ପୁଣି ଚିଟ୍‌ଫଣ୍ଡ ଠକେଇ: ୩ କୋଟି ନେଇ ପାର୍‌

ଭୋଗରାଇ : ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ସାମ୍‌ନାକୁ ଆସିଛି। ଜଣେ ବ୍ୟକ୍ତି ଏକ ଚିଟ୍‌ଫଣ୍ଡ ସଂସ୍ଥା ଗଢ଼ି ଲୋକଙ୍କର କଷ୍ଟୋପାର୍ଜିତ ୩ କୋଟିରୁ ଅଧିକ ଟଙ୍କା ଠକି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଟଙ୍କା ଜମା ରଖିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଖଟିଖିଆ, ବରିଷ୍ଠ ନାଗରିକ ଓ ଚାଷୀ। ଟଙ୍କା ଫେରସ୍ତ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନ୍ୟାୟ ଦାବି କରିଛନ୍ତି। ଠକେଇ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତ ପାଳୁସିଆ ଗାଁର ରାମକୃଷ୍ଣ ମହାନ୍ତି।

ଅଭିଯୋଗ ମୁତାବକ ପାଳୁସିଆ ଗାଁର ରାମକୃଷ୍ଣ ବିନା ସରକାରୀ ପଞ୍ଜୀକରଣରେ ଏକ ସମିତି ଗଠନ କରି ନିଜେ ତାର ସର୍ବେସର୍ବା ସାଜିଥିଲେ। ସମିତି ଜରିଆରେ ଟଙ୍କା ଜମା, ଋଣ, ଅଧିକ ସୁଧ ଦେବାର ବ୍ୟବସ୍ଥା ରହିଥିବା କହି ପାଳୁସିଆ, ଗୋପୀନାଥପୁର, ନାରାୟଣପୁର, ଜୟରାମପୁର, ଗୁଣାଇବସାଣ ଆଦି ୭/୮ଟି ଗାଁର ଲୋକଙ୍କଠାରୁ ୧୫୦୦ ଶହରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଜମାରାଶି ଗ୍ରହଣ କରୁଥିଲେ। ଏହି କାରବାର ୨୦୦୭ ମସିହାରୁ ଚାଲିଥିଲା। ଏମିତିକି ରାମକୃଷ୍ଣ କେତେକ ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କଠାରୁ ଉଚ୍ଚ ହାରରେ ସୁଧ ଫେରସ୍ତ ଦେବା ସହିତ ଋଣ ଦେଇ ବିଶ୍ୱାସଭାଜନ ହୋଇଥିଲେ। ପରେ ଦଲାଲଙ୍କ ଜରିଆରେ ଅଧିକ ଲୋକଙ୍କୁ ସମିତିର ସଦସ୍ୟ କରି ଆଖପାଖ ଅଞ୍ଚଳରେ ନିଜ ନେଟ୍‌ୱାର୍କ ବଢ଼ାଇବାରେ ସଫଳ ହୋଇଥିଲେ। ଏହି ବେଆଇନ କାମରେ ତାଙ୍କ ପରିବାର ମଧ୍ୟ ସଂପୃକ୍ତ ଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ଅଭିଯୋଗ କରିଛନ୍ତି।

ଦୀର୍ଘ ୧୪ ବର୍ଷ ଧରି  ସମିତି ଜରିଆରେ ଏଭଳି ଆର୍ଥିକ କାରବାର ଚାଲିଥିବା ବେଳେ ପ୍ରାୟ ୪ ଶହ ସଦସ୍ୟ ଏହି ବେଆଇନ ସମିତି ସହିତ ଯୋଡ଼ି ହୋଇ ଟଙ୍କା ଜମା ରଖି ଆସୁଥିଲେ। ରାମକୃଷ୍ଣ ଏକ ଚଟି ଖାତାରେ ଜମାଟଙ୍କା ଲିପିବଦ୍ଧ କରି ଲୋକଙ୍କୁ ଦେଉଥିଲେ। ଯାହାର ଟଙ୍କା ଆବଶ୍ୟକତା ପଡ଼ୁଥିଲା ତାକୁ ଫେରସ୍ତ କରୁଥିଲେ। ଏହା ଦେଖି ଗାଁର ଶ୍ରମଜୀବୀ, ବୃଦ୍ଧବୃଦ୍ଧା ମଧ୍ୟ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ସଞ୍ଚିତ ରଖିଥିବା ନିଜର ଭତ୍ତା ଟଙ୍କା ଉଠାଇ ରାମକୃଷ୍ଣଙ୍କ ବେଆଇନ ସମିତିରେ ଜମା ରଖିଥିଲେ। ଏମିତିକି କିଏ ଆବାସ ପାଇଁ ତ ଆଉ କିଏ ଝିଅ ବାହାଘର ପାଇଁ ମାସକୁ ମାସ ଅଳ୍ପ ଜମା ରଖି ଏକାଥରକେ ମୋଟା ଟଙ୍କା ଉଠାଇବା ଉଦ୍ଦେଶ୍ୟରେ ରଖୁଥିଲେ। ରାମକୃଷ୍ଣ ଅଳ୍ପଦିନରେ ଏତେ ବିଶ୍ୱାସଭାଜନ ହୋଇଥିଲେ ଯେ ଅନେକ ଲୋକ ଅଧିକ ପାଇବା ଆଶାରେ ଧାରକରଜ କରି ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ। ନିଜ ଘର ଛାତ ଢଳେଇ ପାଇଁ ଟଙ୍କା ଆବଶ୍ୟକ ହେବାରୁ ପାଳୁସିଆ ଗାଁର ରଘୁନାଥ ମହାନ୍ତି ବିନା ଦ୍ବିଧାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷେ ୨୫ ହଜାର ଉଠାଇ ରାମକୃଷ୍ଣଙ୍କୁ ଦେଇଥିଲେ। ଏହିପରି ଭାବେ ରାମକୃଷ୍ଣ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଥିବ ଅଭିଯୋଗ ହୋଇଛି। ଆଜି କ୍ଷତିଗ୍ରସ୍ତ ଜମାକାରୀ କନକଲତା ଜେନା, ରଘୁନାଥ ମହାନ୍ତି, ନାରାୟଣ ସାହୁ, ସୁବଳ ଗିରି, ଭାରତୀ ପରିଡ଼ା, ପଦ୍ମଲୋଚନ ପଲେଇ, ଗଣେଶ ଘଡ଼ାଇ, କମଳାକାନ୍ତ ସାମଲ, ଜୟଦେବ ମହାନ୍ତି, ଜୟନ୍ତ ମହାପାତ୍ର, ତ୍ରିଲୋଚନ ଜେନା, ଅଶୋକ ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି।

ତେବେ ଗତ ମାର୍ଚ୍ଚ ମାସଠାରୁ ରାମକୃଷ୍ଣ ‌ଫେରାର୍‌ ହୋଇଯାଇଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜମାକାରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର