ଅର୍ଥତତ୍ୱ ମାମଲା: ପ୍ରଦୀପ ସେଠୀ ବ୍ରହ୍ମପୁର କୋର୍ଟରେ ହାଜର

ବ୍ରହ୍ମପୁର : ଅର୍ଥତତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଜି କମ୍ପାନିର ମୁଖ୍ୟ ପ୍ରଦୀପ ସେଠୀ ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟରେ ହାଜର ହୋଇଥିଲେ। ଚିଟ୍‌ଫଣ୍ଡ କୋର୍ଟରେ ପ୍ରଦୀପଙ୍କ ନାଁରେ ୪ଟି ମାମଲା ରହିଛି। ତନ୍ମଧ୍ୟରୁ ଦୁଇଟି ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଥିଲେ। ବୈଦ୍ୟନାଥପୁର ଥାନାରେ ପ୍ରଦୀପଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ମାମଲାର କାଗଜପତ୍ର(ପୁଲିସ ପେପର୍‌) ଦିଆଯାଇଥିଲା। ଏହି ମାମଲାର ପରବର୍ତ୍ତୀ ତାରିଖ ଆସନ୍ତା ୨୨କୁ ରଖାଯାଇଛି। ଗିରିରୋଡ଼ରେ ଖୋଲିଥିବା ଅର୍ଥଲଗାଣକାରୀ ସଂସ୍ଥା ଅର୍ଥତତ୍ୱ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍‌ ନେଇ ଅଭିଯୋଗ ହୋଇଥିଲା। ସେ ନେଇ ସିବିଆଇ ଅର୍ଥତତ୍ୱ ଗ୍ରୁପ୍‌ର ମୁଖ୍ୟ ପ୍ରଦୀପକୁ ଗିରଫ କରିଥିଲା। ସିବିଆଇ କୋର୍ଟରେ ପ୍ରଦୀପଙ୍କ ନାଁରେ ଅଧିକାଂଶ ମାମଲା ରହିଥିବା ବେଳେ ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟରେ ୪ଟି ମାମଲା ରହିଛି। ଶେରଗଡ଼ ଥାନା ସେରେଙ୍ଗୁଡ଼ାର କାହ୍ନ ଚରଣ ସ୍ୱାଇଁ ଏହି ସଂସ୍ଥାରୁ ତାଙ୍କର ଟଙ୍କା ଫେରି ନପାଇବାରୁ ୨୦୧୩ ଜୁନ୍‌ ୨୮ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହାପୂର୍ବରୁ ବୈଦ୍ୟନାଥପୁର ଥାନା ପୁଲିସ ନିଜ ଆଡ଼ୁ ୨୦୧୩ ମେ ୩ତାରିଖରେ ଅର୍ଥତତ୍ୱ ନାଁରେ ମାମଲା ରୁଜୁ କରିଥିଲା। ଗତ ଜାନୁଆରି ୪ତାରିଖରୁ ପ୍ରଦୀପ ମଣ୍ଡଳ କାରାଗାରରେ ରହିଛନ୍ତି।

ସମ୍ବନ୍ଧିତ ଖବର