କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଚିଟ୍‌ଫଣ୍ଡ ଠକେଇର ‌ଶିକାର ହୋଇଥିବା କହିବା ପରେ ଚିଟ୍‌ଫଣ୍ଡ ଦୁର୍ନୀତି ଚର୍ଚ୍ଚା ପୁଣି ସରଗରମ ହୋଇଛି। ଏହାକୁ ନେଇ ପରୋକ୍ଷରେ ସରକାର ବି ଅକଳରେ ପଡ଼ିଛି। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବେ ବୋଲି ବିଜେପି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି କେବେ ପୂରଣ ହେବ ଓ କ୍ଷତିଗ୍ରସ୍ତ ଜମାକାରୀ କେବେ ଟଙ୍କା ଫେରି ପାଇବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଚରା ଯିବାରୁ ଚିନ୍ତନ ଚାଲିଛି; ଖୁବ୍‌ଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ଚିଟ୍‌ଫଣ୍ଡ ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କରାଯିବା ପ୍ରସଙ୍ଗ ବି ସରକାର ଅନୁଧ୍ୟାନ କରୁଛନ୍ତି। ରିପୋର୍ଟ କେମିତି ଉପସ୍ଥାପିତ ହେବ ସେନେଇ ଚିନ୍ତା କରାଯାଉଛି। ଟଙ୍କା ଫେରାଇବା ଦାୟିତ୍ବ ପୂର୍ବ ସରକାରଙ୍କ ଥିଲା କିନ୍ତୁ କଲେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।

Advertisment

ଅଧାରୁ ବନ୍ଦ ହୋଇଗଲା କମିସନ୍‌ଙ୍କ ତଦନ୍ତ
୭ଟି ରିପୋର୍ଟରୁ ଗୋଟିଏ ବି ହୋଇନି ସାର୍ବଜନୀନ
୩୦୦ କୋଟିର କର୍ପସ ପାଣ୍ଠି ସ୍ଥିତି ଅସ୍ପଷ୍ଟ
ନ୍ୟାୟ ଅପେକ୍ଷାରେ ୭ ଲକ୍ଷରୁ ଅଧିକ ଜମାକାରୀ

ରାଜ୍ୟରେ ପ୍ରାୟ ୧୨ ବର୍ଷ ହେଲା ଚିଟ୍‌ଫଣ୍ଡ ମହାଦୁର୍ନୀତିକୁ ନେଇ ଚର୍ଚ୍ଚା ଜାରି ରହିଛି। ୨୦୧୩ରେ ଏହି ଘଟଣା ସାମନାକୁ ଆସିଥିଲା। ଏହାକୁ ନେଇ ହଟଚମଟ ହେବାରୁ ତତ୍କାଳୀନ ବିଜେଡି ସରକାର ଚିଟ୍‌ଫଣ୍ଡ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ପାଇଁ ଘୋଷଣା କରିଥିଲେ। ଏଥି ସହିତ ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଥିଲେ। ଚିଟ୍‌ଫଣ୍ଡ କେଳେଙ୍କାରୀର ବିଚାର ବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ଦୁର୍ନୀତିରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷ ଓ କମ୍ପାନିର ଭୂମିକା ତଦନ୍ତରୁ ସ୍ପଷ୍ଟ ହେବ। କ୍ଷତିଗ୍ରସ୍ତ ଜମାକାରୀ କେମିତି ଟଙ୍କା ଫେରି ପାଇବେ ସେନେଇ କମିସନ ପରାମର୍ଶ ଦେବେ ବୋଲି କୁହାଯାଇଥିଲା। ପ୍ରଥମରୁ ୫ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନ୍‌ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ଆଉ ଏକ ପ୍ରସଙ୍ଗ ଯୋଡ଼ି ୨୦୧୫ ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନିଗୁଡ଼ିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ଦାୟିତ୍ବ କମିସନ୍‌ଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ପୁନଃସଂଶୋଧନ କରି ସରକାର ୨୦୧୯ ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବୋଲି ରହିଥିଲା। କିନ୍ତୁ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟ୍‌ଫଣ୍ଡରେ ଜମା କରିଥିବା ‌ଲୋକଙ୍କ ଆଶା ମଉଳି ଯାଇଥିଲା। 

କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିଲା। ଶେଷଥର ପାଇଁ ୨୦୧୯ ଅଗଷ୍ଟ ୨ରେ ସରକାର କମିସନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କରିଥିଲେ। କିନ୍ତୁ ଏହାପରେ ଆଉ କାର୍ଯ୍ୟକାଳ ବୃଦ୍ଧି ନ ହେବାରୁ ୨୦୨୦ ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସି ନଥିଲେ। ଫଳରେ ସେଇଠି ଅଟକି ଥିଲା ବିଚାରବିଭାଗୀୟ ତଦନ୍ତ। କମିସନ୍‌ ପ୍ରାୟ ୪ ଲକ୍ଷ ୯୮ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଗୋଟିଏ ବି ରିପୋର୍ଟ ସାର୍ବଜନୀନ କରାଯାଇନି। କମିସନ୍ ଅଫ୍ ଇନ୍‌କ୍ବାରି ଆକ୍ଟ ଅନୁସାରେ କମିସନ୍‌ଙ୍କ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା କଥା। କିନ୍ତୁ ୬.୧୯ କୋଟିରୁ ଅଧିକ ଟଙ୍କା ତଦନ୍ତରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ଗୋଟିଏ ବି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇ ନଥିଲା। ଦ୍ବିତୀୟ ପର୍ଯ୍ୟାୟରେ କମିସନ୍‌ଙ୍କ ନିକଟରେ ପ୍ରାୟ ୭ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ୭ ଲକ୍ଷ ସତ୍ୟପାଠର ଡିଜିଟାଇଜେସନ୍ ସଂପର୍କିତ ପ୍ରସ୍ତାବକୁ ସରକାର ୨୦୧୯ ଅକ୍ଟୋବରରେ ଅନୁମତି ଦେଇଥିଲେ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)କୁ  ଏହାର ଦାୟିତ୍ବ ଦିଆଯାଇଥିଲା। କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ନ ହେବାରୁ ଏହି ସତ୍ୟପାଠଗୁଡ଼ିକ କମିସନ୍‌ଙ୍କ କାର୍ଯ୍ୟାଳୟରେ ପଡ଼ିରହିଛି। ଅନ୍ୟପଟେ ସରକାରଙ୍କ ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କେତେ ଅର୍ଥ ପ୍ରଦାନ କରାଯାଇଛି ସେନେଇ ବି କିଛି ତଥ୍ୟ ନାହିଁ। ଏଭଳି ସ୍ଥିତିରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ବାସ୍ତବରେ କିଭଳି ନ୍ୟାୟ ପାଇବେ, ତାହାକୁ ନେଇ ସନ୍ଦେହ ରହିଛି।