ନୂଆ ଉପାୟରେ ମାତିଲେଣି ଚିଟ୍‌ଫଣ୍ଡ ଠକ

ଓପିଆଇଡି ଆକ୍ଟ୍‌ ଅନୁପାଳନ ଲାଗି ଜିଲ୍ଲାପାଳ, ଏସ୍‌ପିଙ୍କ ଆନ୍ତରିକତା ନାହିଁ
ବିଲ୍ ପାସ ହେବାପରେ ଥରେ ବି ହୋଇନି ଚଢ଼ଉ
୫ମାସରେ ଆସିଲାଣି ୪ ଅଭିଯୋଗ

ଭୁବନେଶ୍ବର : ଚିଟ୍‌ଫଣ୍ଡ; ଓଡ଼ିଶା ସମେତ ସାରା ଦେଶରେ ଏକ ବ୍ୟାପକ ଠକେଇର ନଗ୍ନଚିତ୍ର। ପ୍ରାୟ ଦଶନ୍ଧି ପୂର୍ବେ ଏହି ବଡ଼ଧରଣର କେଳେଙ୍କାରୀ ପଦାକୁ ଆସିବା ପରେ ବିଭିନ୍ନ ରାଜ୍ୟର ବଡ଼ବଡ଼ ନେତା, ଅଭିନେତା ସବୁ ସିବିଆଇ ଖୁଆଡ଼ରେ ପଶିଥିଲେ। ଏକାଧିକ ଠକେଇ ସଂସ୍ଥାର ମାଲିକଙ୍କୁ ଗିରଫ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ହାଜର କରାଇ ସେମାନଙ୍କ ସଂପତି ବ୍ୟାଜାପ୍ତ କରାଗଲା। ଜୋରଦାର୍ ଧରପଗଡ଼ ସାଙ୍ଗକୁ ରାଜ୍ୟରେ ଓପିଆଇଡି ଆକ୍ଟ-୨୦୧୧ର ପ୍ରଚଳନ ପରେ କିଛିଦିନ ପାଇଁ ଟଙ୍କା ଆଦାୟ ଉପରେ ବିରାମ ଲାଗିଲା। କିନ୍ତୁ ଏବେ ପୁଣି କାୟା ମେଲାଇଲାଣି ଚିଟ୍‌ଫଣ୍ଡ୍‌; ଭିନ୍ନ ଢଙ୍ଗରେ। ଉପର ଠାଉରିଆ ଭାବେ ପ୍ରଶାସନ ଓ ପୁଲିସ ସବୁ ବନ୍ଦ ହୋଇଯାଇଛି ବୋଲି କହୁଥିଲେ ହେଁ ବାସ୍ତବ ସ୍ଥିତି ଭିନ୍ନ ରହିଛି। ପୂର୍ବଭଳି ଆଉ କିଛି ନୂଆ ସଂସ୍ଥା ଠକେଇରେ ଯୋଡି ହୋଇଛନ୍ତି ଏବଂ ପ୍ରଶାସନ ଓ ପୁଲିସ ପୂରା ମୁକ ପାଲଟିଯାଇଛି।

ଗତ ୫ ମାସ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ୍‌ରେ ବିଭିନ୍ନ ଚିଟ୍‌ଫଣ୍ଡ୍ ସଂସ୍ଥାକୁ ନେଇ ୪ଟି ଅଭିଯୋଗ ଆସିଲାଣି। ଢେଙ୍କାନାଳ, ବାଲେଶ୍ବର, ସମ୍ବଲପୁର, ଯାଜପୁର ପ୍ରମୁଖ ଅଞ୍ଚଳରୁ ଏହି ଠକେଇ ଅଭିଯୋଗ ଆସିଛି। ପୂର୍ବଭଳି ଠକମାନେ ଆଉ ସିଧାସଳଖ ଦ୍ବିଗୁଣା ଟଙ୍କା ଫେରସ୍ତର ଲୋଭ ଦେଖାଉନାହାନ୍ତି। ମଲ୍ଟି ଲେବଲ୍ ମାର୍କେଟିଂ ବା ଏମ୍‌ଏଲ୍‌ଏମ୍ ପଦ୍ଧତିରେ ଲୋକଙ୍କୁ ଲୁଟୁଛନ୍ତି। ବିଭିନ୍ନ ଗିଫ୍ଟ୍ ଓ ପ୍ରାଇଜ୍‌ର ଲୋଭ ଦେଖାଇ ପ୍ରଥମେ ସଂପୃକ୍ତ ସଂସ୍ଥା ଲୋକଙ୍କୁ ଟଙ୍କା ବିନିଯୋଗ କରିବାକୁ କହୁଛନ୍ତି। ଏହା ପରେ ଉକ୍ତ ଟଙ୍କା ବିନିମୟରେ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକ୍ରି ପାଇଁ ଦିଆଯାଉଛି। ସେଗୁଡ଼ିକୁ ବିକ୍ରି କରିବା ସହ ନିଜ ଚେନ୍‌ରେ ଯେତେ ଲୋକ ଯୋଡ଼ିବେ, ସେତେ ଅଧିକ ବୋନସ୍ ବା କମିସନ୍ ଦିଆଯିବାର ବ୍ୟବସ୍ଥା ରହିଛି। ଗୋଟିଏ ସୀମିତ ସମୟ ପର୍ଯ୍ୟନ୍ତ ବ୍ୟବସାୟ ନାଁରେ ଲୁଟ୍ କରାଯାଉଛି। ପରେ ଶହ ଶହ କୋଟି ଟଙ୍କା ଚଳୁ କରି ସଂପୃକ୍ତ ସଂସ୍ଥାଗୁଡ଼ିକ ଫେରାର୍ ହୋଇଯାଉଥିବା ଅଭିଯୋଗ ହୋଇଛି।

Patrika

ବଡ଼କଥା ହେଉଛି, ରାଜ୍ୟ ସରକାର ୨୦୧୧ରେ ଜମାକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତଥା ଏଭଳି ଠକେଇ ଯେମିତି ଆଗକୁ ଅଧିକ ନ ହୁଏ, ସେଥିପାଇଁ ଓପିଆଇଡି ଆକ୍ଟ୍ ଆଣିଥିଲେ। ୨୦୧୩ରେ ଏହି ବିଲ୍‌ ବିଧାନସଭାରେ ପାରିତ ହୋଇଥିଲା। ଓପିଆଇଡି ଆକ୍ଟ ଅନୁସାରେ, କୌଣସି ଅର୍ଥ ନିବେଶକାରୀ ସଂସ୍ଥା ଯେଉଁ ଜିଲ୍ଲାରେ ଏଭଳି ବ୍ୟବସାୟ କରିବେ ସେନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଇବେ। ମାତ୍ର ପରିତାପର ବିଷୟ, ଏହି ବିଲ୍‌ ଅନୁମୋଦନ ହେବାକୁ ଇତିମଧ୍ୟରେ ପ୍ରାୟ ୮ବର୍ଷ ବିତିଗଲାଣି। ମାତ୍ର କୌଣସି ଜିଲ୍ଲାର ଏସ୍‌ପି ଓ ଜିଲ୍ଲାପାଳ ଏହି ୮ବର୍ଷ ମଧ୍ୟରେ ଚିଟ୍‌ଫଣ୍ଡ ସଂସ୍ଥାକୁ ଠାବ କରିପାରିଲେ ନାହିଁ କି ସେମାନଙ୍କର ଠକେଇ ଯୋଜନା ବାବଦରେ ସୁରାକ୍ ପାଉନାହାନ୍ତି। ପରିଣାମ ହେଲା, ରାଜ୍ୟର କୋଣ ଅନୁକୋଣରେ ଏବେ ଚିଟ୍‌ଫଣ୍ଡ୍ ସଂସ୍ଥାଗୁଡ଼ିକ ଖୋଲାଖୋଲି ସେମାନଙ୍କ ଜାଲ ବିଛାଇଛନ୍ତି। ନୂଆ ଢଙ୍ଗରେ ଚାଲିଥିବା ଠକେଇ ଗଂଜାମ, ବାଲେଶ୍ବର, ବଲାଙ୍ଗୀର, କନ୍ଧମାଳ ସମେତ ଆହୁରି ଏକାଧିକ ଜିଲ୍ଲାରେ ଚାଲିଛି।

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ରେକର୍ଡ କହୁଛି, ୨୦୨୦ରେ ଓ ୨୦୨୧ରେ ୨ଟି ଲେଖାଏଁ ଚିଟ୍‌ଫଣ୍ଡ ଅଭିଯୋଗ ଆସିଥିଲା। ଚଳିତବର୍ଷ ୫ମାସ ମଧ୍ୟରେ ୪ଟି ଅଭିଯୋଗ ଆସିଛି। ନିକଟରେ ଇଓଡବ୍ଲୁ ଢେଙ୍କାନାଳର ଜଣେ ଜମାକାରୀଙ୍କ ଅଭିଯୋଗ ଆଧାରରେ ପର୍ପଲ କ୍ବାଲ୍‌ଭ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏକ ମାମଲା ରୁଜୁ କରିଥିଲା। ଏହି ସଂସ୍ଥା ଜରିଆରେ ଗୋଟିଏ ଦମ୍ପତି ଲୋକଙ୍କୁ ସେୟାର୍ ମାର୍କେଟରେ ଟଙ୍କା ଲଗାଇ ଅଧିକ ସୁଧ ଦେବେ ବୋଲି କହିଥିଲେ। ଲୋକଙ୍କୁ ଠକିବା ପାଇଁ ଢେଙ୍କାନାଳ ଜିଲ୍ଲାକୁ ଟାର୍ଗେଟ କରିଥିବା ବେଳେ ଭୁବନେଶ୍ବର ପଟିଆସ୍ଥିତ ଡିଏଲ୍‌ଏଫ୍ ଟାଵାର୍‌ରେ କାର୍ଯ୍ୟାଳୟ ଖୋଲିଥିଲା। ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପି ସଚେତନ ଥିଲେ ନା ନାହିଁ, ସର୍ବୋପରି ରାଜଧାନୀ ଡିସିପି ଓ ଖୋର୍ଧା ଜିଲ୍ଲାପାଳ ଆଗୁଆ କ’ଣ ପଦକ୍ଷେପ ନେଇଥିଲେ, ତାହା ଜଣାପଡ଼ିନାହିଁ। ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉଭୟ ସତ୍ୟରଂଜନ ହୋତା ଓ ପଲ୍ଲବୀଙ୍କୁ ଗିରଫ କରାଯାଇଥିଲା। ମାତ୍ର ସେତେବେଳକୁ ପ୍ରାୟ ୪୩ଜଣଙ୍କ ଠାରୁ ପ୍ରାୟ ୭କୋଟି ଟଙ୍କା ସେମାନେ ଚୂନ ଲଗାଇ ସାରିଥିଲେ। ଜମାକାରୀଙ୍କ ଟଙ୍କା ଏପର୍ଯ୍ୟନ୍ତ ଫେରିପାରିନାହିଁ।

ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ମଧ୍ୟ ଏହି ନୂଆ ତରିକାରେ ଆରମ୍ଭ ହୋଇଥିବା ଚିଟ୍‌ଫଣ୍ଡ୍‌ ଠକେଇକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମଞ୍ଚର ସଭାପତି ଜୟନ୍ତ ଦାସ କହିଛନ୍ତି ଯେ ଏକାଧିକ ଜିଲ୍ଲାରେ ଏଭଳି ଠକେଇ ଆରମ୍ଭ ହୋଇଗଲାଣି। ଲୋକଙ୍କୁ ବିଭିନ୍ନ ବାଟରେ ପ୍ରଲୋଭନ ଦେଖାଇ ସେମାନେ କୋଟି କୋଟି ଟଙ୍କା ଠକି ନେଇଯାଉଛନ୍ତି। ସରକାର ଏବେ ଠାରୁ କଠୋର ନ ହେଲେ ଆଗକୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର