ଟି ମାମଲାର ବିଚାରଣା ସରି ରାୟ ପ୍ରକାଶ ପାଇସାରିଛି। ୧୦ଟି ମାମଲା ମଧ୍ୟରୁ ୯ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଟିଏ ମାତ୍ର ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷ ହୋଇଥିବା ସୂଚନା ମିଳିଛି। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଦାଖଲ ସହିତ ସରକାରୀ ଓକିଲ ବିଜୟ କୁମାର ପ୍ରଧାନଙ୍କ ମାମଲା ପରିଚାଳନାରେ ଦକ୍ଷତା ଏବଂ ବଳିଷ୍ଠ ଯୁକ୍ତି ଉପସ୍ଥାପନା ଶୈଳୀ ଯୋଗୁଁ ୧୦ଟି ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ହୋଇଛି।

୨୦୧୦ ପରେ ଗୋଟିଏ ପରେ ଗୋଟିଏ ଚିଟ୍‌ଫଣ୍ଡ୍‌ ସଂସ୍ଥାର କଳା କାରନାମା ପଦାକୁ ଆସିଥିଲା। ବହୁ ସଂସ୍ଥା ଲୋକଙ୍କ ଟଙ୍କା ଫେରାଇ ନଥିଲେ। ଜମାକାରୀ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରି ଥାନାରେ ଏତଲା ଦେଇଥିଲେ। କିଛି ମାମଲା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିଥିବା ବେଳେ ଆଉ କେତେକ ମାମଲା ସ୍ଥାନୀୟ ପୁଲିସ କରିଥିଲା। ଏଭଳି ମାମଲାର ତ୍ବରିତ ବିଚାରଣା ପାଇଁ ଗତ ୨୦୧୫ରେ ବ୍ରହ୍ମପୁରରେ ପ୍ରତିଷ୍ଠା ହୋଇଥିଲା ସ୍ବତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟ। ଏହି କୋର୍ଟରେ ଗ୍ରିନ୍ ଇଣ୍ଡିଆ, ଓସ୍କାର୍, ଏଟି ଗ୍ରୁପ୍, ଦାତୁମ, ଓ ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍ ଫାଇନାନ୍ସ ଲିମିଟେଡ୍ ଭଳି ଚିଟ୍‌ଫଣ୍ଡ ସଂସ୍ଥାର ମାମଲା ବିଚାରଣା ଚାଲିଛି। ଏହି କୋର୍ଟ ଦ୍ବାରା ସର୍ବାଧିକ ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଛି। ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍ ଫାଇନାନ୍ସ କମ୍ପାନିର ମୁଖ୍ୟଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇଥିବା ସରକାରୀ ଓକିଲ ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ଓସ୍କାର୍, କାଟଲୁନ୍, ଗୋଲ୍‌ଡେନ୍‌ ଲ୍ୟାଣ୍ଡ୍‌ ଭଳି ୩ଟି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କରି ନିଲାମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।